ଉତ୍ତର ଭାରତରେ ଘନ କୁହୁଡ଼ି: ଦୃଶ୍ୟମାନ ହେଉନି ରାସ୍ତାଘାଟ, ୩୦ ଟ୍ରେନ ବିଳମ୍ବିତ

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ଶୀତ ଲହରି ଜାରି ରହିଥିବାବେଳେ ରବିବାର ରାତିରୁ ସୋମବାର ସକାଳ ପର୍ଯ୍ୟନ୍ତ ଘନ କୁହୁଡ଼ି ଦେଖିବାକୁ ମିଳିଛି। କୁହୁଡ଼ି ଯୋଗୁ ରାସ୍ତାଘାଟ ଦୃଶ୍ୟମାନ ହେଉ ନ ଥିବାରୁ ଯାନବାହନ ଚଳାଚଳ ବ୍ୟାହତ ହୋଇଛି। ଦିଲ୍ଲୀ-ଏନସିଆରରେ ଭିଜିବିଲିଟି(ଦୃଶ୍ୟମାନତା) ଶୂନ୍ୟ ରହିଥିଲା। ଫଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ସୋମବାର ସକାଳେ ତାପମାତ୍ରା ୨.୬ ଡିଗ୍ରୀ ରହିଥିଲାବେଳେ ପାଲମରେ ୨.୯ ଡିଗ୍ରୀ ଥିଲା।

କେବଳ ଦିଲ୍ଲୀ ନୁହେଁ, ଅମୃତସର, ଆଗ୍ରା ଏବଂ ଝାନ୍ସୀରେ ତାପମାତ୍ରା ୩ ଡିଗ୍ରୀ ତଳେ ରହିଥିଲା। ଘନ କୁହୁଡ଼ି ଯୋଗୁ ଦିଲ୍ଲୀ ସମେତ ଉତ୍ତର ଭାରତରେ ଗମନାଗମନ ସେବା ପ୍ରଭାବିତ ହୋଇଛି। ଦିଲ୍ଲୀ ବିମାନବନ୍ଦରରେ ୩ଟି ବିମାନର ଦିଗ ପରିବର୍ତ୍ତନ କରାଯାଇଛି। ଯାତ୍ରୀମାନେ ନିଜ ବିମାନର ସ୍ଥିତି ଜାଣିବା ଲାଗି ବିମାନସେବା ପ୍ରଦାନକାରୀ ସଂସ୍ଥା ସହିତ ଯୋଗାଯୋଗ କରିବାକୁ କୁହାଯାଇଛି। ସ୍ପାଇସ୍‌ଜେଟ୍‌ ଏବଂ ଇଣ୍ଡିଗୋ ପକ୍ଷରୁ ଟ୍ବିଟ୍‌ କରି ଯାତ୍ରୀମାନଙ୍କୁ ସତର୍କ କରାଯାଇଛି। ବିମାନ ସହିତ ଟ୍ରେନ ଚଳାଚଳ ବି ପ୍ରଭାବିତ ହୋଇଛି। ଉତ୍ତର ରେଳପଥର ୩୦ ଟ୍ରେନ ସୋମବାର ସକାଳୁ ବିଳମ୍ବରେ ଚାଲୁଥିବା ସୂଚନା ମିଳିଛି।

Comments are closed.