ଓଡ଼ିଶା,ତେଲଙ୍ଗନା, ମହାରାଷ୍ଟ୍ର ଓ ରାଜସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି : ରାଜ୍ୟର ୧୨ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ନୂଆଦିଲ୍ଲୀ/ଭୁବନେଶ୍ବର : ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ବିଶେଷ କରି ଓଡ଼ିଶା,ତେଲଙ୍ଗନା, ମହାରାଷ୍ଟ୍ର ଏବଂ ରାଜସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି ।
ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଭଳି ଅବସ୍ଥା ରହିବ ବୋଲି ପାଣିପାଗ ବିଭାଗ କାର୍ୟ୍ୟାଳୟ ପକ୍ଷରୁ ସତର୍କ କରାଯାଇଛି। ସିଧାସଳଖ ସୂର୍ଯ୍ୟ କିରଣର ସଂସ୍ପର୍ଶରେ ନ ଆସି ଅଂଶୁଘାତରୁ ନିଜକୁ ରକ୍ଷା କରିବା ପାଇଁ ପ୍ରତିକାର ମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । ମହାରାଷ୍ଟ୍ରର ବିଦର୍ଭ ଓ ମରାଠାୱାଡା ଅଞ୍ଚଳରେ ତାପମାତ୍ରା ୪୪ରୁ ୪୬ ଡିଗ୍ରୀ ମଧ୍ୟରେ ରହୁଛି କିନ୍ତୁ ମୁମ୍ବାଇରେ ଆକାଶ ସାମାନ୍ୟ ମେଘାଚ୍ଛନ୍ନ ରହିଥିବାରୁ ତାପମାତ୍ରା କମ୍ ରହିଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜସ୍ଥାନରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିବା ବେଳେ ପଶ୍ଚିମ ଓଡ଼ିଶାର ଲୋକମାନେ ପ୍ରବଳ ତାତିରେ ଡହଳ ବିକଳ ହେଉଛନ୍ତି ।
ସୋମବାର ଓଡ଼ିଶା ୧୧ଟି ଜିଲ୍ଲାର ତାପମାତ୍ରା ୪୦ଡିଗ୍ରୀ ସେଲସିୟସ ଉପରେ ରହିଛି । ସୁବର୍ଣ୍ଣପୁରରେ ସର୍ବାଧିକ ଦିନ ତାପମାତ୍ରା ୪୪. ୮, ସମ୍ବଲପୁରରେ ୪୪.୭, ଟିଟିଲାଗଡରେ ୪୪.୬ ଓ ତାଲଚେରରେ ୪୪. ୩ ଡିଗ୍ରୀ ସେଲସିୟସ୍ ରେକର୍ଡ ରେକର୍ଡ କରାଯାଇଛି ।
ଦିନ ତାପମାତ୍ରାରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଯୋଗୁଁ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ ଖରା ଯୋଗୁଁ ଦିନ ୧୦ଟା ପରଠାରୁ ରାସ୍ତାଘାଟ ଜନଶୂନ୍ୟ ହେବା ସହ ଦୋକାନ ବଜାର ମଧ୍ୟ ବନ୍ଦ ରହୁଛି । ସାମୁଦ୍ରିକ ବାତ୍ୟା ଫୋନି ପରେ କିଛି ସ୍ଥାନରେ ବିଦ୍ୟୁତ ସେବା ସ୍ୱାଭାବିକ ହୋଇ ନ ଥିବାରୁ ଲୋକମାନେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ରାତିରେ ମଧ୍ୟ ଅସହ୍ୟ ଗୁଳୁଗୁଳି ଲାଗି ରହୁଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ରାଜ୍ୟର ୯ଟି ଜିଲ୍ଲାରେ ମଙ୍ଗଳବାର ପର୍ୟ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରିରହିବ। ସୁନ୍ଦରଗଡ,ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ,ଅନୁଗୋଳ, ସୋନପୁର, ନୂଆପଡା ଏବଂ ବଲାଙ୍ଗୀର ଜିଲ୍ଲାର ଏହି ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରାଯାଇଛି।
ଅନ୍ୟପକ୍ଷରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୧୨ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଗଜପତି, ଗଞ୍ଜାମ କନ୍ଧମାଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକ ଏବଂ ନୟାଗଡ ଜିଲ୍ଲାରେ ସୋମବାର ରାତି ୧୦ଟା ପର୍ୟ୍ୟନ୍ତ କାଳବୈଶାଖୀ ହେବାର ସମ୍ଭାବନା ରହିଛି।