୧୧ ସହରରେ ୪୦ଂ ଡେଇଁଲା ପାରଦ ; ଜାରି ରହିବ ଗ୍ରୀଷ୍ମ ଲହରି

ଭୁବନେଶ୍ୱର : ବର୍ଷା ଆଉ ତାତି ମଧ୍ୟରେ ସତେ ଯେପରି ଲୁଚକାଳି ଖେଳ ଚାଲିଛି । ବର୍ଷା ହେଉଥିଲେ ବି ତାତି ଯନ୍ତ୍ରଣାକୁ ବିରାମ ଦେଉନାହିଁ। ଦିନବେଳା ମୁଣ୍ଡଫଟା ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ବେଶ୍ ଅସ୍ତବ୍ୟସ୍ତ କରୁଛି। ଘର ହେଉ କି ବାହାରେ, କେଉଁଠି ବି ନିସ୍ତାର ନାହିଁ। ଆଜି ପୁଣି ୧୧ଟି ସହରରେ ତାତି ଅବସ୍ଥା ଅସମ୍ଭାଳ ରହିଛି। ଗତକାଲି ଅପେକ୍ଷା ଉପକୂଳ ଜିଲାରେ ବି ଗରମ ବଢ଼ିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ପ୍ରାକ୍ ମୌସୁମି ବର୍ଷା ଆରମ୍ଭ ହୋଇନଥିବାରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ତେବେ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ଭିନ୍ନ ମତ ପୋଷଣ କରିଛି। ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଭୁବନେଶ୍ବର, ପୁରୀ, ଅନୁଗୋଳ, ବାଲେଶ୍ବର ଓ ଚାନ୍ଦବାଲିରେ ବର୍ଷାର
ସମ୍ଭାବନା ରହିଛି। ବର୍ଷାର ଲାଗି ରହିଲେ ମୌସୁମି ଓଡ଼ିଶାରେ, ବିଶେଷକରି ଦକ୍ଷିଣ ଓ ଉପକୂଳ ଜିଲାରେ ଅନୁମାନ ଠାରୁ ଶୀଘ୍ର ପହଞ୍ଚିବ।
ଆଜି ଟିଟିଲାଗଡ଼ ସବୁଠାରୁ ଉତ୍ତପ୍ତ ସହର ଭାବେ ୪୩.୫ଂ ରହିଥିଲା। ସେହିପରି ଝାରସୁଗୁଡ଼ା ୪୨.୬ଂ, ଭବାନୀପାଟଣା ଓ ମାଲକାନଗିରିରେ ୪୧.୮ଂ, ବଲାଙ୍ଗୀରରେ ୪୧.୫ଂ, ସମ୍ବଲପୁରରେ ୪୧.୪ଂ, ହୀରାକୁଦରେ ୪୧.୩ଂ, ସୋନପୁରରେ ୪୧.୨ଂ, ଅନୁଗୋଳରେ ୪୧.୧ଂ, ତାଳଚେରରେ ୪୦.୨ଂ, ବାଲେଶ୍ବରରେ ୪୦ଂ ରେକର୍ଡ କରାଯାଇଛି। ଅପରପକ୍ଷେ କଟକରେ ପାରଦ ଆଜି ୩୯.୨ଂ ଛୁଇଁଥିବା ବେଳେ ଚାନ୍ଦବାଲିରେ ୩୯.୧ଂ, ସୁନ୍ଦରଗଡ଼ରେ ୩୯ଂ, ଭୁବନେଶ୍ବରରେ ୩୮.୧ଂ, ପାରାଦ୍ବୀପ ଓ କେନ୍ଦୁଝରରେ ୩୭.୫ଂ, ଦାରିଙ୍ଗିବାଡ଼ିରେ ୩୬ଂ, କୋରାପୁଟରେ ୩୫ଂ, ପୁରୀରେ ୩୪.୬ଂ ରହିଥିଲା। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ସାମୁଦ୍ରିକ ଝଡ଼ ବାୟୁ ଅତିକ୍ରମ କରିବା ପରେ ମୌସୁମି ଅଗ୍ରସର ହେବା ପାଇଁ ପୁଣି ଥିରେ ସ୍ଥିତି ଅନୁକୂଳ ହେବାରେ ଲାଗିଛି। ତେବେ ଅଦ୍ୟାବଧି ଓଡ଼ିଶାରେ ମୌସୁମିର କୌଣସି ପ୍ରଭାବ ଦେଖାଯାଇ ନାହିଁ। ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହିତ ତାତି ଅନୁଭୂତ ହେବ। ଏଥିସହ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ବର୍ଷା ହେଲେ ତାତି କିଛିଟା ହ୍ରାସ ପାଇବ କିନ୍ତୁ ପରେ ପୁଣି ଗରମ ଲାଗି ରହିବ।

Comments are closed.