ବିଏମ୍‌ସିରେ ଆଶୁଚିକିତ୍ସା କେନ୍ଦ୍ର, କ୍ୟାପିଟାଲ ହସ୍ପିଟାଲରେ ୱାର୍ଡ

ଅଂଶୁଘାତ ମୁକାବିଲା, - ଉଭୟ ହସ୍ପିଟାଲରେ ୧୪ ଶଯ୍ୟା ସଂରକ୍ଷିତ

ଭୁବନେଶ୍ୱର : ରାଜ୍ୟରେ ଉପରମୁାହାଁ​‌ ପାରଦ। ତାତିରେ ଘରୁ ବାହାରି ହେଉନାହିଁ। ଝାଞ୍ଜି ପବନରେ ଦେହହାତ ସିଝିଯାଉଛି। ଗତ ଦୁଇ ଦିନ ହେଲା ରାଜଧାନୀରେ ତାପମାତ୍ରା ୪୪ ଡିଗ୍ରୀ ପାର କରିଛି। ସେହିପରି ଆସନ୍ତାକାଲି ୨ରୁ ୪ ଡିଗ୍ରୀ ତାପମାତ୍ରା କମିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି କିନ୍ତୁ ଅଂଶୁଘାତକୁ ଏଡ଼ାଇ ଦିଆଯାଇନପାରେ। ଏହାକୁ ଦୃଷ୍ଟିରେ ରଖି ରାଜଧାନୀର ବିଭିନ୍ନ ହସ୍ପିଟାଲରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସୂଚନା ଅନୁସାରେ କ୍ୟାପିଟାଲ ହସ୍ପିଟାଲରେ ସ୍ବତନ୍ତ୍ରଭାବେ ଏକ ଅଂଶୁଘାତ ୱାର୍ଡ କରାଯାଇଛି। ଯେଉଁଠି ୧୦ଟି ଶଯ୍ୟା ସଂରକ୍ଷିତ ରହିଛି। ଏହାଛଡ଼ା ଉକ୍ତ ୱାର୍ଡରେ ରୋଗୀଙ୍କୁ ଯେଭଳି ଅସୁବିଧା ନହେବ ସେନେଇ ଏ.ସି ଏବଂ ନିୟମିତ କର୍ମଚାରୀ ତଦାରଖ କରିବେ। ପ୍ରଥମେ ଅଂଶୁଘାତରେ ଆକ୍ରାନ୍ତଙ୍କୁ ଆଶୁଚିକିତ୍ସା କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯିବ। ସେଠାରୁ ସିଧାସଳଖ ୱାର୍ଡକୁ ସ୍ଥାନାନ୍ତର କରାଯିବ। ଏହାଛଡ଼ା ହସ୍ପିଟାଲରେ ବ୍ୟାପକ ପରିମାଣରେ ଓଆରଏସ୍‌ ପାଉଡର, ସାଲାଇନ, ପିଇବା ପାଣି ମହଜୁଦ ରଖାଯାଇଛି। ଏଯାବତ୍‌ କୌଣସି ଅଂଶୁଘାତ ଜନିତ କେସ୍‌ ଆସିନଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସେହିପରି ବିଏମ୍‌ସି ହସ୍ପିଟାଲରେ ମଧ୍ୟ ଅଂଶୁଘାତଜନିତ ପଦକ୍ଷେପ ଗ୍ରହଣ କରାଯାଇଛି। ଏଠାରେ ଆଶୁଚିକିତ୍ସା କେନ୍ଦ୍ରରେ ୪ଟି ଶଯ୍ୟା ସଂରକ୍ଷିତ ରଖାଯିବା ସହିତ ଏ.ସି ବ୍ୟବସ୍ଥା କରାଯାଇଛି। ସେହିପରି ରୋଗୀଙ୍କ ସୁରକ୍ଷା ଦୃଷ୍ଟିରୁ ଆଇସ୍‌ ପ୍ୟାକ୍‌, ଓଆର୍‌ଏସ୍‌ ପାଉଡର, ପିଇବା ପାଣି, ସାଲାଇନ୍‌ ଆଦି ଅଧିକ ପରିମାଣରେ ମହଜୁଦ ରଖାଯାଇଛି। ଏହାଛଡ଼ା ରାଜଧାନୀ‌େ‌ର ଥିବା ବିଭିନ୍ନ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ପ୍ରାଥମିକ ଚିକିତ୍ସା ଦିଆଯିବା ନେଇ ନିର୍ଦେଶ ରହିଛି।

Comments are closed.