ଉତ୍ତପ୍ତ ଓଡ଼ିଶା : ପାନୀୟ ଜଳ ସଙ୍କଟର ସମାଧାନ ପାଇଁ ସରକାର ପଦକ୍ଷେପ ନିଅନ୍ତୁ

ଫେବୃଆରୀ ଶେଷ ସପ୍ତାହରୁ ଓଡ଼ିଶାରେ ଯେପରି ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇଛି, ସେଥିରୁ ଆମେ ଆଗାମୀ କିଛି ମାସର ପ୍ରାକୃତିକ ରୌଦ୍ରରୂପକୁ ଠଉରାଇପାରିବା। ଗତ ଗୁରୁବାର ରାଜଧାନୀ ଭୁବନେଶ୍ବର ୩୯.୪ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା ସହ ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲାବେଳେ ରବିବାର ଅନୁଗୋଳ ଫେବୃଆରୀର ସବୁ ରେକର୍ଡ ଭାଂଗିଥିଲା। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଏହି ଦିନ ଅନୁଗୋଳର ତାପମାତ୍ରା ୪୦.୧ ଡିଗ୍ରୀ ସେଲ୍‌ସିଅସ୍‌ ଛୁଇଁଥିଲା, ଯାହା ୧୦ ବର୍ଷ ଭିତରେ ସର୍ବାଧିକ। ୨୦୦୬ ଫେବୃଆରୀରେ ସେଠାକାର ସର୍ବାଧିକ ତାପମାତ୍ରା ୪୨.୧ ଡିଗ୍ରୀ ରେକର୍ଡ କରାଯାଇଥିଲା। ଏହି ଦିନ ଭୁବନେଶ୍ବର ଓ ବୌଦ୍ଧର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି। ସେହିପରି କଟକ, ବାରିପଦା, ସମ୍ବଲପୁର, ଟିଟିଲାଗଡ଼, ବଲାଙ୍ଗିର, ନୟାଗଡ଼, ସୋନପୁର ଆଦି ସ୍ଥାନରେ ୩୮ ଡିଗ୍ରୀ ଟପିଯାଇଛି। ଏହା ଏବେଠୁ ଆମ ପାଇଁ ସତର୍କ ବଜାଇଛି କହିଲେ ଭୁଲ୍‌ ହେବନାହିଁ। ଏବେଠୁ ଯେପରି ପ୍ରଚଣ୍ଡ ତାତି ଅନୁଭୂତ ହେଲାଣି, ନିଜକୁ ସୁରକ୍ଷିତ ନରଖିଲେ ଅଂଶୁଘାତ ଓ ରୌଦ୍ରତାପଜନିତ ବିଭିନ୍ନ ରୋଗରେ ପୀଡ଼ିତ ହେବା ଥୟ। ସରକାର ଏଥିପାଇଁ ପ୍ରସ୍ତୁତ ଅଛନ୍ତି ତ? ଜନସାଧାରଣଙ୍କୁ ବି ଏ ସମ୍ପର୍କିତ ନିୟମକାନୁନ ମାନି ସାବଧାନ ରହିବାକୁ ପଡ଼ିବ; ନଚେତ୍‌ ସମସ୍ୟାକୁ ଡାକି ଆଣିବା ଭଳି ହେବ।
ଗ୍ରୀଷ୍ମଦିନେ ଓଡ଼ିଶାରେ ଜଳକଷ୍ଟ ଏକ ବଡ଼ ସମସ୍ୟା। ସରକାରୀ ପଦକ୍ଷେପ ଏଥିକୁ ନିଅଣ୍ଟ। ରାଜ୍ୟର ଜୀବନରେଖା କୁହାଯାଉଥିବା ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ବହୁ ବ୍ୟାରେଜ୍‌ ନିର୍ମାଣ କରିବା ପରେ ଓଡ଼ିଶାରେ ଏହାର ଜଳପ୍ରବାହ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି, ଯାହାର ପ୍ରଭାବ ଏଠାରେ ସ୍ପଷ୍ଟ ଦେଖିବାକୁ ମିଳିଲାଣି। କେବଳ ଜଳସେଚନ ପାଇଁ ନୁହେଁ; ପାନୀୟ ଜଳର ସଙ୍କଟ ମଧ୍ୟ ଦେଖାଦେଲାଣି। ପୂର୍ବାପେକ୍ଷା ଏବେ ବୃଷ୍ଟିପାତ ହ୍ରାସ ପାଉଛି ଏବଂ ଜଳସଂରକ୍ଷଣ ଯେପରି କରାଯିବା କଥା ତାହା ହେଉନାହିଁ। ଫଳରେ ରାଜ୍ୟରେ ଜଳଶୁଷ୍କ ଅଞ୍ଚଳ ସଂଖ୍ୟା କ୍ରମେ ବଢ଼ିବାରେ ଲାଗିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟର କୌଣସି ଅଞ୍ଚଳକୁ ଜଳଶୁଷ୍କ ଅଞ୍ଚଳ ଘୋଷଣା କରାଯାଇନଥିଲେ ହେଁ ବଲାଙ୍ଗିର, ଫୁଲବାଣୀ, ବୌଦ୍ଧ, ସମ୍ବଲପୁର, ଝାରସୁଗୁଡ଼ା, କୋରାପୁଟ, ସୁନ୍ଦରଗଡ଼, ଗଞ୍ଜାମ, ନୟାଗଡ଼, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଜିଲାରେ ସର୍ବାଧିକ ଜଳଶୁଷ୍କ ଅଞ୍ଚଳ ରହିଛି ବୋଲି ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ବିଧାନସଭାରେ କହିଛନ୍ତି। ମନ୍ତ୍ରୀଙ୍କ କହିବା ଅନୁଯାୟୀ ଏସବୁ ଜଳଶୁଷ୍କ ଚିହ୍ନିତ ଜିଲାଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ସରକାର ପାଇପ୍‌ ଜଳଯୋଗାଣ ପ୍ରକଳ୍ପଗୁଡ଼ିକର ଉନ୍ନତିକରଣ ସହ ପ୍ରତ୍ୟେକ ଘରକୁ ଟ୍ୟାପ୍‌ଯୋଗେ ପାଣି ଯୋଗାଇବା ପାଇଁ ପଦକ୍ଷେପ ନେଉଛନ୍ତି। ତେବେ ସରକାର ଏପରି ପ୍ରତିଶ୍ରୁତି ଦେବା କିଛି ନୂଆକଥା ନୁହେଁ। କେତେକ ଜାଗାରେ ହୁଏତ ଏହି ସମସ୍ୟାର ସମାଧାନ ହୋଇଯିବ, କିନ୍ତୁ ତାହା ଯଥେଷ୍ଟ ନୁହେଁ। ଗ୍ରାମାଞ୍ଚଳରେ ରହିଥିବା ଅଚଳ ଟ୍ୟୁବ୍‌ୱେଲ୍‌ଗୁଡ଼ିକ ମଧ୍ୟ ସଚଳ କରିଦେଲେ ଏ ସମସ୍ୟାର କିଛିଟା ସମାଧାନ ହୁଅନ୍ତା; କିନ୍ତୁ ତାହା ବି ଠିକ୍‌ଭାବେ ହେଉଥିବା ଦେଖାଯାଉନାହିଁ।
ସେହିପରି ରାଜ୍ୟର ଅଧିକାଂଶ ଅଞ୍ଚଳରେ ଟ୍ୟାପ୍‌ଯୋଗେ ପାନୀୟ ଜଳ ଯୋଜନା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ। ତେଣୁ ଲୋକେ ଏଥର ମଧ୍ୟ ପାନୀୟ ଜଳ ପାଇଁ ଡହଳବିକଳ ହେବା ନିଶ୍ଚିତ। ଦୁଃଖର କଥା ଯେ ସରକାର ଗ୍ରାମାଞ୍ଚଳରେ ମଧ୍ୟ ପାନୀୟ ଜଳ ସଙ୍କଟର ସମାଧାନ କରିପାରିନାହାନ୍ତି। ରାଜ୍ୟର ପ୍ରାୟ ୨୩,୧୯୨ଟି ଗ୍ରାମରେ ପାଇପ୍‌ ପାଣି ସଂଯୋଗ ନାହିଁ। ପଞ୍ଚଦଶ ଅର୍ଥ କମିସନଙ୍କ ତଥ୍ୟ ଅନୁଯାୟୀ ଓଡ଼ିଶାର ପ୍ରାୟ ୪୬ ଲକ୍ଷ ଲୋକ ବିଶୁଦ୍ଧ ପାନୀୟ ଜଳରୁ ସଂପୂର୍ଣ୍ଣ ବଞ୍ଚିତ ହୋଇଥାନ୍ତି, ବିଶେଷତଃ ଗ୍ରୀଷ୍ମଋତୁରେ। ସ୍ବୟଂ ରାଜ୍ୟ ସରକାରଙ୍କ ହିସାବ ଅନୁସାରେ ଏହି ସଂଖ୍ୟା ୭.୮ ଲକ୍ଷ। ଏହା ମଧ୍ୟ କମ୍‌ ନୁହେଁ। ଲକ୍ଷାଧିକ ଲୋକ ଯେତେବେଳେ ପାନୀୟ ଜଳ ଟିକିଏ ପାଇବାରୁ ବଞ୍ଚିତ ହେଉଛନ୍ତି, ଆମର ଜନସ୍ବାସ୍ଥ୍ୟ ବ୍ୟବସ୍ଥା ଠିକ୍‌ରୂପେ କାର୍ଯ୍ୟ କରୁଛି ବୋଲି କିପରି କହିପାରିବା। ସରକାର ଏଥିପ୍ରତି ଦୃଷ୍ଟି ଦେବା ସର୍ବାଦୌ ଆବଶ୍ୟକ। ଏବେ ବର୍ଷାଭାବ ଓ ଭୂତଳ ଜଳସ୍ତର ହ୍ରାସ ଯୋଗୁଁ ଗ୍ରାମାଞ୍ଚଳରେ ପୂର୍ବରୁ ଜଳ ଭରି ହୋଇରହୁଥିବା ବନ୍ଧ, କଟା, ପୋଖରୀ, ସାଗର ଆଦି ଜଳାଶୟମାନ ଏବେ ଶୁଖିଯାଉଛି; ଅନେକ ପରିତ୍ୟକ୍ତ ଅବସ୍ଥାରେ ମଧ୍ୟ ରହିଛି। ସେଗୁଡ଼ିକର ପୁନରୁଦ୍ଧାର କରାଗଲେ ଜଳସେଚନ ଓ ପାନୀୟ ଜଳ ସଙ୍କଟ ଉଭୟର ସମାଧାନ ସମ୍ଭବ ହୁଅନ୍ତା।

Comments
Loading...