ଗ୍ରୀଷ୍ମ ପ୍ରବାହ ଜାରି : ୧୩ ସ୍ଥାନରେ ପାରଦ ୪୦ ଉପରେ

ଭୁବନେଶ୍ୱର : ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅସହ୍ୟ ଗରମ ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ଥିବାବେଳେ ଉପକୂଳ ଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି।

ବୁଧବାର ରାଜ୍ୟର ୧୩ଟି  ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ଅଧିକ ରହିଛି। ଆଜି ତାଳଚେରର ସର୍ବୋଚ୍ଚ ଦିନ ତାପମାତ୍ରା ୪୪.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ବଲାଙ୍ଗୀର ତାପମାତ୍ରା ୪୪.୦ ଡିଗ୍ରୀ ସେଲସିୟସ ରହିଛି। ସମ୍ବଲପୁରର ତାପମାତ୍ରା ୪୩.୯, ଟିଟିଲାଗଡ଼ ଓ ଝାରସୁଗୁଡା  ୪୩.୬ ଓ ସୁବର୍ଣ୍ଣପୁରର ତାପମାତ୍ରା ୪୩.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ସେହିପରି ହୀରାକୁଦ, ଅନୁଗୋଳ, ସୁନ୍ଦରଗଡ଼, ଭବାନୀପାଟଣା, ଫୁଲବାଣୀ, ଚାନ୍ଦବାଲି  ଓ ମାଲକାନଗିରିର ତାପମାତ୍ରା ମଧ୍ୟ ୪୦ ଡିଗ୍ରୀ ସେଲସିୟସ ଠାରୁ ଅଧିକ ରହିଛି।

ଆସନ୍ତା ୨୪ଘଣ୍ଟା ମଧ୍ୟରେ ତାପମାତ୍ରା ଆହୁରି ବଢିବା ଇ ପାଣିପାଗ ବିଭାଗ ସୂଚନା ଦେଇଛି । ଆଗାମୀ ୩ ରୁ ୪ ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ । ତେବେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁରରେ ତାପମାତ୍ରା ବୃଦ୍ଧି ଯୋଗୁଁ ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ।

Comments are closed.