ଅସହ୍ୟ ଗରମ ଓ ଗୁଳୁଗୁଳି : ଟିଟିଲାଗଡ଼ ଉତ୍ତପ୍ତ ସହର

ଭୁବନେଶ୍ୱର : ଅସହ୍ୟ ଗରମ ଓ ଗୁଳୁଗୁଳି ସାରା ରାଜ୍ୟରେ ଜନ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି ।  ଗତ ଦୁଇରୁ ତିନି ଦିନ ହେବ ରଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଆକାଶରେ ବର୍ଷାର ଦେଖା ନଥିବା ବେଳେ ମୁଣ୍ଡ ଉପରେ ତାତି ବଢ଼ି ବଢ଼ି ଚାଲିଛି । ଏବେଠାରୁ ଅସହ୍ୟ ହେଲାଣି ରୌଦ୍ରତାପ । ଶନିବାର ଭଳି ରବିବାର ମଧ୍ୟ ବେଶ୍‌ କଷ୍ଟ ଦେଇଛି ମୁଣ୍ଡଫଟା ଖରା । ଗତକାଲି ତୁଳନାରେ ଆଜି ତାପମାତ୍ରାରେ ବୃଦ୍ଧି ଘଟିଛି। ଆଜି ଟିଟିଲାଗଡ଼ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଥିଲା। ଏଠାରେ ପାରଦ ୪୩.୫ ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚି ଥିଲା। ଆଜି ୧୧ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି।
ସେହିପରି ​​ ଦ୍ଵୈତନଗରୀ କଟକ-ଭୁବନେଶ୍ବରରେ ବି ନିସ୍ତାର ନାହିଁ। ଭୁବନେଶ୍ବରରେ ତାପମାତ୍ରା ୪୦.୨ ଡିଗ୍ରୀ ଥିବାବେଳେ କଟକରେ ୩୯.୪ ଡିଗ୍ରୀ ରେକର୍ଡ କରାଯାଇଛି । ତେବେ ପୁରୀ ଓ ପାରାଦ୍ବୀପରେ ତାପମାତ୍ରା ୩୨ ଡିଗ୍ରୀରୁ ସାମାନ୍ୟ ଅଧିକ ରହିଥିଲା। ଶନିବାର ୯ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚି ଥିବାବେଳେ ଆଜି ଆଉ ଦୁଇଟି ସହରରେ ପାରଦ ଏହି ସୂଚକାଙ୍କରେ ପହଞ୍ଚିଛି।
ଆଞ୍ଚଳିକ ଜଳବାୟୁ ବିଜ୍ଞାନ କେନ୍ଦ୍ର ପକ୍ଷରୁ ନିଜର ପୂର୍ବ ପୂର୍ବାନୁମାନକୁ ଦୋହରାଇ ତାତି ବଢ଼ିବ ବୋଲି କୁହାଯାଇଛି। ଉତ୍ତର ଏବଂ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡ଼ିଶାର କିଛି ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା
ରହିଛି। ଆସନ୍ତା ୨/୩ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନ ଥିଲେ ସୁଦ୍ଧା ଗରମରୁ ରକ୍ଷା ମିଳିବ ନାହିଁ।
ତାତି

Comments are closed.