୪୦ ଟପିଲା ଦ୍ଵୈତନଗରୀ ପାରଦ

ଶୁଖି ଚାଲିଛି ଜଳ ଉତ୍ସ, ଲାଗୁ ହେଉନି ଶ୍ରମ ବିଭାଗ କଟକଣା

ଭୁବନେଶ୍ବର :  ସପ୍ତାହେ ଧରି ସାରା ରାଜ୍ୟରେ ତାପମାତ୍ରା କ୍ରମାଗତ ଭାବେ ବଢ଼ି ଚାଲିଥିବାବେଳେ ସୋମବାର ଦ୍ଵୈତନଗରୀ ନଗରୀ ଭୁବନେଶ୍ବର ଓ କଟକର ତାପମାତ୍ରା ୪୦ଡିଗ୍ରୀ ଅତିକ୍ରମ କରିଛି। ଚଳିତ ବର୍ଷର ଏପର୍ଯ୍ୟନ୍ତ ଦ୍ଵୈତନଗରୀ ରେ ଏହା ସର୍ବାଧିକ ତାପମାତ୍ରା। ସୂଚନାଯୋଗ୍ୟ ଯେ ବିଗତ କିଛି ବର୍ଷ କ୍ରମାଗତ ଭାବେ ରାଜ୍ୟର ପଶ୍ଚିମାଞ୍ଚଳରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ବର ତାପମାତ୍ରା ମାର୍ଚ୍ଚ ପ୍ରଥମ ସପ୍ତାହରୁ ୪୦ ଉପରେ ରହୁଥିବାବେଳେ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଲକ୍ଷ୍ୟ କରାଯାଇଛି। ସହରରେ ଖରା ଓ ଗୁଳୁଗୁଳି ରହୁଥିଲେ ହେଁ କିଛିଦିନ ହେବ ପାରଦ ୪୦ଡିଗ୍ରୀ ତଳେ ରହୁଥିଲା।
ସୋମବାର ଭୁବନେଶ୍ବରରେ ପୂର୍ବାହ୍ନ ୯ଟାରୁ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଥିଲା। ଦିନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ଗରମ ପବନ ବହିବା ସହିତ ସ୍ବାଭାବିକ ଜୀବନଯାତ୍ରା ବ୍ୟାହତ ହୋଇଥିଲା। ଗରମ ସହିତ ଗୁଳୁଗୁଳି ଏବଂ ଖରାବେଳେ ସହରର ଅଧିକାଂଶ ସ୍ଥାନରେ ବିଦ୍ୟୁତ୍‌ କାଟ ପରିସ୍ଥିତିକୁ ଆହୁରି ସଙ୍ଗିନ କରିଥିଲା। କିଛିଦିନ ଧରି ଭୁବନେଶ୍ବରର ତାପମାତ୍ରା ଅଧିକ ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ରାଜଧାନୀରେ ଦିନକୁ ଦିନ କୋଠାବାଡ଼ି ସଂଖ୍ୟା ବଢିବା ସହିତ ଦଳର ଉତ୍ସ ଶୁଖିଯାଉଛି। ଅଧିକାଂଶ ସ୍ଥାନରେ ଭୂତଳ ଜଳ ବି ଖସିବାରେ ଲାଗିଛି। ସହର ଦୁଇ ପାର୍ଶ୍ବରେ ଥିବା ନଦୀରେ ପର୍ଯ୍ୟାପ୍ତ ପାଣି ସଂରକ୍ଷିତ ରଖିବାର କୌଣସି ବ୍ୟବସ୍ଥା ନାହିଁ। ନିର୍ମାଣ କାର୍ଯ୍ୟ ବଢ଼ି ଚାଲିିବା ସହିତ ଭୁବନେଶ୍ବରରେ ବର୍ଷକୁ ବର୍ଷ ବୃକ୍ଷରାଜି ଧ୍ବଂସ କରି ଦିଆଯାଉଛି। ଫଳରେ ପରିବେଶ ଉପରେ ଏହାର କୁପ୍ରଭାବ ପଡ଼ିବା ସହିତ କଂକ୍ରିଟ ସହରରେ ପାରଦ ମାତ୍ରାଧିକ ତେଜିବାରେ ଲାଗିଛି। ସହରବାସୀଙ୍କ ପାଇଁ ପୂର୍ବରୁ ଭୁବନେଶ୍ବର ମହାନଗର ନିଗମ ଏବଂ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଯେତେସଂଖ୍ୟାରେ ଜଳଛତ୍ର ଖୋଲେ ଏ ବର୍ଷ ହାତଗଣତି ସଂସ୍ଥାକୁ ଛାଡ଼ି ଦେଲେ ପ୍ରାୟ ଅଞ୍ଚଳରେ ଜଳଛତ୍ର ନାହିଁ। ସହରର ଅଧିକାଂଶ ଅଞ୍ଚଳ, ବସ୍ତି ଏବଂ ପ୍ରମୁଖ ଛକମାନଙ୍କରେ ଯାତ୍ରୀ ଗହଳି ଲକ୍ଷ୍ୟ କରାଯାଉଛି। ନା ସେଠାରେ ବିଶ୍ରାମସ୍ଥଳ ରହିଛି ନା ଜଳ ଯୋଗାଣ ବ୍ୟବସ୍ଥା। କେତେକ ସ୍ଥାନରେ ଜଳଯୋଗାଣ ପାଇଁ ବିଏମ୍‌ସି ପକ୍ଷରୁ ଥିବା ବ୍ୟବସ୍ଥା ଏବେ ଅଚଳ ହୋଇପଡ଼ିଲାଣି। ଦିନ ୧୧ଟାରୁ ଅପରାହ୍ଣ ୩ଟା ଭିତରେ ବସ୍‌ ଚଳାଚଳ ବନ୍ଦ ରଖିବା, ନିର୍ମାଣ ଶ୍ରମିକଙ୍କୁ ଶ୍ରମରେ ନିୟୋଜିିତ ନ କରିବା ପାଇଁ ଶ୍ରମ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଥିଲେ ହେଁ ସେସବୁ ପାଳନ କରାଯାଉନାହିଁ। ଭୁବନେଶ୍ବରରେ ତାପମାତ୍ରା ବଢ଼ିଚାଲିଥିବାରୁ ଏସବୁ ଦିଗ ପ୍ରତି ପ୍ରଶାସନ ଦୃଷ୍ଟି ନ ଦେଲେ ପରିସ୍ଥିତି ଜଟିଳ ରୂପ ନେବାର ଆଶଙ୍କା ରହିଛି।

Comments are closed.