ଗ୍ରୀଷ୍ମ ଲହରୀ ଜାରି : ୪୨ଂ ଉପରେ ୧୦ ସହର

ଭୁବନେଶ୍ୱର : ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅସହ୍ୟ ଗରମ ଓ ଗୁଳୁଗୁଳି ସାଧାରଣ ଜନ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି । ଗ୍ରୀଷ୍ମ ଲହରୀ ଓ ତଦ୍‌ଜନିତ ଯନ୍ତ୍ରଣା କମିବାର ନାଁ ଧରୁନାହିଁ । ସୋମବାର ପଶ୍ଚିମ ଓଡ଼ିଶା ସମେତ ୧୩ଟି ସ୍ଥାନରେ ତାପମାତ୍ରା ୪୦ଂ ଉପରେ ରହିଛି। ଆଜି ଝାରସୁଗୁଡ଼ାରେ ତାପମାତ୍ରା ୪୪.୬ଂ ଥିବାବେଳେ ଟିଟିଲାଗଡ଼ରେ ୪୪.୫ଂ, ଅନୁଗୋଳରେ ୪୩.୭ଂ, ତାଳଚେରରେ ୪୩.୬ଂ, ସୋନପୁରରେ ୪୩.୨ଂ, ସମ୍ବଲପୁରରେ ୪୩ଂ ରେକର୍ଡ କରାଯାଇଛି। ଆଜି ସମୁଦାୟ ୧୦ଟି ସହରରେ ତାତି ୪୨ଂ ଅତିକ୍ରମ କରିଛି।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ତାତିରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତାତି ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ୪୦ରୁ ୫୦ କିମି ରହିବାର ସମ୍ଭାବନା ଅଛି। ଆଜି ହୀରାକୁଦ, ଭବାନୀପାଟଣା, ବଲାଙ୍ଗିର ଓ ମାଲକାନଗିରିରେ ତାପମାତ୍ରା ୪୨ଂ ଅତିକ୍ରମ କରିଛି। ସେହିପରି କେନ୍ଦୁଝରଗଡ଼, ସୁନ୍ଦରଗଡ଼, ଚାନ୍ଦବାଲିରେ ପାରଦ ୪୦ଂ ଉପରେ ରହିଥିଲା। କଟକ ଓ ବାଲେଶ୍ବରରେ ଯଥାକ୍ରମେ ୩୯.୪ଂ ଓ ୩୯ଂ ଧରିଥିବା ବେଳେ ଭୁବନେଶ୍ବର, କୋରାପୁଟ ଏବଂ ଦାରିଙ୍ଗିବାଡ଼ିରେ ୩୮ଂ ରେକର୍ଡ କରାଯାଇଛି।

Comments are closed.