ବିହାର : ଅଂଶୁଘାତରେ ୪୩ ଜଣଙ୍କର ମୃତ୍ୟୁ

ପାଟନା : ବିହାରରେ ଗତ ୨୪ ଘଣ୍ଟା ମଧ୍ୟରେ ଅଂଶୁଘାତରେ ୪୩ ଜଣଙ୍କର ମୃତ୍ୟୁ ଘଟିଛି । ଔରଙ୍ଗାବାଦରେ ସର୍ବାଧିକ ୩୦ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଗୟାରେ ୭ଜଣ ଏବଂ ନୱାଡାରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ୭୦ରୁ ଅଧିକ ଲୋକ ବିଭିନ୍ନ ଠାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଔରଙ୍ଗାବାଦ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୁରେନ୍ଦ୍ର କୁମାର ସିଂହ କହିଛନ୍ତି ମୁଣ୍ଡବିନ୍ଧା, ଡିହାଇଡ୍ରେସନ ଏବଂ ପ୍ରବଳ ମୁଣ୍ଡ ବୁଲାଇବା ଆଦିରେ ଆକ୍ରାନ୍ତ ହୋଇ ୩୦ରୁ ଅଧିକ ଲୋକ ଚିକିତ୍ସିତ ହେଉଛନ୍ତି।
ରାଜ୍ୟର ବିଭିନ୍ନ ଭାଗରେ ଗତ ୩ଦିନ ଧରି ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଫଳରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ଗତକାଲି ପାଟନା, ଗୟା, ଔରଙ୍ଗାବାଦ, ନୱାଡା ଏବଂ ଡେହେରୀରେ ତାପମାତ୍ରା ୪୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଆସନ୍ତା ୨ଦିନ ଯାଏ ସ୍ଥିତି ଅପରିବର୍ତ୍ତିତ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.