ତତଲାଗଡ଼ରେ ରଡ଼ି ଛାଡ଼ୁଛି ତାତି

ଟିଟିଲାଗଡ଼: ଶ୍ରାବଣ ମାସ ଚାଲିଛି। ହେଲେ ଟିଟିଲାଗଡ଼ରେ ଗତ ଗ୍ରୀଷ୍ମ ଋତୁରେ ଜ୍ୟେଷ୍ଠ ମାସର ଖରାର ଅନୁଭୂତି ଲୋକଙ୍କ ସ୍ମୃତିକୁ ପୁଣି ଥରେ ଫେରିଛି। ଗତ ୧୫ ଦିନ ହେଲା ଟିଟିଲାଗଡରେ ତାପମାତ୍ରା ୩୩ରୁ ୩୭ ଡିଗ୍ରୀ ପର୍ୟ୍ୟନ୍ତ ରହି ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି କରିଛି। ଗ୍ରୀଷ୍ମ ଋତୁରେ ଟିଟିଲାଗଡରେ ତାପମାତ୍ରା ହାରାହାରି ୪୦ ଡିଗ୍ରୀ ରହୁଥିବା ବେଳେ ବର୍ଷା ଋତୁରେ ୩୭ ଡିଗ୍ରୀକୁ ଛୁଇଁସାରିଥିବା ନେଇ ଅଜଣା ଆତକଙ୍କ ସୃଷ୍ଟି କରିଛି। ମୁଣ୍ଡ ଫଟା ଟାଣ ଖରା ଗ୍ରୀଷ୍ମ ଋତୁ ପରି ଲୋକଙ୍କୁ କଳବଳ କରିଛି। ସୁଂଚି ଫୋଡିବା ପରି ପ୍ରତ୍ୟେୟ ହେଉଛି। ବର୍ଷା ଋତୁ ଆଗମନ ନେଇ ଲୋକେ ଘର କୋଣକୁ ଠେଲି ଦେଇଥିବା କୁଲର ତଥା ଏସି ପୁଣି ଚାଲୁ କଲେଣି। ଅଣଜଳସେଚିତ ଟିଟିଲାଗଡ ଅଂଚଳରେ ବର୍ଷାଭାବ ନେଇ ଆଖପାଖ ଗ୍ରାମାଂଚଳର କ୍ଷେତବାଡି ଶୁଷ୍କ ହୋଇପଡିଛି।

ଚାଷ ଜମି ଗୁଡିକରେ ଆଦୌ ପାଣି ନାହିଁ। ଫଳରେ ତାପମାତ୍ରା ଅସ୍ୱାଭାବିକ ଭାବରେ ବୃଦ୍ଧି ପାଉଥିବା ପରିବେଶବିତ ଟିକେଲାଲ ବେହେରା ମତପ୍ରକାଶ କରିଛନ୍ତି। ତେବେ ଗ୍ରୀଷ୍ମ ଋତୁରେ ଅଚାନକ କାଳବୈଶାଖୀ ନେଇ ବର୍ଷାପବନ ଆସିବା ଯୋଗୁଁ ଲୋକେ କିଛିଟା ଆଶ୍ୱସ୍ତି ପାଉଥିଲେ। ହେଲେ ସମ୍ପ୍ରତି ଶ୍ରାବଣରେ ମୌସୁମୀ ବର୍ଷା, ଲଘୁଚାପ ସହ କାଳବୈଶାଖୀର ମଧ୍ୟ ଦେଖା ଦର୍ଶନ ନାହିଁ। ଆକାଶ ପ୍ରାୟତଃ ସମ୍ପୁର୍ଣ୍ଣ ମେଘ ମୁକ୍ତ ରହୁଥିବା ବେଳେ କେତେ ବେଳେ ଧଲା ମେଘର ଲୁଚକାଳି ଖେଳ ଲୋକଙ୍କ ମନ ବିଷାଦରେ ଭରି ଦେଇଛି। ରାତିରେ ସଫା ଆକାଶରେ ତାରା ଚାଷୀଙ୍କ ମାନସିକ ଅବସ୍ଥାକୁ ଦୋହଲାଇ ଦେଇଛି। ଗୋଟିଏ ପଟରେ କରୋନା ମହାମାରି ଆତଙ୍କ ସୃଷ୍ଟି ସହ ବିଭିନ୍ନ ବର୍ଗର ଜୀବିକା ଛଡାଇନେଇଥିବା ବେଳେ ଚାଷୀଙ୍କ ଖରିଫ ଋତୁରେ ଏଭଳି ଦଶା ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

Comments are closed.