ଗବେଷଣାରେ ଦାବି: ହୃଦଘାତ ଆଶଙ୍କା ହ୍ରାସ କରିବାକୁ ହେଲେ ରାତି ୧୦ରୁ ୧୧ଟା ମଧ୍ୟରେ ଶୁଅନ୍ତୁ

ହୃଦଘାତ ଆଶଙ୍କା ହ୍ରାସ କରିବା ପାଇଁ ରାତିରେ ୧୦ରୁ ୧୧ଟା ମଧ୍ୟରେ ଶୋଇବା ଆବଶ୍ୟକ । ବୈଜ୍ଞାନିକଙ୍କ ମତରେ, ଏହା ହେଉଛି ଶୋଇବାର ଉପଯୁକ୍ତ ସମୟ। ସେମାନଙ୍କ କହିବାନୁସାରେ, ମଣିଷର ଶୋଇବା ସମୟ ଓ ହୃଦୟ ରୋଗ ମଧ୍ୟରେ ଏକ ସମ୍ପର୍କ ରହିଛି । ଇଂଲଣ୍ଡର ଏକ୍ସେଟର ବିଶ୍ୱବିଦ୍ୟାଳୟର ଗବେଷକମାନେ ନିକଟରେ କରିଥିବା ଏକ ଗବେଷଣାରେ ଏହି ଦାବି କରିଛନ୍ତି । ଗବେଷକଙ୍କ କହିବାନୁଯାୟୀ, ଯଦି ଆପଣ ରାତି ଅଧରେ କିମ୍ବା ବହୁତ ବିଳମ୍ବରେ ଶୋଇବାକୁ ଯାଆନ୍ତି, ତେବେ ଏହାଦ୍ୱାରା ହୃଦୟର କ୍ଷତି ହୋଇପାରେ ।

ନିଦ ଓ ହୃଦୟ ରୋଗ ମଧ୍ୟରେ ରହିଛି ଏପରି ସମ୍ପର୍କ:-

ଗବେଷକଙ୍କ କହିବା ଅନୁସାରେ, ମଣିଷର ନିଦ ଓ ହୃଦୟ ରୋଗ ମଧ୍ୟରେ ଏକ ସମ୍ପର୍କ ରହିଛି । ଯେଉଁମାନେ ରାତିରେ ବିଳମ୍ବରେ ଶୁଅନ୍ତି ସେମାନେ ସକାଳେ ବିଳମ୍ବରେ ଉଠନ୍ତି । ଏହାଦ୍ୱାରା ସେମାନଙ୍କ ଜୀବନ ଚକ୍ର ପ୍ରଭାବିତ ହୋଇଥାଏ । ହୃଦୟ ଉପରେ ଏହାର ବିଶେଷ ପ୍ରଭାବ ପଡ଼ିଥାଏ । ତେଣୁ ରାତିରେ ଶୀଘ୍ର ଶୋଇ ହୃଦୟ ରୋଗ ଆଶଙ୍କା କମ୍‍ କରିପାରିବେ ।

୪୩ରୁ ୭୩ ବର୍ଷର ୮୮ ହଜାର ବ୍ରିଟିଶ ବୟସ୍କଙ୍କ ଉପରେ ଏହି ଗବେଷଣା କରାଯାଇଥିଲା । ଗବେଷଣାର ଫଳାଫଳ କହେ ଯେ, ଯେଉଁ ଲୋକମାନେ ପ୍ରତ୍ୟହ ରାତି ୧୦ରୁ ୧୧ଟା ମଧ୍ୟରେ ଶୋଇବା ଆରମ୍ଭ କରିଥିଲେ, ସେମାନଙ୍କଠାରେ ହୃଦୟ ରୋଗର ମାତ୍ରା କମ୍‍ ଥିଲା । ଅପରପକ୍ଷରେ ଯେଉଁମାନେ ମଧ୍ୟରାତ୍ରୀ ପରେ ଶୋଇଥାଆନ୍ତି, ସେମାନଙ୍କଠାରେ ଏହି ବିପଦ ୨୫ ପ୍ରତିଶତ ଅଧିକ ରହିଛି ।

 

Comments are closed.