ନକ୍ସଲ ଆକ୍ରମଣ ଅପେକ୍ଷା ହୃଦ୍‍ଘାତ, ଆତ୍ମହତ୍ୟାରେ ପ୍ରାଣ ହରାଇଛନ୍ତି ୧୫ଗୁଣା ଅଧିକ ସିଆରପିଏଫ୍‍ ଯବାନ

0

ନୂଆଦିଲ୍ଲୀ : ନକ୍ସଲ ଆକ୍ରମଣ ଅପେକ୍ଷା ହୃଦ୍‍ଘାତ, ଆତ୍ମହତ୍ୟା ଓ ଅନ୍ୟାନ୍ୟ କାରଣରୁ ଅଧିକ ସଂଖ୍ୟକ ସିଆରପିଏଫ ଯବାନ ପ୍ରାଣ ହରାଉଛନ୍ତି। ଏପରି କି ବିଗତ ୨ବର୍ଷ ମଧ୍ୟରେ ଯେତିକି ପରିମାଣର ସିଆରପିଏଫ ଯବାନ ନକ୍ସଲ ଆକ୍ରମଣରେ ପ୍ରାଣ ହରାଇଛନ୍ତି ତାର ୧୫ଗୁଣ ଅଧିକ ଯବାନ ଅନ୍ୟାନ୍ୟ କାରଣରୁ ପ୍ରାଣ ହରାଇଛନ୍ତି। ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ହଂସରାଜ ଅହିର ଲୋକସଭାକୁ ଦେଇଥିବା ଲିଖିତ ଉତ୍ତରରେ ଦର୍ଶାଇଛନ୍ତି ଯେ ୨୦୧୬ରୁ ୨୦୧୮ ଜୁଲାଇ ମଧ୍ୟରେ ମୋଟ ୧୨୯୪ ସିଆରପିଏଫ୍‍ ଯବାନଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରୁ ୮୫ ଜଣ ନକ୍ସଲ ଆକ୍ରମଣରେ ସହିଦ ହୋଇଛନ୍ତି। ବିହାର, ଛତିଶଗଡ, ଝାଡଖଣ୍ଡ, ମହାରାଷ୍ଟ୍ର ଓ ଓଡିଶାରେ ନକ୍ସଲ ବିରୋଧୀ ଅଭିଯାନରେ ଏମାନେ ସହିଦ ହୋଇଛନ୍ତି। ଅବଶିଷ୍ଟ ହୃଦ୍‍ଘାତ, ଆତ୍ମହତ୍ୟା, ଡେଙ୍ଗୁ, ମେଲେରିଆ ଆଦି ବିଭିନ୍ନ କାରଣରୁ ପ୍ରାଣ ହରାଇଛନ୍ତି। ତଥ୍ୟ ଅନୁଯାୟୀ ଗତବର୍ଷ ୧୫୬ଜଣ ସିଆରପିଏଫ୍‍ ଯବାନ ହୃଦ୍‍ଘାତରେ ପ୍ରାଣ ହରାଇଥିଲେ। ୩୮ଜଣ ଆତ୍ମହତ୍ୟା କରିଥିବାବେଳେ ୪୩୫ଜଣ ନନ୍‍ ଅପରେସନାଲ ରିଜନ୍‍ରୁ ପ୍ରାଣ ହରାଇଛନ୍ତି। ଚଳିତବର୍ଷ ଜୁଲାଇ ସୁଦ୍ଧା ୩୯ଜଣ ଯବାନ ହୃଦ୍‍ଘାତରେ ପ୍ରାଣ ହରାଇଥିବାବେଳେ ୧୯ଜଣ ଆତ୍ମହତ୍ୟା କରିଛନ୍ତି। ୧୨୪ଜଣ ଅନ୍ୟାନ୍ୟ କାରଣରୁ ପ୍ରାଣ ହରାଇଛନ୍ତି।

Comments
Loading...