ଅବିବାହିତା ଓ ବିଧବାଙ୍କ ଗର୍ଭପାତ ଅଧିକାର ଉପରେ ଶୁଣାଣି ଆଜି

ନୂଆଦିଲ୍ଲୀ : ଅବିବାହିତା ଯୁବତୀ ଏବଂ ବିଧବାଙ୍କ ଗର୍ଭପାତ ଅଧିକାର ନେଇ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହେବ। ମୁଖ୍ୟ ବିଚାରପତି ରାଜେନ୍ଦ୍ର ମେନନ, ଜଷ୍ଟିସ୍‍ ବ୍ରିଜେଶ ସେଠୀଙ୍କ ପୀଠ ଏହି ମାମଲାର ଶୁଣାଣି କରିବେ।
ଅବିବାହିତା ଯୁବତୀ ଏବଂ ବିଧବାଙ୍କୁ ଆଇନଗତ ଗର୍ଭପାତ ଅନୁମତି ଏବଂ ଜରୁରୀ କାଳୀନ ଅବସ୍ଥାରେ ଗର୍ଭପାତ ସୀମାକୁ ୨୦ରୁ ୨୪ ବା ୨୬ ସପ୍ତାହ ବୃଦ୍ଧି କରିବା ଦାବି ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ୍ୟ ମାମଲା ଦାୟର ହୋଇଛି। ବର୍ତ୍ତମାନର ଆଇନ ଅନୁସାରେ ୨୦ ସପ୍ତାହରୁ ଅଧିକ ଭ୍ରୂଣର ଗର୍ଭପାତ କରାଇ ହେବ ନାହିଁ। ଅଧିବକ୍ତା ଅମିତ ସାହାଣି ଜନସ୍ୱାର୍ଥ୍ୟ ଆବେଦନରେ ମେଡିକାଲ ଟର୍ମିନେଶନ ଅଫ ପ୍ରେଗନେସି ଆଇନ ୧୯୭୧ରେ କେବେ ସଂଶୋଧନ କରାଯିବ ତାର ଜବାବ ସ୍ୱାସ୍ଥ୍ୟ ଓ ଆଇନ ମନ୍ତ୍ରାଳୟକୁ ମାଗିବାକୁ କହିଛନ୍ତି। ୨୦୧୪ରେ ଏହି ଆଇନରେ ସଂଶୋଧନ କରିବାକୁ ପ୍ରସ୍ତାବ ପାରିତ ହୋଇଥିଲା।
ବର୍ତ୍ତମାନର ଆଇନ କେବଳ ବଳାତ୍କାର, ଅକାମୀ ଗର୍ଭ ନିରୋଧକରୁ ଗର୍ଭଧାରଣ ମାମଲାରେ ଗର୍ଭପାତର ଅନୁମତି ଦେଇଥାଏ। ତେବେ ଅବିବାହିତ ଯୁବତୀ ଏବଂ ବିଧବାଙ୍କ ଗର୍ଭପାତ ଅଧିକାର ନେଇ ଏହା ସମ୍ପୂର୍ଣ୍ଣ ନିରବ ରହିଛି। ତେଣୁ ଅବିବାହିତା ଯୁବତୀ ଏବଂ ବିଧବାଙ୍କୁ ଗର୍ଭପାତର ଅଧିକାର ଦେବା ପାଇଁ ଏହି ଜନସ୍ୱାର୍ଥ୍ୟ ମାମଲା କରାଯାଇଛି।

Comments are closed.