ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ଆରଟିଆଇ ପରିସରଭୁକ୍ତ ପ୍ରସଙ୍ଗ : ଆଜି ସାମ୍ବିଧାନିକ ପୀଠର ରାୟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ସୂଚନା ଅଧିକାର (ଆରଟିଆଇ) ଆଇନ ପରିସରଭୁକ୍ତ ହେବ କି ନାହିଁ ସେ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ପୀଠ ବୁଧବାର ରାୟ ପ୍ରକାଶ କରିବେ। ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ନେତୃତ୍ବରେ ୫ଜଣିଆ ବିଚାରପତିଙ୍କ ସାମ୍ବିଧାନିକ ପୀଠ ବୁଧବାର ଅପରାହ୍ଣ ୨ଟାରେ ରାୟ ପ୍ରକାଶ କରିବେ। ପୀଠରେ ଥିବା ଅନ୍ୟ ବିଚାରପତିମାନେ ହେଲେ ଜଷ୍ଟିସ ଏନଭି ରମଣା, ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଦୀପକ ଗୁପ୍ତା ଓ ଜଷ୍ଟିସ ସଞ୍ଜୀବ ଖାନ୍ନା। ୨୦୧୦ରେ ସୁପ୍ରିମକୋର୍ଟ ସେକ୍ରେଟାରୀ ଜେନେରାଲ ଓ ସୁପ୍ରିମକୋର୍ଟ କେନ୍ଦ୍ରୀୟ ଲୋକ ସମ୍ପର୍କ ଅଧିକାରୀ ଦିଲ୍ଲୀ ହାଇକୋର୍ଟ ଓ କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି)ଙ୍କ ନିର୍ଦେଶକୁ ଚାଲେଞ୍ଜ କରି ପିଟିସନ ଦାୟର କରିଥିଲେ। ଗତ ଏପ୍ରିଲ ୪ ତାରିଖରେ ଏହି ପୀଠ ଉକ୍ତ ଅାବେଦନର ବିଚାର କରି ରାୟ ସଂରକ୍ଷଣ ରଖିଥିଲେ।
୨୦୧୦ ଜାନୁଆରୀ ୧୦ ତାରିଖରେ ଦିଲ୍ଲୀ ହାଇକୋର୍ଟ ଏକ ଐତିହାସିକ ରାୟରେ କହିଥିଲେ ଯେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ସୂଚନା ଅଧିକାର ଆଇନ ପରିସରଭୁକ୍ତ। ହାଇକୋର୍ଟ କହିଥିଲେ ଯେ ନ୍ୟାୟପାଳିକାର ସ୍ବାଧୀନତା ବିଚାରପତିଙ୍କ ସ୍ବାଧୀକାରକୁ ବୁଝାଯାଏ ନାହିଁ; ବରଂ ବିଚାରପତିଙ୍କ ଉପରେ ଦାୟିତ୍ବ ନ୍ୟସ୍ତ କରାଯାଇଛି। ହାଇକୋର୍ଟର ମୁଖ୍ୟ ବିଚାରପତି ଏପି ଶାହା (ଅବସରପ୍ରାପ୍ତ), ଜଷ୍ଟିସ ବିକ୍ରମଜିତ୍ ସେନ ଓ ଜଷ୍ଟିସ ଏସ୍‌ ମୁରଲୀଧରଙ୍କୁ ନେଇ ଗଠିତ ପୀଠ ଏହି ରାୟ ଦେଇଥିଲେ। ରାୟକୁ ବିରୋଧ କରି ସୁପ୍ରିମକୋର୍ଟ ପିଟିସନ ଦାୟର କରିଥିବାବେଳେ ହାଇକୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ; ଫଳରେ ସୁପ୍ରିମକୋର୍ଟଙ୍କ ଉକ୍ତ ଅଧିକାରୀ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ଅଧିକାରୀ ସେମାନଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟକୁ ଆରଟିଆଇ ପରିସରଭୁକ୍ତ କରିବା ଦ୍ବାରା ନ୍ୟାୟପାଳିକାର ସ୍ବାଧୀନତା କ୍ଷୁଣ୍ଣ ହେବ। ନ୍ୟାୟପାଳିକାରେ ସ୍ବଚ୍ଛତା ଆଣିବା ଲାଗି ସୂଚନା ଅଧିକାରୀ କର୍ମୀ ଏସସି ଅଗ୍ରୱାଲ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟକୁ ଆରଟିଆଇ ପରିସରଭୁକ୍ତ କରିବା ଲାଗି ପିଟିସନ ଦାୟର କରିଥିଲେ। ଅଗ୍ରୱାଲଙ୍କ ଓକିଲ ପ୍ରଶାନ୍ତ ଭୂଷଣ କହିଥିଲେ ଯେ ବିଚାରପତିମାନେ ଆରଟିଆଇ ପରିସରଭୁକ୍ତ ହେବାକୁ ଅନିଚ୍ଛା ପ୍ରକାଶ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ; କାରଣ ବିଚାରପତିମାନେ ଭିନ୍ନ କୌଣସି ପୃଥିବୀରେ ବାସ କରୁନାହାନ୍ତି। ନ୍ୟାୟପାଳିକାର ସ୍ବାଧୀନତାକୁ ବଜାୟ ରଖିବା ନାମରେ ସୁପ୍ରିମକୋର୍ଟ ନ୍ୟାସନାଲ ଜୁଡିସିଆଲ ଆକାଣ୍ଟାବିଲିଟି କମିସନ ଆକ୍ଟକୁ ଅଚଳ କରିଦେଲେ। ଏ ସବୁ ସତ୍ତ୍ବେ ନ୍ୟାୟପାଳିକା ସାଧାରଣ ଜନତାଙ୍କ ଦୃଷ୍ଟିରୁ ଊର୍ଦ୍ଦ୍ବରେ ନୁହେଁ।

Comments are closed.