ସୁସ୍ଥ ପୃଥିବୀର ପରିକଳ୍ପନା : ଏମ୍‌.ଭେଙ୍କୟା ନାଇଡ଼ୁ

ଚଳିତ ବର୍ଷର ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଏଭଳି ଏକ ସମୟରେ ଆସିଛି, ଯେତେବେଳେ ହଜାରହଜାର ବିଶ୍ୱବାସୀଙ୍କ ପ୍ରାଣ ନେଇସାରିଥିବା କୋଭିଡ୍ -୧୯ ବିରୋଧରେ ଆମେ ଏକ ଅଭୂତପୂର୍ବ ସଂଗ୍ରାମରେ ଲିପ୍ତ ରହିଛୁ। ଏହି ଅବସର ସମଗ୍ର ମାନବସମାଜକୁ ପୁଣି ଥରେ ମନେ ପକାଇ ଦେଇଛି ଯେ ଆମ ନିଜ ପାଇଁ ମୌଳିକ ସ୍ୱାସ୍ଥ୍ୟ ସୁରକ୍ଷା ନିୟମ ପାଳନ କରିବା ସଙ୍ଗେସଙ୍ଗେ ଏକ ସୁସ୍ଥ ଜୀବଜଗତର ଦୀର୍ଘସ୍ଥାୟିତ୍ୱ ପାଇଁ ପ୍ରକୃତି ଓ ତାହାର ଜୈବ ପରିବେଶ ଯେପରି ନଷ୍ଟ ନ ହୁଏ ସେଥିପ୍ରତି ଯତ୍ନବାନ ହେବା ବିଧେୟ। କାରଣ ଜୀବଜଗତର ଅନ୍ୟ ଜୀବମାନଙ୍କର ସହାବସ୍ଥାନକୁ ନଷ୍ଟ କରିବା ପାଇଁ ମଣିଷର ଦୁର୍ବାର ଆଶା ହିଁ ଏଭଳି ମହାବିପତ୍ତିର କାରଣ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। କୋଭିଡ୍-୧୯ ସଂକ୍ରମିତଙ୍କ ଚିକିତ୍ସାରେ ସମର୍ପିତ ତଥା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତ ପେସାଦାର, ବିଶେଷକରି ନର୍ସମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଚିନ୍ତା କରିବାର ମଧ୍ୟ ଏହା ଏକ ମହାର୍ଘ ମୁହୂର୍ତ୍ତ।

କୋଭିଡ୍-୧୯ ସଂକ୍ରମିତଙ୍କୁ ବଞ୍ଚାଇବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଅବିଶ୍ରାନ୍ତ ଉଦ୍ୟମ ଜାରି ରଖିଛନ୍ତି। ଔଷଧ ଓ ପ୍ରତିଷେଧକ ଟିକା ଉତ୍ପାଦନ ପାଇଁ ଦିନରାତି ଗବେଷଣା ଚାଲିଛି। ଚିକିତ୍ସା ବିଜ୍ଞାନର ପ୍ରଭୂତ ଉନ୍ନତି ସତ୍ତ୍ୱେ ମଣିଷ କେତେ ଅସହାୟ, ତାହା ଏକ କ୍ଷୁଦ୍ରାତିକ୍ଷୁଦ୍ର ଅଣୁଜୀବ ଚେତାଇ ଦେଇଛି। ଜାତି-ଧର୍ମ-ବର୍ଗ-ସମ୍ପ୍ରଦାୟ ନିର୍ବିଶେଷରେ କୋଭିଡ୍-୧୯ ସମଗ୍ର ବିଶ୍ୱକୁ ଆକ୍ରମଣ କରିଚାଲିଛି। ଏହି ଆକ୍ରମଣରୁ ବର୍ତ୍ତିବା ପାଇଁ ଗୋଟିଏ ପରେ ଗୋଟିଏ ଦେଶ ଲକ୍ ଡାଉନ୍ ଘୋଷଣା କରୁଛନ୍ତି ଏବଂ ସେମାନଙ୍କର ସୀମାକୁ ବନ୍ଦ କରିବାରେ ଲାଗିଛନ୍ତି।

ଏବେ ମାନବ ସମାଜ ପାଇଁ ପରୀକ୍ଷା ଆତ୍ମଚିନ୍ତନର ବେଳ। ଏହି ସଙ୍କଟରୁ ଉଦ୍ଧାର ପାଇବା ପରେ ଅର୍ଥନୈତିକ ମାନ୍ଦାବସ୍ଥା ଓ ସାଧାରଣ ଜନଜୀବନରେ ସୃଷ୍ଟ ସମସ୍ୟା ସମାଧାନ ଦିଗରେ ଚିନ୍ତା କରିବାବେଳେ ଏହା ମଧ୍ୟ ଅନୁଶୀଳନ କରିବା ଆବଶ୍ୟକ ଯେ ଏଭଳି ଏକ ଆକସ୍ମିକ ବିପତ୍ତିର ମୁକାବିଲା ପାଇଁ ଆମେ କେତେ ସକ୍ଷମ? ଏହି ପରିପ୍ରେକ୍ଷୀରେ ଆମର ବିକାଶ ମଡେଲ୍, ଜୈବ ପରିବେଶର ସନ୍ତୁଳନ ଏବଂ ଉତ୍ପାଦନ-ଉପଭୋଗ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠୁଛି।

ଜୈବ ସନ୍ତୁଳନର ଅବକ୍ଷୟର ଧାରା ଆରମ୍ଭ ହୋଇସାରିଛି। ଏହି ଧାରାକୁ କେବଳ ଭାରତୀୟ ସଂସ୍କୃତି ଓ ଦର୍ଶନ ହିଁ ସୁରକ୍ଷା ଦେଇପାରିବ। ପ୍ରାୟ ୨ ହଜାର ବର୍ଷ ପୂର୍ବେ ଭାରତର ମୁନିଋଷିମାନେ ଜୀବଜଗତର ସମସ୍ତଙ୍କୁ ସମାନ ସମ୍ମାନ ଓ ବଞ୍ଚିବାର ଅଧିକାର ପ୍ରଦାନ ପାଇଁ ଯେଉଁ ବିଶ୍ୱମନ୍ତ୍ର ଦେଇ ଯାଇଥିଲେ ତାହାର ପ୍ରାସଙ୍ଗିକତା ଏବେ ଉପଲବ୍ଧି କରିବାର ବେଳ ଆସିଛି। ପ୍ରକୃତିର ପୂଜା ଓ ତା’ର ସୁରକ୍ଷା ସହିତ ଜୀବଜଗତର ସୁସଙ୍ଗତ ସହାବସ୍ଥାନ ପ୍ରତି ସର୍ବାଦୌ ଧ୍ୟାନ ଦେବା ପ୍ରାଚୀନ ଭାରତର ମହାନ ଆଦର୍ଶ। ଋଗ୍‌ବେଦରେ ଏହା ସୂଚିତ ହୋଇଛି। ପ୍ରକୃତିକୁ ନେଇ ପ୍ରାଚୀନ ଭାରତର ମୁନିଋଷିମାନଙ୍କର ଏହି ମହାନ ଦର୍ଶନ ଓ ଦୃଷ୍ଟିଭଙ୍ଗୀକୁ ଜାତିର ପିତା ମହାତ୍ମା ଗାନ୍ଧୀ ମଧ୍ୟ ସମ୍ମାନ ଜଣାଇଛନ୍ତି।

ଋଗ୍‌ବେଦରେ ସ୍ରଷ୍ଟାଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରାଯାଇଛି ଯେ ମେଘ ସଜଳ ବୃଷ୍ଟିପାତ କରନ୍ତୁ, ଔଷଧୀୟ ବୃକ୍ଷଲତା ବୃଦ୍ଧି ହୁଅନ୍ତୁ, ଯାହାଫଳରେ ମାନବସମାଜ ସମେତ ସମସ୍ତ ପ୍ରାଣୀ ନିରୋଗ ଜୀବନଯାପନ କରିପାରିବେ। ପୃଥିବୀ, ବାୟୁ, ଆକାଶ, ବନସ୍ପତି ଏବଂ ସମଗ୍ର ଜୀବଜଗତର ମଙ୍ଗଳ ଓ କଲ୍ୟାଣ ହେଉ।

ପୃଥିବୀ ପୃଷ୍ଠରେ ମଣିଷ ଓ ଜୀବଜଗତ ଭିତରେ ସୁସଙ୍ଗତ ସନ୍ତୁଳନ ରକ୍ଷା କରିବାକୁ ହେଲେ ପ୍ରକୃତିର ସୁରକ୍ଷା ତିତାନ୍ତ ଅପରିହାର୍ଯ୍ୟ। ଏହି ସଂଗ୍ରାମରେ ଭାରତ ସମେତ ସମଗ୍ର ମାନବସମାଜ ନିଜକୁ ସାମିଲ୍ କରିବା ଆବଶ୍ୟକ। ଆମେ ପ୍ରଶ୍ୱାସରେ ନେଇଥିବା ବାୟୁ ଓ ପିଉଥିବା ପାଣି ନିର୍ମଳ ରଖିବା, ମୃତ୍ତିକା ଅବକ୍ଷୟକୁ ରୋକିବା, ବୃକ୍ଷଲତା ସମେତ ପ୍ରାକୃତିକ ସମ୍ପଦକୁ ସୁରକ୍ଷା ଦେବା ଆମର କର୍ତ୍ତବ୍ୟ।
ଲକ୍‌ଡାଉନ୍ ଯୋଗୁଁ ଗତ କିଛିଦିନରେ ବାୟୁ ପ୍ରଦୂଷଣ ମାତ୍ରା ଉଲ୍ଲେଖନୀୟ ଭାବେ ହ୍ରାସ ପାଇବା ଏବଂ ବନ୍ୟଜନ୍ତୁମାନଙ୍କର ଅବାଧ ବିଚରଣ ଏହା ସୂଚାଉଛି ଯେ ପ୍ରକୃତିର ସନ୍ତୁଳନ ନଷ୍ଟଭ୍ରଷ୍ଟ କରିବା ଓ ତଜ୍ଜନିତ ପରିଣାମ ପାଇଁ ମଣିଷ ହିଁ ଦାୟୀ। ମଣିଷକୁ ଏହି ପ୍ରକୃତି କୋଳରେ ହିଁ ରହିବାର ଅଛି, ତାହା ହୃଦ୍‌ବୋଧ କରିବାର ଅବସର ପୁଣି ଥରେ ଆସିଛି।

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଭାରତର ସ୍ୱାସ୍ଥ୍ୟ ସେବାକୁ ସମୀକ୍ଷା କଲେ ଏକ ମିଶ୍ର-ସନ୍ଦେଶ ମିଳୁଛି। ସ୍ୱାଧୀନତା ପରବର୍ତ୍ତୀ ସମୟରେ ଭାରତର ବିଭିନ୍ନ ସ୍ୱାସ୍ଥ୍ୟ ସୂଚକାଙ୍କରେ ଉଲ୍ଲେଖନୀୟ ଉନ୍ନତି ଘଟିଛି। ମିଳିମିଳା, ବସନ୍ତ, ହାଡ଼ଫୁଟି, ପୋଲିଓ ଆଦି ରୋଗକୁ ସମୂଳ ବିନାଶ କରିବାରେ ଭାରତ ସଫଳତା ହାସଲ କରିଛି। ୧୯୯୦ରୁ ୨୦୧୬ ମଧ୍ୟରେ ଭାରତୀୟଙ୍କ ହାରାହାରି ଆୟୁ ୬୯ ବର୍ଷକୁ ବୃଦ୍ଧି ପାଇଥିବାବେଳେ ଜନନୀ ଓ ଶିଶୁ ମୃତ୍ୟୁହାର, ଅପୁଷ୍ଟିଜନିତ ମୃତ୍ୟୁ, ସଂକ୍ରମିତ ରୋଗରେ ମୃତ୍ୟୁହାର ୬୧%ରୁ ୩୩%କୁ ହ୍ରାସ ପାଇଛି। ଅପରପକ୍ଷରେ ହୃଦ୍‌ଘାତ, ମଧୁମେହ, କର୍କଟ ପରି ରୋଗୀଙ୍କ ସଂଖ୍ୟା ଭାରତରେ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଛି। ଅନିୟମିତ ଜୀବନଶୈଳୀ, ଅନିୟନ୍ତ୍ରିତ ଖାଦ୍ୟାଭ୍ୟାସ ଆଦି ଏହାର କାରଣ। ଯୋଗ ଓ ଧ୍ୟାନ ମାଧ୍ୟମରେ ଆମେ ଆମ ଜୀବନଶୈଳୀ ସଂଯତ ଓ ଶୃଙ୍ଖଳିତ କରିପାରିଲେ ଏହିସବୁ ରୋଗରୁ ମୁକ୍ତି ପାଇପାରିବା। ସ୍କୁଲ୍ ପାଠ୍ୟକ୍ରମରେ ଏହାକୁ ସାମିଲ୍ କରି ଯୁବବର୍ଗଙ୍କ ମଧ୍ୟରେ ଏଥିପ୍ରତି ବ୍ୟାପକ ସଚେତନତା ସୃଷ୍ଟି କରିବା ଆବଶ୍ୟକ। ବିଭିନ୍ନ ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନ, କର୍ତ୍ତୃପକ୍ଷ, ବିଶେଷକରି ଗଣମାଧ୍ୟମର ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ଆଉ ଏକ ଉଲ୍ଲେଖନୀୟ ବିଷୟ ହେଉଛି, ଭାରତର ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମି ଯଥେଷ୍ଟ ନୁହେଁ ଏବଂ ଏଥିରେ ଆହୁରି ଉନ୍ନତି ଆଣିବାକୁ ପଡ଼ିବ – କୋଭିଡ୍-୧୯ ବିପତ୍ତି ଏହା ଆମକୁ ସୂଚାଇ ଦେଇଛି। ବିଶେଷକରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସହର ଓ ଗ୍ରାମୀଣ ଭାରତ ମଧ୍ୟରେ ଥିବା ତାରତମ୍ୟକୁ ଦୂର କରିବାକୁ ପଡ଼ିବ। ‘ଆୟୁଷ୍ମାନ ଭାରତ’ ଏହି ସମସ୍ୟା ସମାଧାନରେ ଫଳପ୍ରଦ ହୋଇପାରିବ।
ଏବେ ଆମ ଆଗରେ ସୃଷ୍ଟ ଏହି ବିପତ୍ତିରୁ ରକ୍ଷା ପାଇବାକୁ ହେଲେ ଆମେ ଉଭୟ ପ୍ରତିଷେଧକ ଓ ଚିକିତ୍ସା ପଦ୍ଧତି ଆପଣେଇବାକୁ ପଡ଼ିବ। ବିଶେଷକରି, ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଓ ଯତ୍ନ ନେବାର ଆବଶ୍ୟକତା ରହିଛି। ପ୍ରାଣୀ ବିଜ୍ଞାନ, ଜୈବ ବିଜ୍ଞାନ, ଭେଷଜ ଓ ଚିକିତ୍ସା ବିଜ୍ଞାନ, ଭୂତାଣୁ ବିଜ୍ଞାନ ଆଦି ସମସ୍ତ ବିଭାଗର ବିଶେଷଜ୍ଞମାନେ ମିଳିମିଶି କାମ କରିବାକୁ ପଡ଼ିବ।
ଆମେ ଭୁଲି ଯିବା ଉଚିତ ନୁହେଁ ଯେ ଯେଉଁ ପୃଥିବୀରେ ମଣିଷ ବାସ କରୁଛି ସେଠାରେ ବୃକ୍ଷ, ଲତା, ପଶୁ ଓ ପକ୍ଷୀମାନେ ମଧ୍ୟ ରହୁଛନ୍ତି। ପୃଥିବୀରେ ସମସ୍ତଙ୍କର ସମାନ ଭାବେ ବଞ୍ଚିବାର ଅଧିକାର ରହିଛି। ଗୋଟିକର ବିନାଶରେ ସମଗ୍ର ପୃଥିବୀର ବିନାଶ ହେବ। ତେଣୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ‘ୱାନ ହେଲ୍‌ଥ’ ମନ୍ତ୍ରକୁ ସମ୍ମାନ ଦେବାକୁ ହେବ। ଆମର ପୃଥିବୀ ଗୋଟିଏ। ଏହାର ଜୀବସତ୍ତା ପରସ୍ପରର ପରିପୂରକ ଓ ପରସ୍ପର ଉପରେ ନିର୍ଭରଶୀଳ। ଜୀବଜଗତ ମଧ୍ୟରେ ସନ୍ତୁଳନ ରକ୍ଷା ହୋଇପାରିଲେ ନିରୋଗ ଜୀବନ ସମ୍ଭବ। ଏଥିପାଇଁ ଆମେ ଜ୍ଞାନ ସହିତ ବୁଦ୍ଧିମତାକୁ ଉପଯୋଗ କରିବାକୁ ପଡ଼ିବ। ଏକ ସୁରକ୍ଷିତ ଓ ନିରୋଗ ପୃଥିବୀ ଗଠନ ପାଇଁ ଆମ ସମସ୍ତଙ୍କୁ ମିଳିମିଶି କାମ କରିବାକୁ ହେବ।
(ମର୍ମାନୁବାଦ)

Comments are closed.