MEllora 950×100

୫ଦଫା ଦାବିରେ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀଙ୍କ ବିକ୍ଷୋଭ

୨୧ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ

କେନ୍ଦୁଝରଗଡ : ୫ଦଫା ଦାବିରେ ଓଡିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ କେନ୍ଦୁଝର ଶାଖା ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି। ମହାସଂଘର ଜିଲା ନେତା ପ୍ରମୋଦ କୁମାର ପଟ୍ଟନାୟକ, ବାଲ୍ୟ ମୁକୁନ୍ଦ ମିଶ୍ର, ରାଜେନ୍ଦ୍ର ନାରାୟଣ ଦାଶ, ନେତ୍ରୀ ବିଦ୍ୟୁତଲତା ମଲ୍ଲିକ ଓ ସରସ୍ୱତୀ ସାହୁଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ନଗରଭବନ ଠାରୁ ଏକ ଶୋଭାଯାତ୍ରାରେ ବାହାରି ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସା‌ ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ୫ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ। ଏହାପରେ ସେଠାରୁ ଆସି ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକତ୍ରିତ ହୋଇ ଅତିରିକ୍ତ ଜିଲାପାଳଙ୍କୁ ଭେଟି ପ୍ରମୁଖ ସ୍ୱାସ୍ଥ୍ୟ ସଚିବଙ୍କ ଉଦ୍ଦେଶ୍ୟରେ ୫ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ। କ୍ୟାଡର ଲାଗୁ ସହିତ ୪ଟି ପଦୋନ୍ନତି, ୪୨୦୦ ଗ୍ରେଡ ପେ’ ସହ ଆରଏସିପି ପ୍ରଦାନ, ୨୦୧୩ରୁ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ, ପଦବୀର ନାମ ପରିବର୍ତ୍ତନ ସହ ପୋଷାକ ଭତ୍ତା ବାବଦକୁ ବାର୍ଷିକ ଅନ୍ୟୁନ  ୫୦୦୦ଟଙ୍କା ପ୍ରଦାନ ଦାବି ନେଇ ଚଳିତମାସ ୭ରୁ କଳାବ୍ୟାଜ୍‌ ପରିଧାନ କରି ପ୍ରତୀକାତ୍ମକ ଆନ୍ଦୋଳନରେ ସାମିଲ ହୋଇଥିବା ବେଳେ ୧୪ରୁ ୨୧ପର୍ଯ୍ୟନ୍ତ କାର୍ଯ୍ୟ କରିବୁ କିନ୍ତୁ କୌଣସି ରିପୋର୍ଟ ରିଟର୍ଣ୍ଣ ଦାଖଲ କରିବୁ ନାହିଁ ବୋଲି ମହାସଂଘର କେନ୍ଦୁଝର ନେତା ପ୍ରମୋଦ ପଟ୍ଟନାୟକ କହିଛନ୍ତି। ଚଳିତମାସ ୨୧ ତାରିଖ ସୁଦ୍ଧା ସରକାର ଦାବି ପୂରଣ ନକରନ୍ତି ତାହାଲେ ଚଳିତମାସ ୨୧ ତାରିଖରୁ ସମୂହ କାର୍ଯ୍ୟବନ୍ଦ ଆନ୍ଦୋଳନରେ  ସାମିଲ ହେବୁ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

Comments are closed.