ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ନାହାନ୍ତି ସ୍ୱାସ୍ଥ୍ୟକର୍ମୀ ; ଗର୍ଭବତୀ ମହିଳାଙ୍କୁ ମିଳୁନି ସ୍ୱାସ୍ଥ୍ୟସେବା, ନିଯୁକ୍ତି ଦାବି

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ବିଭିନ୍ନ ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଏଏନ୍ଏମ୍ ଓ ସ୍ୱାସ୍ଥ୍ୟ କର୍ମୀ ନଥିବା ଅଭିଯୋଗ ହୋଇଛି। ଦୀର୍ଘଦିନ ଧରି ଏହି ପଦବୀଗୁଡିକ ପୂରଣ କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଥିଲେ ମଧ୍ୟ ଏ ନେଇ କୌଣସି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଉଦାସୀନତା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ମୌଳିକ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଘୁନସର ସ୍ୱାସ୍ଥ୍ୟ ଉପକେନ୍ଦ୍ର ଓ ଭାନପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଦୀର୍ଘଦିନ ଧରି ଏଏନ୍ଏମ୍ ନଥିବା ନେଇ ଅଭିଯୋଗ ହୋଇଛି। ସେହିପରି ଓଡିଆପାଲି, ଖପ୍ରାଖୋଲ ତେଲେନପାଲି, କରୁଆଁଝର, ମାଲପଡା, ଲାଠୋର, ସର୍ଗିପାଲି, ଧଣ୍ଡାମୁଣ୍ଡା ଆଦି ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ସ୍ୱାସ୍ଥ୍ୟକର୍ମୀ ନଥିବା ଜଣାପଡିଛି। ଭାନପୁର ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ଦୀର୍ଘ ଚାରିବର୍ଷରୁ ଉର୍ଦ୍ଧ୍ବ ହେବ ଏଏନ୍ଏମ୍ ନଥିବାରୁ ସେଠାକାର ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଭାନପୁର, ବୁରୋମାଲ, ଜଲିଆବାହାଲ, ତୁର୍ଲା, ବ୍ରାହ୍ମଣୀ, ଦାନାମାଲ, ମାଟିଆଭଟା ଗ୍ରାମ ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳ ଅଧିବାସୀ ଆବଶ୍ୟକ ସ୍ୱାସ୍ଥ୍ୟସେବା ପାଇପାରୁ ନଥିବା ଅଭିଯୋଗ ହୋଇଆସୁଛି। ସେହିପରି ଘୁନସର ସ୍ୱାସ୍ଥ୍ୟ ଉପ କେନ୍ଦ୍ରରେ ଦୀର୍ଘ ୧୨ ବର୍ଷ ହେବ ଏଏନ୍ଏମ୍ ନଥିବା ଜାଣିବାକୁ ମିଳିଛି। ଫଳରେ ଏହା ଅଧିନରେ ଘୁନସର, ପୁଟକେଲଚୁଆଁ, ପିଙ୍ଗଲମୁଣ୍ଡା, ଝାଙ୍କ୍ରିପାଲି, କୁର୍ଲୁମାଲ, ବଡଗୁର୍ଜିଭଟା ଗ୍ରାମର ଜନସାଧାରଣ ପ୍ରାଥମିକ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହୋଇଆସୁଥିବା ଅଭିଯୋଗ ହୋଇଛି। ଏଏନ୍ଏମ୍ ନଥିବାରୁ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଗୁଡିକରେ ତାଲା ଝୁଲୁଥିବା ବେଳେ କେବଳ ସେକ୍ଟର ମିଟିଂ ସମୟରେ ଏହା ଖୋଲୁଥିବା ଦେଖିବାକୁ ମିଳୁଛି। ଏଏନ୍ଏମ୍‌ଙ୍କ ସ୍ଥାନରେ ସ୍ୱାସ୍ଥ୍ୟକର୍ମୀ ଓ ଆଶାକର୍ମୀ ଦାୟିତ୍ୱ ତୁଲାଉଛନ୍ତି। ଫଳରେ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣ ବାଧ୍ୟ ହୋଇ ବାହାରକୁ ଚିକିତ୍ସା ପାଇଁ ଯାଉଥିବା ଜାଣିବାକୁ ମିଳିଛି। ଏଥିପାଇଁ ଗରିବ ଶ୍ରେଣୀର ଲୋକମାନେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଗର୍ଭବତୀ ମହିଳାମାନେ ସ୍ୱାସ୍ଥ୍ୟ ପରୀକ୍ଷା କରିବାରୁ ବଞ୍ଚିତ ହେଉଛନ୍ତି। ଏଏନ୍ଏମ୍ ନଥିବାରୁ ଏଏନ୍‌ସି, ପିଏନ୍‌ସି କାର୍ଯ୍ୟ ଗୁରୁତର ଭାବେ ବ୍ୟାହତ ହେଉଛି। ସ୍ଥାନୀୟ ଏଏନ୍ଏମ୍ ସେଣ୍ଟରକୁ ଗର୍ଭବତୀ ମହିଳାମାନେ ଯାଇ କରି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥାନ୍ତି। ଗର୍ଭବତୀ ମହିଳାଙ୍କର ଓଜନ ପରୀକ୍ଷା କରିବା ସହିତ ଆବଶ୍ୟକ ସେବା ଏଏନ୍ଏମ୍‌ ମାନେ କରିଥାନ୍ତି। ସେହିପରି ପ୍ରସବ ଓ ପ୍ରସବ ପରବର୍ତ୍ତୀ ପ୍ରସୂତୀ ମହିଳା ଓ ଶିଶୁଙ୍କର ଚିକିତ୍ସା ମଧ୍ୟ ଏଏନ୍ଏମ୍‌ ମାନେ କରିଥାନ୍ତି। ମାତ୍ର ଏଏନ୍ଏମ୍‌ଙ୍କ ଦାୟିତ୍ୱରେ ପୁରୁଷ ସ୍ୱାସ୍ଥ୍ୟକର୍ମୀ ରହୁଥିବାରୁ ଏନେଇ ବିଭିନ୍ନ ସମସ୍ୟା ଉପୁଜିଛି।

ଅନ୍ୟ ପକ୍ଷରେ ଏଏନ୍ଏମ୍ ଓ ସ୍ୱାସ୍ଥ୍ୟକର୍ମୀ ନଥିବାରୁ ଏହି ସବୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକାକରଣ, ଭିଏଚ୍ଏନ୍‌ଡି ତଥା ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମ ଗୁରୁତର ଭାବେ ପ୍ରଭାବିତ ହୋଇଛି। ସରକାର ଗ୍ରାମାଞ୍ଚଳ ଲୋକଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସହିତ ମାତୃ ଓ ଶିଶୁ ମୃତ୍ୟୁ ହାର ରୋକିବା ପାଇଁ ପଦକ୍ଷେପ ନେଉଥିବା ନେଇ କହୁଥିବା ବେଳେ ସରକାରଙ୍କ ଆନ୍ତରିକତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଦୀର୍ଘଦିନ ଧରି ଏହି ପଦବୀ  ଖାଲି ପଡିଥିବା ଯୋଗୁଁ ଜନସାଧାରଣ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଖାଲି  ପଦବୀକୁ ତୁରନ୍ତ ପୂରଣ କରିବା ପାଇଁ ଘୁନସର ସରପଞ୍ଚ କପିଳ ବୁଡେକ ଓ ଭାନପୁର ସରପଞ୍ଚ ତ୍ରିନାଥ ବାରିକ ଦାବି କରିଛନ୍ତି। ଏନେଇ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡଃ.ସୁରଜ କୁମାର ଦୀପଙ୍କୁ ପଚାରିବାରୁ ଏହି ଦୁଇ ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଏଏନ୍ଏମ୍ ସହିତ ଖାଲି ପଡିଥିବା ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ଦେବା ପାଇଁ ଆମେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଲେଖି ଜଣାଇଅଛୁ ବୋଲି କହିଛନ୍ତି।

Comments are closed.