ରାଜ୍ୟରେ ପ୍ରତିଷ୍ଠା ହେବ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ

ଭୁବନେଶ୍ବର: ରାଜ୍ୟ ସରକାର ସ୍ବାସ୍ଥ୍ୟସେବାକୁ ଅଧିକ ଲୋକାଭିମୁଖୀ କରିବା ଓ ଅତ୍ୟାଧୁନିକ ସେବା ଯୋଗାଇ ଦେବାକୁ ପୂର୍ବରୁ ବହୁବିଧ ଯୋଜନା କରିଆସିଛନ୍ତି। ଏ କ୍ଷେତ୍ରରେ ଆଉ ଏକ ପାଦ ଅଗ୍ରସର ହୋଇ ରାଜ୍ୟରେ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ସ୍ଥାପନ ପାଇଁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାରଙ୍କ ଏହି ଯୋଜନା ରାଜ୍ୟବାସୀଙ୍କୁ ଉନ୍ନତମାନର ସେବା ପ୍ରଦାନ କରିବା ସହିତ ଡାକ୍ତରଙ୍କୁ ଅଧିକ ଗବେଷଣାର ସୁଯୋଗ ପ୍ରଦାନ କରିବ।

ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ସ୍ଥାପନ ଦ୍ବାରା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନସ୍ଥ ସମସ୍ତ ମେଡିକାଲ ଏବଂ ପାରାମେଡିକାଲ ଅନୁଷ୍ଠାନ ଗୁଡ଼ିକର ପ୍ରଶାସନିକ ଏବଂ ଶିକ୍ଷା ବ୍ୟବସ୍ଥା ସୁନିୟନ୍ତ୍ରିତ ହେବ। ମଙ୍ଗଳବାର ଏ ସଂକ୍ରାନ୍ତରେ ଏକ ବିଧେୟକ ବିଧାନସଭାରେ ଉପସ୍ଥାପନ କରାଯାଇଛି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ଆଇନ ୨୦୨୧ ନାମରେ ଏହି ବିଧେୟକ ଆସିଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହା ଉପରେ ତଥ୍ୟ ରଖିଛନ୍ତି। ଆଧୁନିକ ଔଷଧ, ମାନସିକ ରୋଗ ଚିକିତ୍ସା, ଦନ୍ତ ଚିକିତ୍ସା, ହୋମିଓପାଥି, ଆୟୁର୍ବେଦ, ନର୍ସିଂ, ଫାର୍ମାସୀ, ପାରାମେଡିକାଲ, ଫିଜିଓଥେରାପି ଓ ଆଲାଏଡ ମେଡିକାଲ ବିଜ୍ଞାନ ପାଠ୍ୟକ୍ରମରେ ସଠିକ ଶିକ୍ଷାଦାନ, ପ୍ରଶିକ୍ଷଣ ଏବଂ ଗବେଷଣାକୁ ସୁନିଶ୍ଚିତ କରିବା ସହିତ ବିଭିନ୍ନ ମେଡିକାଲ ଓ ଆନୁଷଙ୍ଗିକ ବିଷୟରେ ଶୈକ୍ଷିକ କାର୍ଯ୍ୟକ୍ରମରେ ସମାନତା ଆଣିବା ଏହି ବିଧେୟକର ଉଦ୍ଦେଶ୍ୟ।

ସେହିପରି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ବାରା ପ୍ରସ୍ତାବିତ ଓଡ଼ିଶା ଭେଷଜ ନିୟନ୍ତ୍ରାଳୟ ସେବା (ଭେଷଜ ନିୟନ୍ତ୍ରଣ ପ୍ରଶାସନ) (ନିଯୁକ୍ତି ପଦ୍ଧତି ତଥା ସେବା ସର୍ତ୍ତାବଳୀ ନିୟମ ୨୦୨୦ ପ୍ରବର୍ତ୍ତନ କରାଯିବା ଏହାକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି। ଏଥିପାଇଁ ବିଧାନସଭାରେ ପ୍ରସ୍ତାବ ଆଗତ କରାଯାଇଛି। ସର୍ବମୋଟ ୯୭ ଜଣ ଅଧିକାରୀ ପଦ ଓଡ଼ିଶା ଭେଷଜ ନିୟନ୍ତ୍ରାଳୟ ପାଇଁ ମଞ୍ଜୁର କରାଯାଇଛି। ତନ୍ମଧ୍ୟରୁ ଭେଷଜ ନିରୀକ୍ଷକ ପଦ ସଂଖ୍ୟା-୬୬, ସହାୟକ ଭେଷଜ ନିୟନ୍ତ୍ରକ ପଦ ସଂଖ୍ୟା-୨୨, ଉପଭେଷଜ ନିୟନ୍ତ୍ରକ ପଦ ସଂଖ୍ୟା- ୫, ଯୁଗ୍ମ ଭେଷଜ ନିୟନ୍ତ୍ରଣ ପଦ ସଂଖ୍ୟା-୩ ଏବଂ ଭେଷଜ ନିୟନ୍ତ୍ରକ ପଦ ସଂଖ୍ୟା-୧ ରହିଛି। ଭେଷଜ ନିରୀକ୍ଷକ ପଦ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ମାଧ୍ୟମରେ ମନୋନୟନ କରାଯିବ।

Comments are closed.