ବାସିଖାଦ୍ୟ ଝାଡ଼ାବାନ୍ତିର କାରଣ ହଇଜା ନୁହେଁ : ସ୍ବାସ୍ଥ୍ୟସଚିବ

ଭୁବନେଶ୍ୱର : ବାତ୍ୟା କ୍ଷତିଗ୍ରସ୍ତ ପୁରୀ ଜିଲାର କୌଣସି ଅଞ୍ଚଳରେ ହଇଜାର ସୂଚନା ନାହିଁ । ବାସିଖାଦ୍ୟ ଓ ଭୋଜି ଖାଇବା ଯୋଗୁଁ ଲୋକେ ଝାଡାବାନ୍ତିରେ ପଡିଛନ୍ତି ବୋଲି ସ୍ବାସ୍ଥ୍ୟ ସଚିବ ଡା. ପ୍ରମୋଦ ମେହେର୍ଦା ସୂଚନା ଦେଇଛନ୍ତି।
ଶୁକ୍ରବାର ସଚିବାଳୟରେ ଗଣମାଧ୍ୟମରେ ପ୍ରକାଶିତ ହଇଜା ରିପୋର୍ଟକୁ ଆଧାରକରି ଡା. ମେହେର୍ଦାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ସମୀକ୍ଷାରୁ ଜଣାଯାଇଛି ଯେ ପୁରୀ ଓ ଖୋର୍ଦ୍ଧା ସମେତ ବିଭିନ୍ନ ସ୍ଥାନରେ ବାସି ଖାଦ୍ୟ ଓ ଭୋଜି ଖାଇବା ଯୋଗୁଁ ଝାଡାବାନ୍ତି ପରିସ୍ଥିତି ସୃଷ୍ଟି ହୋଇଛି। ଗୋଟିଏ ହେଲେ ନମୁନାରେ ହଇଜା ଲକ୍ଷଣ ମିଳିନାହିଁ। ପୁରୀ ଜିଲାର ବିଭିନ୍ନ ଚିକିତ୍ସାଳୟକୁ ଗତ କିଛିଦିନ ଧରି ସାମାନ୍ୟ ଝାଡାବାନ୍ତିରେ ଆକ୍ରାନ୍ତ ରୋଗୀ ଆସୁଛନ୍ତି। ଏମାନଙ୍କୁ ତୁରନ୍ତ ଚିକିତ୍ସା ସହିତ ବିପଦ ଆଶଙ୍କାରେ ସମସ୍ତ ରୋଗୀଙ୍କ ମଳ ନମୂନା ପରୀକ୍ଷା କରାଯାଉଛି। ବର୍ତ୍ତମାନ ସୁଦ୍ଧା କୌଣସି ନମୂନାରେ ହଇଜା ମିଳିନାହିଁ। ଇତି ମଧ୍ୟରେ ସତ୍ୟବାଦୀ, ବ୍ରହ୍ମଗିରି, କୃଷ୍ଣପ୍ରସାଦ ଆଦି ବ୍ଲକରୁ କେତେକ ଝାଡାବାନ୍ତି ସଂକ୍ରାନ୍ତୀୟ ଅଭିଯୋଗ ଆସିଥିବାବେଳେ ସେହି ସବୁସ୍ଥାନକୁ ତୁରନ୍ତ ଡାକ୍ତରୀଦଳ ପଠାଯାଇ ନମୂନା ସଂଗ୍ରହ ପରେ ପରୀକ୍ଷା କରାଯାଇଛି। ବାତ୍ୟା ହୋଇ ନଥିବା ସୋନପୁର ଜିଲା ନାୟକେନପାଲିର ଜାନୁମୁରା ଗ୍ରାମରେ ହଠାତ୍‍ ଝାଡାବାନ୍ତିରେ ୧୬ଜଣ ଆକ୍ରାନ୍ତ ହୋଇ ଚିକିତ୍ସାପାଇଁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ଅନୁଧ୍ୟାନରୁ ଜଣାଯାଇଛି ଯେ ସମସ୍ତ ଆକ୍ରାନ୍ତ ବ୍ୟକ୍ତି ବାସି ମିଠା ଖାଇ ଖାଦ୍ୟ ବିଷକ୍ରିୟାର ଶିକାର ହୋଇଛନ୍ତି। ଇତି ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦଳ ସମ୍ପୃକ୍ତ ଅଞ୍ଚଳକୁ ଯାଇ ଖାଦ୍ୟ ନମୂନା ସହିତ ରୋଗୀଙ୍କ ମଳ ଓ ପାନୀୟଜଳ ନମୂନା ସଂଗ୍ରହ କରିଛନ୍ତି। ବାତ୍ୟାଞ୍ଚଳରେ ଯେଭଳି କୌଣସି ସ୍ଥାନରେ ମହାମାରୀ ନବ୍ୟାପେ ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ସର୍ତକତା ଅଲମ୍ବନ କରୁଛି। ସେହି ଅଞ୍ଚଳକୁ ଡାକ୍ତର, ପାରାମେଡିକ୍‍ ଏବଂ ଭ୍ରାମ୍ୟମାଣ ଚିକିତ୍ସକ ଦଳ ମୁତୟନ କରିଛି। ଗାଁ କଲ୍ୟାଣ ସମିତି ଜରିଆରେ ଇତିମଧ୍ୟରେ ୨୦ହଜାରରୁ ଅଧିକ ସଫେଇ କାର୍ଯ୍ୟକ୍ରମ କରାଯିବା ସହିତ ୮୯,୦୯୧ମୁକ୍ତ ଜଳଉତ୍ସଗୁଡିକୁ ବିଶୋଧନ କରାଯାଇଛି। ବର୍ତ୍ତମାନ ବାତ୍ୟାଞ୍ଚଳରେ ରୋଗ ସର୍ବେକ୍ଷଣ କରୁଥିବା କେନ୍ଦ୍ର ସରକାର ଓ ବିଶ୍ୱ ସ୍ୱାସ୍ଥ୍ୟସଂଗଠନର ବିଶେଷଜ୍ଞଦଳ ସଂକ୍ରମଣ ସଂକ୍ରାନ୍ତରେ କୌଣସି ଆଗୁଆ ସର୍ତକସୂଚନା ଦେଇନାହାନ୍ତି। ସ୍ଥିତିକୁ ଦେଖି କ୍ଷତିଗ୍ରସ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଓ ପରିମଳ ଉପରେ ସଜାଗ ଦୃଷ୍ଟି ରଖାଯାଇଛି। କିଶୋରୀ ଓ ମହିଳାଙ୍କ ସ୍ବାସ୍ଥ୍ୟଜନିତ ସମସ୍ୟା ଦୂର କରିବାପାଇଁ ଆସନ୍ତା ଦୁଇମାସ ପାଇଁ ମାଗଣାରେ ୨୪ଲକ୍ଷ ସାନିଟାରୀ ନାପ୍‍କିନ୍‍ ବଣ୍ଟନ କରିବା ପାଇଁ ବ୍ୟବସ୍ଥା କରାଯାଇଛି।
ନିମାପଡା, ଗୋପ,ଅସ୍ତରଙ୍ଗ, କଣାସ, କାକଟପୁର ଓ ସତ୍ୟବାଦୀ ବ୍ଲକରେ ନାପକିନ୍ ବଣ୍ଟନ ଆରମ୍ଭ କରାଯାଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.