କରୋନା ମୁକାବିଲା : ବିଭିନ୍ନ ରାଜ୍ୟର ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ

ଦେଶର ସମସ୍ତ ୨୧ଟି ବିମାନ ବନ୍ଦର, ଅନ୍ତର୍ଜାତୀୟ ବନ୍ଦର ଓ ସୀମାବର୍ତ୍ତୀ ଅଞ୍ଚଳରେ ଯାତ୍ରୀଙ୍କ ସ୍କ୍ରିନିଂ ଜାରି

ନୂଆଦିଲ୍ଲୀ :  କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବ ପ୍ରୀତି ସୁଦାନ ମଙ୍ଗଳବାର ନୋଭେଲ କରୋନା ଭୂତାଣୁ ମୁକାବିଲା ଲାଗି ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ପ୍ରଦେଶ ପକ୍ଷରୁ କରାଯାଇଥିବା ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଏଥିରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ସ୍ୱାସ୍ଥ୍ୟ ସଚିବଙ୍କ ସମେତ କେନ୍ଦ୍ର ସରକାରଙ୍କ ଜାହାଜ ଚଳାଚଳ, ବେସାମରିକ ବିମାନ ଚଳାଚଳ, ବୈଦେଶିକ ବ୍ୟାପାର, ପର୍ଯ୍ୟଟନ, ଗୃହ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।
ସ୍ୱାସ୍ଥ୍ୟ ସଚିବ କହିଥିଲେ ଯେ, କେନ୍ଦ୍ରୀୟ ସ୍ତରରେ ସମ୍ପୃକ୍ତ ମନ୍ତ୍ରଣାଳୟଗୁଡିକ ସହଯୋଗରେ ଅନେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଓ କ୍ୟାବିନେଟ ସଚିବ ପ୍ରତିଦିନ ସ୍ଥିତି ସମୀକ୍ଷା କରୁଛନ୍ତି। କରୋନା ଭୂତାଣୁ ସଂକ୍ରମଣକୁ ଆଖି ଆଗରେ ରଖି ଭିସା କଟକଣା ଓ ପରାମର୍ଶକୁ ସେ ଦୋହରାଇଥିଲେ। ଏ ସଂକ୍ରାନ୍ତରେ ସଚେତନତା ସୃଷ୍ଟି ଲାଗି ସେ ରାଜ୍ୟଗୁଡିକୁ ପରାମର୍ଶ ଦେଇଥିଲେ। ଅଧିକ ସତର୍କ ରହିବା ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡିକୁ କୁହାଯାଇଥିଲା।
ଏହାଛଡା ସ୍ୱାସ୍ଥ୍ୟ ଏବଂ ଅନ୍ୟ ଏଜେନ୍ସିଗୁଡିକର ଓରିଏଂଟେସନ, ନିରାକରଣ ଓ ପରିଚାଳନା ପାଇଁ ପ୍ରୋଟକଲ ପାଳନ, ଆଗନ୍ତୁକଙ୍କ ଯାଞ୍ଚ, ନେପାଳ ସୀମାରେ ଯାତାୟାତ କରୁଥିବା
ଲୋକଙ୍କୁ ସଚେତନ କରିବା ଆଦି ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ବିମାନ ବନ୍ଦରରେ ସ୍କ୍ରିନିଂ ପାଇଁ ଅତିରିକ୍ତ ମାନବ ସମ୍ବଳ ବୃଦ୍ଧି କରିବା, ରାଜ୍ୟଗୁଡିକ ପକ୍ଷରୁ ଆବଶ୍ୟକ ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟ ଲଜିଷ୍ଟିକ ସମର୍ଥନ ଯୋଗାଇଦେବା ପାଇଁ ସେ କହିଥିଲେ।
କେରଳରେ ବର୍ତମାନ ୩ଜଣ କରୋନା ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନେ ସମସ୍ତେ ଛାତ୍ର ହୋଇଥିବା ବେଳେ ଚୀନର ଉହାନରୁ ଆସିଛନ୍ତି। ରାଜ୍ୟ ସରକାର ସମସ୍ତ
ପ୍ରଶାସନିକ ସଂସ୍ଥାରେ ନିରିକ୍ଷଣ ଓ ସତର୍କତା କାର୍ଯ୍ୟ କରୁଛନ୍ତି। ସ୍ଥିତି ସମୀକ୍ଷା ଓ ଅନୁଧ୍ୟାନ ଲାଗି ଜିଲ୍ଲାପାଳମାନଙ୍କୁ କୁହାଯାଇଛି।
ଦିଲ୍ଲୀ, କୋଲକତା, ମୁମ୍ବାଇ, ଚେନ୍ନାଇ, କୋଚି, ବେଙ୍ଗାଲୁରୁ ଓ ହାଇଦ୍ରାବାଦ ବିମାନ ବନ୍ଦରରେ ଚୀନ, ସିଙ୍ଗାପୁର, ଥାଇଲାଣ୍ଡ ଓ ହଂକଂରୁ ଆସୁଥିବା ଯାତ୍ରୀଙ୍କ ସ୍କ୍ରିନିଂ ପାଇଁ ସ୍ୱତନ୍ତ୍ର ଦ୍ୱାରରେ ନିର୍ଦ୍ଧାରିତ ଏରୋବ୍ରିଜ ଉପଯୋଗ କରାଯିବ। ଫଳରେ ପ୍ରଭାବୀ ନିରାକରଣ ସମ୍ଭବ ହୋଇପାରିବ  ବୋଲି ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି । ଦେଶର ସମସ୍ତ ୨୧ଟି ବିମାନ ବନ୍ଦର, ଅନ୍ତର୍ଜାତୀୟ ବନ୍ଦର ଓ ସୀମାବର୍ତୀ ଅଞ୍ଚଳରେ ଯାତ୍ରୀଙ୍କ ସ୍କ୍ରିନିଂ କରାଯାଉଛି । ବର୍ତମାନ ସୁଦ୍ଧା ୮୧ଟି ବିମାନ ବନ୍ଦରରେ ୭୭୭ଟି ବିମାନରେ ଆସିଥିବା ୮୯୫୦୦ ଯାତ୍ରୀଙ୍କର ଯାଞ୍ଚ କରାଯାଇ ସାରିଛି। ମୋଟ ୪୫୪ଟି ନମୁନା ଯାଞ୍ଚ କରାଯାଇଥିବା ବେଳେ ଏଥିମଧ୍ୟରୁ ୩ଟି ନମୁନା ଭୂତାଣୁ ସଂକ୍ରମିତ ବୋଲି ଜଣାପଡିଛି ବୋଲି ଏହି ଅବସରରେ ସ୍ୱାସ୍ଥ୍ୟ
ସଚିବ ସୂଚନା ଦେଇଥିଲେ । ୩୯୩୫ ଜଣ ଯାତ୍ରୀ ୨୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗୋଷ୍ଠୀଗତ ନିରୀକ୍ଷଣରେ ରହିଛନ୍ତି ।

Comments are closed.