କଟକଣା କୋହଳ ପରେ ୫ରାଜ୍ୟର ସ୍ଥିତି ଉପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନଜର

ସମାଜ ପୋର୍ଟାଲ ଡେସ୍କ: ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୂଦନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଫିସରମାନଙ୍କ ସହ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ ଓ ମଧ୍ୟପ୍ରଦେଶର ମୁଖ୍ୟ ସଚିବ, ସ୍ୱାସ୍ଥ୍ୟ ସଚିବ ଓ ଏନ୍.ଏଚ୍.ଏମ୍. ନିର୍ଦ୍ଦେଶକମାନଙ୍କ ସହ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହିସବୁ ରାଜ୍ୟରେ କୋଭିଡ୍ – ୧୯ ସଂକ୍ରମିତ ଲୋକଙ୍କ ସଂଖ୍ୟା ଗତ ୩ ସପ୍ତାହ ମଧ୍ୟରେ ଅଧିକ ମାତ୍ରାରେ ବୃଦ୍ଧି ପାଇଛି। ସେହି ରାଜ୍ୟଗୁଡ଼ିକରେ କୋଭିଡ୍ – ୧୯ କଟକଣା କୋହଳ ହେବା ପରେ ଅନ୍ୟ ରାଜ୍ୟଗୁଡ଼ିକରେ କାମ କରୁଥିବା ଶ୍ରମିକମାନେ ନିଜ ନିଜ ବାସସ୍ଥାନକୁ ଫେରିବା ଆରମ୍ଭ କରିଥିଲେ ଓ ଏହା ଯୋଗୁଁ ସଂକ୍ରମଣର ହାର ବୃଦ୍ଧି ପାଇଥିଲା।
ସେହି ରାଜ୍ୟଗୁଡ଼ିକୁ ସେମାନଙ୍କର ମୃତ୍ୟୁ ହାର, ରୋଗୀମାନଙ୍କର ଦ୍ୱିଗୁଣିତ ହେବା ସମୟ, ପ୍ରତି ନିୟୁତ ଜନସଂଖ୍ୟାରେ ପରୀକ୍ଷା କରାଯାଉଥିବା ଲୋକମାନଙ୍କର ସଂଖ୍ୟା ଓ ସଂକ୍ରମଣ ନିଶ୍ଚିତ ହେବା ପ୍ରତିଶତକୁ ଭିତ୍ତି କରି ସୂଚନା ଜାରି କରାଯାଇଛି। ଯେଉଁ ଯେଉଁ କ୍ଷେତ୍ର ଉପରେ ଅଧିକ ଧ୍ୟାନ ଦିଆଯିବା ଆବଶ୍ୟକ ସେ ବିଷୟରେ ସେମାନଙ୍କ ସହ ଆଲୋଚନା କରାଯାଇଛି। ସେହିସବୁ ରାଜ୍ୟମାନେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଦଳମାନ ଗଠନ କରି ଘର ଘର ବୁଲି ସର୍ବେକ୍ଷଣ କରିବା, ନମୁନା ପରୀକ୍ଷା କରାଇବା, ସଂକ୍ରମିତ ଲୋକଙ୍କ ସଂସ୍ପର୍ଶ ଆସିଥିବା ଲୋକମାନଙ୍କୁ ଠାବ କରିବା ଓ ସେମାନଙ୍କର ଚିକିତ୍ସାକୁ ସୁବ୍ୟବସ୍ଥିତ କରିବାକୁ ସହମତି ପ୍ରକାଶ କରିଛନ୍ତି।