କୋଭିଡର ଦ୍ୱିତୀୟ ଟିକା ନେବାପରେ ଆସିଲା ପଜିଟିଭ ରିପୋର୍ଟ

ଗାନ୍ଧୀନଗର: କାମ କଲାନାହିଁ କୋଭିଡ ଟିକା। ଟିକା ନେବାପରେ ବି ବାହାରିଲା ପଜିଟିଭ। ଏବେ ଗୃହାବଦ୍ଧ ରହିଛନ୍ତି ବ୍ୟକ୍ତିଜଣକ। ସେ ହେଉଛନ୍ତି ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ। ଏହିଭଳି ଏକ ଘଟଣା ଲୋକଲୋଚନକୁ ଆସିଛି ଗୁଜରାଟ ରାଜଧାନୀ ଗାନ୍ଧୀନଗରର ଦେହଗାମ୍‍ ତାଲୁକାରେ।
ଦେଶରେ କୋଭିଡ ସଂକ୍ରମଣକୁ ପ୍ରତିହତ କରିବାକୁ କୋଭିଡ ପ୍ରତିଷେଧକ ଟିକା ନେବା ଉପରେ ସମସ୍ତେ ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଦେଶରେ ଚଳିତ ମାସ ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଟିକା ଉତ୍ସବ ଆୟୋଜନ କରାଯାଉଛି। ଅଧିକରୁ ଅଧିକ ସଂଖ୍ୟକ ଯୋଗ୍ୟ ଲୋକଙ୍କୁ କିଭଳି କୋଭିଡ ଟିକା ଦିଆଯାଇପାରିବ, ସେହି ଉଦ୍ଦେଶ୍ୟ ନେଇ ଏଭଳି ଏକ ଉତ୍ସବ ଅନୁଷ୍ଠିତ ହେଉଛି। ତେବେ କୋଭିଡ ଟିକାର ଦ୍ୱିତୀୟ ଡୋଜ୍‍ ନେବାପରେ ମଧ୍ୟ ଜଣେ ବ୍ୟକ୍ତି କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଘଟଣା ଗାନ୍ଧୀନଗରର ଦେହଗାମ୍‍ ତାଲୁକାରେ ଘଟିଛି। ତାହାପୁଣି ଜଣେ ସ୍ୱାସ୍ଥ୍ୟସେବା ଅଧିକାରୀଙ୍କ କ୍ଷେତ୍ରରେ। ଗାନ୍ଧୀନଗରର ମୁଖ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଏମ ଏସ ସୋଲାଙ୍କି କହିଛନ୍ତି, ଉକ୍ତ ବିଭାଗୀୟ ଅଧିକାରୀଙ୍କୁ ଜ୍ୱର ହୋଇଥିଲା। ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାପରେ ସେ କୋଭିଡ-୧୯ ସଂକ୍ରମିତ ଥିବା ଜଣାପଡିଲା। ତାଙ୍କୁ ଗୃହାବଦ୍ଧରେ ରହିବାକୁ ପରାମର୍ଶ ଦିଆଯାଇଛି ଏବଂ ସେ ସୁସ୍ଥ ଅଛନ୍ତି।

Comments are closed.