ମହିଳାଙ୍କ ମଧ୍ୟରେ ବଢ଼ୁଛି ମଦ୍ୟପାନ ଆଗ୍ରହ: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟରେ ଦେଖନ୍ତୁ ଓଡ଼ିଶାର ସ୍ଥିତି

୨୦୧୦-୨୦୧୭ ମଧ୍ୟରେ ୩୮% ଅଧିକ ମହିଳା ମଦ୍ୟପାନ କରିଛନ୍ତି

ଦିଲ୍ଲୀର ୪୦% ପୁରୁଷ ଓ ୨୦% ମହିଳା ମଦ୍ୟ କ୍ରୟ କରିଥାଆନ୍ତି

୧୮-୩୦ ବୟସ ବର୍ଗର ୪୩.୭% ମହିଳା ମଦ୍ୟପାନରେ ଅଭ୍ୟସ୍ତ

୪୬ରୁ ୬୦ ବର୍ଷର ୩୯.୧% ମହିଳା ଭାବପ୍ରବଣତାରେ ମଦ୍ୟପାନ କରନ୍ତି

ଭୁବନେଶ୍ଵର: ମଦ୍ୟପାନ ପରମ୍ପରା କେଉଁ ପ୍ରାଚୀନ କାଳରୁ ରହିଛି ଏବଂ ପୁରୁଷମାନେ ମଦ୍ୟପାନ କରୁଥିବା ନେଇ ପୁରାଣରେ ବି ଉଲ୍ଲେଖ ଅଛି । ମାତ୍ର ଯୁଗ ବଦଳିବା ସହ ମହିଳାମାନେ ମଧ୍ୟ ମଦ୍ୟପାନ କରିବା ଆରମ୍ଭ କରିଥିଲେ । ପାଶ୍ଚାତ୍ୟ ଦେଶରେ ମହିଳାମାନଙ୍କ ମଦ୍ୟପାନ ସାଧାରଣ କଥା ହୋଇଥିବାବେଳେ ଭାରତରେ ଏହାକୁ ଗର୍ହିତ ଅପରାଧ ଭାବରେ ଗଣା ଯାଉଥିଲା । ଦେଶରେ ଗୁଜରାଟ, ବିହାର ପରି କେତେକ ରାଜ୍ୟରେ ମଦ୍ୟ ବିକ୍ରି ଉପରେ କଟକଣା ଜାରି ହୋଇଛି । ଏହା ସତ୍ବେ ମଦ୍ୟପାୟୀଙ୍କ ସଂଖ୍ୟା ବଢ଼ିଛି । ପୁରୁଷଙ୍କ ସହ ତାଳ ଦେଇ ମହିଳାମାନେ ମଧ୍ୟ ମଦ୍ୟପାନ କରୁଥିବା ଦେଖାଯାଉଛି ।  ଏହି ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଦ୍ୟପାନ ଉପରେ ଏକ ସର୍ଭେ କରିଥିଲା। ଯେଉଁଥିରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି । କେବଳ ଅନ୍ୟରାଜ୍ୟ କାହିଁକି ଓଡ଼ିଶାର ମହିଳାମାନେ ମଧ୍ୟ ବେଶ୍ ମଦ୍ୟପାନ କରୁଛନ୍ତି ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି । ଅନୁରୂପ ଭାବରେ ରାଜ୍ୟର ୪.୨% ମହିଳା ତମାଖୁ ସହ ଅଭ୍ୟସ୍ତ ବୋଲି ମଧ୍ୟ ଏଥିରେ ଉଲ୍ଲେଖ ଅଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ  ଆସାମର ମହିଳାମାନେ ଅନ୍ୟ ରାଜ୍ୟର ମହିଳାଙ୍କ ଅପେକ୍ଷା ଅଧିକ ମଦ୍ୟପାନ କରନ୍ତି | ରିପୋର୍ଟ ଅନୁଯାୟୀ ଆସାମର ୧୫ରୁ ୪୯ ବର୍ଷ ବୟସ ବର୍ଗର ୨୬.୩% ପ୍ରତିଶତ ମହିଳା ମଦ୍ୟପାନ କରନ୍ତି ଓ ମଦ୍ୟପାନ ସହ ଅଭ୍ୟସ୍ତ । ଜାତୀୟସ୍ତରରେ ମହିଳାଙ୍କ ମଦ୍ୟପାନ ହାର ୧.୨% ଥିବାବେଳେ ଆସମରେ ଏହି ସଂଖ୍ୟା ଢ଼େର ଅଧିକ ।  ସେହିପରି ମେଘାଳୟ ପରି ଛୋଟ ରାଜ୍ୟରେ ବି ୮.୭% ମହିଳା ମଦ୍ୟପାନ କରିଥାଆନ୍ତି ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି ।

ଏହି ରିପୋର୍ଟ ଅନୁସାରେ ଆସାମରେ ୪୪.୮% ମହିଳା ସପ୍ତାହରେ ଅନ୍ୟୂନ ଥରେ ମଦ୍ୟପାନ କରିଥାଆନ୍ତି । ସେହିପରି ଆସାମରେ ୫୧.୯% ପୁରୁଷ ସପ୍ତାହରେ ଅନ୍ୟୂନ ଥରେ ମଦ୍ୟପାନ କରିଥାଆନ୍ତି । ଅନ୍ୟପକ୍ଷରେ ଜାତୀୟସ୍ତରରେ ଏହି ଅନୁପାତ ୪୦.୭% । ୨୦୦୫-୦୬ ମସିହାରେ ଏନଏଫଏଚଏସ-୩ ସର୍ବେକ୍ଷଣ ଅନୁସାରେ ଆସାମରେ ମହିଳାଙ୍କ ମଦ୍ୟପାନ ସ୍ଥିତି ଥିଲା ୭.୫% ।  ସେତେବେଳେ ମହିଳାଙ୍କ ମଦ୍ୟପାନ ହାରରେ ଅରୁଣାଚଳ ପ୍ରଦେଶ (୩୩.୬%), ସିକିମ୍ ୧୯.୧%, ଛତିଶଗଡ଼ ୧୧.୪%,  ଝାଡ଼ଖଣ୍ଡ ୯.୯% ଓ ତ୍ରିପୁରା ୯.୬% ଆସାମଠାରୁ ଅଧିକ ମଦ୍ୟପାନ କରୁଥିଲେ । ମାତ୍ର ଆସାମ ଏବେ ସବୁ ରାଜ୍ୟକୁ ଅତିକ୍ରମ କରିଛି । ତେବେ ଏନଏଫଏଚଏସ-୪ ଅନୁସାରେ ରାଜଧାନୀ ଦିଲ୍ଲୀରେ ୨.୪% ମହିଳା ମଦ୍ୟପାନ କରୁଥିବାବେଳେ ଜାମ୍ମୁକାଶ୍ମୀରରେ ୨୩%, ଉତ୍ତରପ୍ରଦେଶରେ ୨.୧, ରାଜସ୍ଥାନରେ ୧.୬%, ମିଜୋରାମରେ ୪.୮%, ଗୁଜରାଟରେ ୫%, ବିହାରରେ ୬.୯% ଓ ଓଡ଼ିଶାରେ ୧% ମହିଳା ମଦ୍ୟପାନ କରୁଛନ୍ତି ।

 

Comments are closed.