କୋଭିଡ -୧୯ ଟୀକା ନେବା ବ୍ୟକ୍ତିର ଇଚ୍ଛା ଉପରେ ନିର୍ଭର କରେ : କେବେ​ ଆରମ୍ଭ ହେବ ଟୀକାକରଣ ?​‌

ନୂଆଦିଲ୍ଲୀ : ଭାରତରେ ଟୀକାକରଣ ପାଇଁ ପ୍ରସ୍ତୁତି ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ କୋଭିଡ -୧୯ ଟୀକାକରଣ ବ୍ୟକ୍ତିଙ୍କ ଇଚ୍ଛା ଉପରେ ନିର୍ଭର କରିବ। ମନ୍ତ୍ରଣାଳୟ ଏହା ମଧ୍ୟ ସୂଚାଇ ଦେଇଛି ଯେ ଭାରତରେ ଉପଲବ୍ଧ ଟିକା ଅନ୍ୟ ଦେଶରେ ବିକଶିତ ହୋଇଥିବା ଟିକା ଭଳି ପ୍ରଭାବଶାଳୀ ହେବ।

ମନ୍ତ୍ରଣାଳୟ କହିଛି ଯେ ପୂର୍ବରୁ କୋଭିଡ-୧୯ରେ ସଂକ୍ରମିତ ହୋଇଥିବା ଲୋକଙ୍କୁ ମଧ୍ୟ କରୋନା ଭାଇରସ ଟିକାର ସମ୍ପୂର୍ଣ୍ଣ ମାତ୍ରା ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି, କାରଣ ଏହା ଏହି ରୋଗ ବିରୁଦ୍ଧରେ ଏକ ଦୃଢ ପ୍ରତିଶେଧକ ସୃଷ୍ଟି କରିବ। ମନ୍ତ୍ରଣାଳୟ କହିଛି ଯେ ଦ୍ୱିତୀୟ ଡୋଜ ଗ୍ରହଣ କରିବାର ଦୁଇ ସପ୍ତାହ ପରେ ଶରୀରରେ ଆଣ୍ଟିବଡି ଗୁଡିକର ସୁରକ୍ଷା ସ୍ତର ପ୍ରସ୍ତୁତ ହେବ।

ମନ୍ତ୍ରଣାଳୟ ପ୍ରସ୍ତୁତ କଲା ଟୀକା ସମ୍ବନ୍ଧୀୟ ପ୍ରଶ୍ନ-ଉତ୍ତର

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କୋଭିଡ -୧୯ ଟିକା ସହ ଜଡିତ କିଛି ପ୍ରଶ୍ନ ଏବଂ ଉତ୍ତରର ତାଲିକା ପ୍ରସ୍ତୁତ କରିଛି। ଏଥିରେ କିଛି ପ୍ରଶ୍ନ ଅନ୍ତର୍ଭୁକ୍ତ ଯେପରିକି ଟିକା ନେବା ସମସ୍ତଙ୍କ ପାଇଁ ଆବଶ୍ୟକ କି ନୁହେଁ, ଟୀକାକରଣରୁ କେତେ ଦିନ ଆଣ୍ଟିବଡି ପ୍ରସ୍ତୁତ ହେବ, କୋଭିଡ -୧୯ରୁ ସୁସ୍ଥ ଥିବା ବ୍ୟକ୍ତି ମଧ୍ୟ ଏହି ଟିକା ନେଇ ପାରିବେ କି ନାହିଁ।

ଶୀଘ୍ର ଆରମ୍ଭ ହେବ ଟୀକାରଣ

ମନ୍ତ୍ରଣାଳୟ କହିଛି ଯେ କୋଭିଡ -୧୯ର ଟିକା ନେବା ବ୍ୟକ୍ତିଙ୍କ ଇଚ୍ଛା ଉପରେ ନିର୍ଭର କରିବ। ତଥାପି, ଟୀକାକରଣର ସମ୍ପୂର୍ଣ୍ଣ ଡୋଜ୍ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ମନ୍ତ୍ରଣାଳୟ କହିଛି ଯେ ବିଭିନ୍ନ ଟିକା ପରୀକ୍ଷା ବିଭିନ୍ନ ପର୍ଯ୍ୟାୟରେ ଅଛି। ସରକାର ଶୀଘ୍ର କୋଭିଡ -୧୯ ଟୀକାକରଣ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି।

ଦେଶରେ ଏହି ୬ଟି ଟିକା ଉପରେ ପରୀକ୍ଷା କରାଯାଉଛି

ଭାରତରେ ୬ଟି କୋଭିଡ-୧୯ଟିକା ପରୀକ୍ଷା ଚାଲିଛି । ଏଥିରେ ଆଇସିଏମଆର ସହଯୋଗରେ ଭାରତ ବାୟୋଟେକ, ଜିଡସ୍ କ୍ୟାଡିଲା, ଜେନୋଭା, ଅକ୍ସଫୋର୍ଡ ଦ୍ବାରା ବିକଶିତ ଟିକା ଉପରେ ପରୀକ୍ଷା ଚାଲିଛି। ହାଇଦ୍ରାବାଦର ରେଡ୍ଡୀ ଲ୍ୟାବରେ ସ୍ପୁଟନିକ୍-ଭି ଏବଂଏମଆଇଡି, ଏବଂ ଆମେରିକା ସହିତ ସମନ୍ବୟରେ ହାଇଦ୍ରାବାଦରେ ବାୟୋଲୋଜିକାଲ୍ ଇ ଲିମିଟେଡ୍ ଦ୍ବାରା ବିକଶିତ ହୋଇଥିବା ଟିକା ମଧ୍ୟ ସାମିଲ ହୋଇଛି।

୨୮ ଦିନର ବ୍ୟବଧାନରେ ଦିଆଯିବ ଟିକା ଡୋଜ୍

ସ୍ୱଳ୍ପ ସମୟ ମଧ୍ୟରେ ପରୀକ୍ଷା ପରେ ପ୍ରସ୍ତୁତ ହୋଇଥିବା ଟିକା କ’ଣ ସୁରକ୍ଷିତ ହେବ ଏବଂ ଏହାର କିଛି ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ କି ନାହିଁ ସେ ସମ୍ବନ୍ଧରେ ମନ୍ତ୍ରଣାଳୟ କହିଛି ଯେ ନିରାପତ୍ତା ଏବଂ କାର୍ଯ୍ୟକାରିତା ଆଧାରରେ ନିୟାମକ ସଂସ୍ଥାଗୁଡ଼ିକର ଅନୁମୋଦନ ପରେ ଏହି ଟିକା ଦିଆଯିବ ।

ମନ୍ତ୍ରଣାଳୟ କହିଛି ଯେ ରାଜ୍ୟମାନଙ୍କୁ ସୁରକ୍ଷିତ ଟୀକାକରଣ ଅଭିଯାନ ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି। ତେବେ ବୀପରିତ ପ୍ରଭାବ ସ୍ଥିତିର ମୁକାବିଲା ପାଇଁ  ବ୍ୟବସ୍ଥା କରିବାକୁ କୁହାଯାଇଛି।  ମନ୍ତ୍ରଣାଳୟ କହିଛି ଯେ ୨୮ ଦିନ ବ୍ୟବଧାନରେ ଦୁଇଟି ଡୋଜ ଟିକା ନେବା ଆବଶ୍ୟକ। କର୍କଟ, ମଧୁମେହ, ଉଚ୍ଚ ରକ୍ତଚାପ ଇତ୍ୟାଦିରେ ପୀଡିତ ରୋଗୀମାନେ ମଧ୍ୟ କୋଭିଡ-୧୯ର ଟିକା ଗ୍ରହଣ କରିପାରିବେ।

ଟୀକାକରଣ ପାଇଁ ଏହି ତଥ୍ୟ ବୈଧ

ପ୍ରାରମ୍ଭିକ ପର୍ଯ୍ୟାୟରେ, ଆଗ ଧାଡ଼ିରେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟ କର୍ମଚାରୀ ଏବଂ କରୋନା ଯୋଦ୍ଧାଙ୍କୁ କୋଭିଡ-୧୯ ଟିକା ଦିଆଯିବ। ଟିକା ଉପଲବ୍ଧତା ଆଧାରରେ ୫୦ ବର୍ଷରୁ ଅଧିକ ଲୋକଙ୍କୁ ମଧ୍ୟ ଏକ ଡୋଜ୍ ଦିଆଯାଇପାରେ। ଚିହ୍ନଟ ହୋଇଥିବା ଲୋକଙ୍କୁ ଟୀକାକରଣ ଏବଂ ଏହାର ସମୟ ବିଷୟରେ ମୋବାଇଲ୍ ନମ୍ବରରେ ଅବଗତ କରାଯିବ।

ଟୀକାକରଣ ପାଇଁ ସ୍ୱାସ୍ଥ୍ୟ କର୍ମୀ ଏବଂ ଆଗଧାଡିର କର୍ମଚାରୀଙ୍କୁ କାହିଁକି ମନୋନୀତ କରାଯାଇଛି ସେନେଇ ମନ୍ତ୍ରଣାଳୟ କହିଛି ଯେ ସରକାର ଅଧିକ ବିପଦପୂର୍ଣ୍ଣ ବର୍ଗ ଭାବେ  ପ୍ରାଥମିକତା ଦେଉଛନ୍ତି। ସେମାନଙ୍କୁ ପ୍ରଥମେ ଟିକା ଦିଆଯିବ। ଡ୍ରାଇଭିଂ ଲାଇସେନ୍ସ, ପାନ୍ କାର୍ଡ, ଭୋଟ ପରିଚୟ ପତ୍ର , ଆଧାର କାର୍ଡ ଆଦି ତଥ୍ୟ ଏହି ଟିକା ପାଇଁ ବୈଧ ହେବ।

Comments are closed.