ସହରାଞ୍ଚଳରେ କୋଭିଡ୍‍ -୧୯ ସଂକ୍ରମଣକୁ ରୋକିବା ପାଇଁ ବିସ୍ତୃତ ନିର୍ଦ୍ଦେଶାବଳୀ

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସହରାଞ୍ଚଳରେ କୋଭିଡ୍‍ -୧୯ ସଂକ୍ରମଣକୁ ରୋକିବା ଦିଗରେ ବ୍ୟାପକ ପ୍ରସ୍ତୁତି ସଂପର୍କିତ ଏକ ବିସ୍ତୃତ ନିର୍ଦ୍ଦେଶାବଳୀ  ପ୍ରକାଶ ପାଇଛି । ଏହି ନିର୍ଦ୍ଦେଶାବଳୀରେ ସହରାଞ୍ଚଳ ଗୁଡ଼ିକରେ କୋଭିଡ୍‍-୧୯ ନିରୀକ୍ଷଣ ଓ କଣ୍ଟାକ୍ଟ ଟ୍ରେସିଂ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି ।
ସେହିଭଳି ବିଭିନ୍ନ କଣ୍ଟେନ୍‍ମେଣ୍ଟ ଜୋନ୍‍ଗୁଡ଼ିକରେ ଲୋକମାନେ ନିଜ ନିଜ ଘରେ ରହିବାର ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବା ଉଦ୍ଦେଶ୍ୟରେ ସେଠାରେ
୧୪୪ ଧାରା ଜାରି କରାଯିବାକୁ କୁହାଯାଇଛି । ସେଠାରେ କାର୍ଯ୍ୟ କରୁଥିବା ବିଭିନ୍ନ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଚିହ୍ନଟ କରାଯାଇ ଏ ସଂପର୍କରେ ସେମାନଙ୍କୁ ତାଲିମ ପ୍ରଦାନ କରିବା ଲାଗି କୁହାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କିମ୍ବା ସ୍ୱାସ୍ଥ୍ୟ ନିର୍ବାହୀ ଅଧିକାରୀ ବିଭିନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହାୟତାରେ କୋଭିଡ୍‍-୧୯ ସଂକ୍ରମଣକୁ ପ୍ରତିହତ କରିବା ତଥା ପରିବେଶ ଓ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ଦିଗରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ତାଲିମ ଦେବେ । ସେହିଭଳି ସ୍ୱାସ୍ଥ୍ୟକେନ୍ଦ୍ର, ରାସନ ସାମଗ୍ରୀ ବଣ୍ଟନ କେନ୍ଦ୍ର, ସାର୍ବଜନୀନ ଶୌଚାଳୟ, ଗୋଷ୍ଠୀ ଜଳସଂଗ୍ରହ କେନ୍ଦ୍ର ଭଳି ସ୍ଥାନଗୁଡ଼ିକରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି।

Comments are closed.