ଟିକା କମ୍ପାନୀମାନେ ସିଧାସଳଖ ଭାରତ ସରକାରଙ୍କ ସହ ଡିଲ ଚାହୁଁଛନ୍ତି: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସକରାରଙ୍କ ବିଶ୍ବସ୍ତରୀୟ ଟିକା ଟେଣ୍ଡରକୁ  ଟିକା ଉତ୍ପାଦନକାରୀଙ୍କ ଅନାଦର। ବିଡିଂକୁ ଆସିଲେନି ଉଭୟ ସେରମ ଓ ଭାରତ ବାୟୋଟେକ୍‌। କେନ୍ଦ୍ର ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ମନ୍ତ୍ରୀ ନବ ଦାସଙ୍କ ଚିଠିରୁ ସୂଚନା ମିଳିଛି। ଟିକା ଯୋଗାଣ ନେଇ କେନ୍ଦ୍ର ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ। ଅର୍ଡରଠାରୁ ବହୁତ କମ ଟିକା ମିଳିବାରୁ ବିଶ୍ବସ୍ତରୀୟ ଟେଣ୍ଡର ଡକାଇଥିଲୁ। ତେବେ ପ୍ରି-ବିଡିଂ ମିଟିଂକୁ ଆସିନଥିଲେ ସେରମ ଓ ଭାରତ ବାୟୋଟେକ। ନିୟମରେ କୋହଳ କରାଯାଇଥିଲେ ବି ବିଡିଂରେ ଉନ୍ନତି ଘଟିନଥିଲା। ଟିକା କମ୍ପାନୀମାନେ ସିଧାସଳଖ ଭାରତ ସରକାରଙ୍କ ସହ ଡିଲ ଚାହୁଁଛନ୍ତି। ମଡର୍ଣ୍ଣା ଓ ଫାଇଜର ଭଳି କମ୍ପାନୀ ଭାରତ ସରକାରଙ୍କ ଅନୁମତି ଅପେକ୍ଷାରେ ଅଛନ୍ତି। ଟିକା କ୍ରୟ ରାଜ୍ୟ ଅପେକ୍ଷା କେନ୍ଦ୍ର ସ୍ତରରେ ହେଲେ ଭଲ ହୁଅନ୍ତା। ମାମଲାର ଗୁରୁତ୍ବ ଦେଖି ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରେଧ। ଟିକା ବଣ୍ଟନ ନୀତି କୋହଳ କରିବାକୁ ଦାବି। ସ୍ଥାନୀୟ ଆବଶ୍ୟକତାକୁ ଦେଖି ଟିକା ଦେବାକୁ କ୍ଷମତା ଦିଆଯାଉ। ଇଣ୍ଟରନେଟ ନ ଥିବା ଅଞ୍ଚଳରେ ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯାଇପାରିବ ନାହିଁ।

ଟିକାକରଣ କ୍ଷେତ୍ରରେ ବିଶ୍ବସ୍ତରୀୟ ଟେଣ୍ଡରର ବିକଳ୍ପ ସଂପର୍କରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି ଦର୍ଶାଇଛନ୍ତି ଯେ ଯେତେବେଳେ ଭାରତରେ କୋଭିଡ଼ ସଂକ୍ରମଣ ହାର କମିବାରେ ଲାଗିଛି, ବିଶ୍ୱର ଅନ୍ୟ କେତେକ ଦେଶରେ କରୋନା ଲହରର ପ୍ରାର୍ଦୁଭାବ ଦେଖିବାକୁ ମିଳୁଛି। ଆମକୁ ଆଗୁଆ ତୃତୀୟ ଲହର  ପ୍ରତି ସତର୍କ ଓ ସାବଧାନ ରହିବାକୁ ପଡ଼ିବ। ବିଶେଷଜ୍ଞମାନଙ୍କ ମତରେ କରୋନାର ଲହରରୁ ମୁକ୍ତି ପାଇବାର ବଳିଷ୍ଠ ମାଧ୍ୟମ ହେଉଛି ଗଣ ଟିକାକରଣ। ଏଥିପାଇଁ ଆମକୁ ଟିକାକରଣ ବୃଦ୍ଧି କରିବାକୁ ପଡ଼ିବ।

ଆମେ କେନ୍ଦ୍ର ସରକାରଙ୍କୁ ନିଶ୍ଚିତଭାବେ ଧନ୍ୟବାଦ ଦେବୁ ଯେ ସରକାର ଟିକାକରଣ ଯୋଜନାକୁ ଯଥା ସମ୍ଭବ ସହଜ କରିବା ପାଇଁ ପ୍ରଚେଷ୍ଟା କରୁଛନ୍ତି ଓ ଟିକା ଉତ୍ପାଦନ ଲାଗି ପ୍ରୋତ୍ସାହିତ କରୁଛନ୍ତି। ପ୍ରଥମରୁ ଓଡ଼ିଶା ଟିକାକରଣ କ୍ଷେତ୍ରରେ ଏକ ଆଗୁଆ ରାଜ୍ୟ ଭାବେ ନିଜକୁ ପ୍ରତିପାଦିତ କରିଛି। ରାଜ୍ୟ ତାର ଟିକାକରଣ ଯୋଜନାକୁ ସଠିକ୍ ମାର୍ଗରେ ପରିଚାଳିତ କରୁଛି ଯଦ୍ବାରା କି ସର୍ବନିମ୍ନ ଟିକା ନଷ୍ଟ ହୋଇଛି। ବର୍ତ୍ତମାନ ସୁଦ୍ଧା ଆମେ ୬୧ ଲକ୍ଷ ରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ଗୋଟିଏ ଡ଼ୋଜ୍ ଟିକା ଦେଇ ସାରିଛୁ। ଏପ୍ରିଲ ମାସ ସୁଦ୍ଧା ଆମେ ମାସକୁ ପ୍ରାୟ ୨ ଲକ୍ଷ ଟିକା ଦେଉଥିଲୁ। ତେବେ ଟିକାର ସ୍ୱଳ୍ପ ଓ ଅନୀୟମିତ ଯୋଗାଣ ଯୋଗୁଁ ଏବେ ଆମେ ହଜାରରୁ ୭୦ ହଜାର ଟିକା େଦଉଛୁ। ଯଦିଓ ଆମର ଦିନକୁ ୩ଲକ୍ଷ ଟିକା ଦେବାର ସୁବିଧା ରହିଛି।

କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ସିଧାସଳଖ ଟିକା ପ୍ରସ୍ତୁତକାରୀଙ୍କଠାରୁ  ଟିକା ମଗାଇବାକୁ ଅନୁମତି ଦେଇଥିବା ବେଳେ, ଆମେ ପ୍ରଥମ କରି ୨୨୦ ଲକ୍ଷ ପାନ କୋଭାସିଲ୍ଡ ଟିକା ସେରମ୍ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଠାରୁ ଓ ୧୦.୩୪ ଲକ୍ଷ ପାଳନ କୋଭାକ୍ସିନ୍ ଟିକା ଭାରତ ବାୟୋଟେକ୍ ଠାରୁ ମଗାଇଥିଲୁ, ତେବେ ସେମାନେ ବର୍ତମାନ ସୁଦ୍ଧା ୫ଲକ୍ଷ ୭୮ହଜାର ୪୮୦ ପାନ କୋଭିସିଲ୍ଡ ଓ ୧ଲକ୍ଷ ୭୫ ହଜାର ୪୯୦ ପାନ କୋଭାକ୍ସିନ୍ ଦେଇଛନ୍ତି। ରାଜ୍ୟର ଟିକାକରଣ ଚାହିଦା ଅନୁସାରେ ଏହାର ପରିମାଣ ବହୁତ କମ୍ ଅଟେ। ସିଧା ସଳଖ ଟୀକା କିଣିବାର ଏହି ଅସୁବିଧାକୁ ଦୃଷ୍ଟିରେ ରଖି ଆମ ରାଜ୍ୟ ବିଶ୍ବସ୍ତରୀୟ ଟେଣ୍ଡର ଆହ୍ୱାନ କରିଥିଲା। ତେବେ ଏଥିପ୍ରତି ବର୍ତ୍ତମାନ ଯାଏ ସେଭଳି କୌଣସି ସକାରାତ୍ମକ ଆଗ୍ରହ ଦେଖିବାକୁ ମିଳିନାହିଁ। ଏଥିରେ ସେରମ୍ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଓ ଭାରତ ବାୟୋଟିକ୍ ଅଂଶ ଗ୍ରହଣ କଲେ ନାହିଁ। ଏଥିରୁ ଏହା ଜଣାପଡ଼େକି ବର୍ତ୍ତମାନ ଅବସ୍ଥାରେ ସେମାନେ ଟିକା ଯୋଗାଇବା ଅବସ୍ଥାରେ ନାହାନ୍ତି ଓ ନିଜର ଟିକା ଉତ୍ପାଦନ କ୍ଷମତା ମଧ୍ୟ ହଠାତ୍ ବଢ଼ାଇ ପାରିବେ ନାହିଁ। ଅନ୍ୟ ରାଜ୍ୟ ମାନଙ୍କର ଟେଣ୍ଡର ସ୍ଥିତିକୁ ଲକ୍ଷ କରି ଆମେ ବିଶ୍ବସ୍ତରୀୟ ଟେଣ୍ଡର ଆହ୍ୱାନ କରିଥିଲୁ ଯାହାକି ରାଜ୍ୟ କ୍ୟାବିନେଟର ଅନୁମୋଦନ ଲାଭ କରିଥିଲା। ଏଥିରେ କେତେକ ସର୍ତକୁ ମଧ୍ୟ କୋହଳ କରାଯାଇଥିଲା।

 

ଅନ୍ୟ ରାଜ୍ୟ ଯେଉଁମାନେ କି ବିଶ୍ବସ୍ତରୀୟ ଟେଣ୍ଡର ଆହ୍ୱାନ କରିଥିଲେ, ବିଶ୍ବସ୍ତରୀୟ ଟିକା ପ୍ରସ୍ତୁତକାରୀ ଫାଇଜର ଓ ମଡ଼ର୍ଣ୍ଣା ଏଥିରେ ଅଂଶ ଗ୍ରହଣ କରୁନାହାନ୍ତି। ଆମର ସଂଘୀୟ ବ୍ୟବସ୍ଥାରେ ସେମାନେ କେନ୍ଦ୍ର ସରକାରଙ୍କ ସହ ଚୁକ୍ତି କରିବା ପାଇଁ ଆଗ୍ରହି ଥିବାବେଳେ ରାଜ୍ୟ ମାନଙ୍କ ପ୍ରତି ସେତେଟା ଆଗ୍ରହ ପ୍ରକାଶ କରୁନଥିବା ପରିଲକ୍ଷିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ବିନା ମୂଲ୍ୟରେ ଟିକା ଦେବା ସହ ରାଜ୍ୟ ରାଜ କୋଷରୁ ଏହି ବାବଦକୁ ହେବାକୁ ଥିବା ଖର୍ଚ୍ଚ ଭରଣା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଟିକାକରଣ କେତେକ ଦେଶରେ କରୋନାର ପ୍ରତିରୋଧ କରି ପାରିଛି। ଆମକୁ କରୋନାର ଆଗୁଆ ଲହର ପୂର୍ବରୁ ଯୁଦ୍ଧକାଳିନ ଭିତ୍ତିରେ ଟିକାକରଣ କାର୍ଯ୍ୟ ସାରିବାକୁ ପଡ଼ିବ। ଏହିସବୁ ଅସୁବିଧାକୁ ଦୃଷ୍ଟିରେ ରଖି ଟିକା ଯୋଗାଣ ସମ୍ପର୍କରେ ବିକଳ୍ପ ବ୍ୟବସ୍ଥା କରିବା ଦିଗରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସ କେନ୍ଦ୍ର ମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି।

Comments
Loading...