ଅମ୍ଳଜାନର ଅଭାବ ନାହିଁ; ବଢ଼ିବ ଶଯ୍ୟା

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା, କେନ୍ଦ୍ରକୁ ମଗାଯିବ ସ୍ବତନ୍ତ୍ର ମାର୍ଗଦର୍ଶିକା, ସ୍ପଟ୍‌ରେ କିଶୋରଙ୍କୁ ଦେଇହେବ ଟିକା

ଭୁବନେଶ୍ୱର : ରାଜ୍ୟରେ କରୋନାର ନୂତନ ପ୍ରଜାତି ‘ଓମିକ୍ରନ’କୁ ରୋକିବା ଦିଗରେ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସୋମବାର ଏସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକ ପରେ ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି ଯେ ପଡୋଶୀ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ଓଡ଼ିଶାରେ ଏବେ ଏହାର ହାର କମ୍ ରହିଛି। ମାତ୍ର ଏହାକୁ ହାଲୁକା ଭାବେ ଗ୍ରହଣ କରିହେବନାହିଁ। ସରକାରଙ୍କ ପକ୍ଷରୁ ଓମିକ୍ରନର ଗତିପଥକୁ ରୋକିବା ଲାଗି ଶଯ୍ୟା ସଂଖ୍ୟା ବୃଦ୍ଧି ସହିତ ‘ଅମ୍ଳଜାନ’ ସଂରକ୍ଷଣ ଓ ଆନୁଷଙ୍ଗିକ ଔଷଧପତ୍ର ମହଜୁଦ ଉପରେ ଗୁରୁତ୍ବ ଦିଆଯାଇଛି। ଏବେ ଅମ୍ଳଜାନର ସଙ୍କଟ ନାହିଁ, ଓମିକ୍ରନର ସ୍ପଷ୍ଟ ମାର୍ଗଦର୍ଶିକା ନଥିବାରୁ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ପତ୍ର ଲେଖିବାକୁ ବୈଠକରେ ନିଷ୍ପତ୍ତି ହୋଇଇଛି।
ଅନ୍ୟପକ୍ଷରେ ଆଜିଠାରୁ ୧୫ ରୁ ୧୮ବର୍ଷର କିଶୋରଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଛି। ଏଥିପାଇଁ ୪୫ ହଜାର ପଞ୍ଜୀକରଣ ହୋଇଥିବାବେଳେ ଯେଉଁମାନେ ପଞ୍ଜୀକରଣ କରିନାହାନ୍ତି ସେମାନଙ୍କୁ କେନ୍ଦ୍ରରେ ପଞ୍ଜୀକରଣ କରି ଟିକା ଦେବାକୁ ନିଷ୍ପତ୍ତି ହୋଇଛି । ଶ୍ରୀ ଦାସଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ଏବେ ୫୩୧୧ ସାଧାରଣ ଶଯ୍ୟା ରହିଥିବାବେଳେ ୧୩୭୪ଟି ଜୀବନ ରକ୍ଷାକାରୀ ଶଯ୍ୟା, ୬୨୪ଟି ଅମ୍ଳଜାନ ସଂଯୁକ୍ତ ଜୀବନ ରକ୍ଷାକାରୀ ଶଯ୍ୟା ରହିଛି। ଶିଶୁଙ୍କ ଲାଗି ସ୍ବତନ୍ତ୍ର ଭାବେ ୧୧୮୫ଟି ବିଭିନ୍ନ ବର୍ଗର ଶଯ୍ୟା ପ୍ରସ୍ତୁତ ରଖାଯାଇଛି। ଏହାସହିତ ଖୋର୍ଦ୍ଧାରେ ୨୦୦, କଟକ ବଡ଼ ମେଡିକାଲରେ ୬୦୦ ଅଶ୍ବିନୀରେ ୫୦, ରାଉରକେଲାରେ ୬୦ଟି ଶଯ୍ୟା ବଢ଼ାଯିବାକୁ ଯୋଜନା ରହିଛି।

Comments are closed.