ଚୀନର ହୁଆନ ହିଁ କରୋନାର ଉତ୍ପତ୍ତିସ୍ଥଳ – ହର୍ଷ ବର୍ଦ୍ଧନ

- ରବିବାର ସମ୍ୱାଦର ଷଷ୍ଠ ଭାଗରେ ଅନେକ ପ୍ରଶ୍ନର ଉତ୍ତର ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ

ରବିବାର ସମ୍ୱାଦର ଷଷ୍ଠ ଭାଗରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ ସାମାଜିକ ଗଣମାଧ୍ୟମରେ ଆସିଥିବା ଅନେକ ପ୍ରଶ୍ନର ଉତ୍ତର ଦେବା ବେଳେ କହିଛନ୍ତି ଯେ ଚୀନର ହୁଆନ ହିଁ କରୋନାର ଉତ୍ପତ୍ତିସ୍ଥଳ। ସାରା ବିଶ୍ୱରେ ଏକ ସଂଗେ କରୋନା ଆରମ୍ଭ ହୋଇଥିବା ଚୀନର ଦାବିକୁ ହର୍ଷ ବର୍ଦ୍ଧନ ଅଗ୍ରାହ୍ୟ କରି କହିଛନ୍ତି ଯେ ଏହିଭଳି ଅଯୌକ୍ତିକ ଦାବିର କୌଣସି ଅର୍ଥ ନାହିଁ। ଆଜି ଏହି ସାପ୍ତାହିକ ‘ରବିବାର ସମ୍ବାଦ’ର ସଂସ୍ଥା ଭାଗରେ ସେ ନବରାତ୍ରି ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ଅବସରରେ କହିଛନ୍ତି ଯେ ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ଜନ ଆନ୍ଦୋଳନରେ ସାମିଲ ହୁଅନ୍ତୁ ଓ କରୋନା କଟକଣା ପାଳନ କରନ୍ତୁ। ଏହି ପାର୍ବଣ ଋତୁରେ ସମସ୍ତଙ୍କୁ ନିଜ ପ୍ରିୟଜନଙ୍କ ସହ ପାରମ୍ପାରିକ ଢଙ୍ଗରେ ଘରେ ରହି ଉତ୍ସବ ପାଳନ କରିବାକୁ ସେ ଅନୁରୋଧ କରିଛନ୍ତି।

ସମ୍ପ୍ରତି କେରଳରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ମାମଲାରେ ଡକ୍ଟର ହର୍ଷ ବର୍ଦ୍ଧନ କହିଛନ୍ତି ଯେ ଜାନୁୟାରୀ ୩୦ରୁ ମେ ୩ ମଧ୍ୟରେ କେରଳରେ ସଂକ୍ରମଣ ସଂଖ୍ୟା କେବଳ ୪୯୯ ଓ ମୃତ୍ୟୁ ସଂଖ୍ୟା ୨ ମଧ୍ୟରେ ରହିଥିଲା କିନ୍ତୁ ସେଠାରେ କିଛି ଦିନ ପୂର୍ବରୁ ଓନାମ ପର୍ବ ପାଳନ ବେଳେ ଅବହେଳା କାରଣରୁ ଏବେ ସେଠାରେ ଦୈନିକ ନୂଆ ମାମଲା ପ୍ରାୟ ଦ୍ୱିଗୁଣିତ ହୋଇଛି। ଚୀନ ତିଆରି ଅକ୍ସିମିଟର ବିକ୍ରି ସମ୍ପର୍କିତ ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେବାବେଳେ ସେ କହିଛନ୍ତି ଯେ, ଉପଭୋକ୍ତାମାନେ ଅକ୍ସିମିଟର କିଣିବା ପୂର୍ବରୁ ସେଥିରେ ଥିବା ଆଇଏସଓ ନିର୍ଦ୍ଧାରିତ ମାନକ ଯାଞ୍ଚ କରିବା ଉଚିତ।

ରାଜ୍ୟମାନଙ୍କୁ କୋଭିତ-୧୯ ଅନୁଦାନର ଦ୍ୱିତୀୟ ପର୍ଯ୍ୟାୟ ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ଅଗଷ୍ଟରୁ ଅକ୍ଟୋବର ପର୍ଯ୍ୟନ୍ତ ୩୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ପାଇଁ ୧୩୫୨ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ସେ କହିଛନ୍ତି, ମହାମାରୀ ମଧ୍ୟରେ ଅନଲାଇନ୍ ଶିକ୍ଷାରେ ତାଙ୍କ ମନ୍ତ୍ରାଳୟ ପଛରେ ନାହିଁ। ମେଡିକାଲ କଲେଜ ଏବଂ ଅନୁଷ୍ଠାନଗୁଡିକ ଏମବିବିଏସ ଛାତ୍ରମାନଙ୍କ ପାଇଁ ଅନଲାଇନ୍ କ୍ଲାସ୍ କରୁଛନ୍ତି ଯାହା ଜାତୀୟ ମେଡିକାଲ୍ କମିଶନଙ୍କ ଦ୍ୱାରା ଅନୁମୋଦିତ ହୋଇଛି।

ଖବରକାଗଜ ମାଧ୍ୟମରେ କରୋନା ସଂକ୍ରମଣ ବ୍ୟାପିବାର କୌଣସି ବୈଜ୍ଞାନିକ ସତ୍ୟତା ନ ଥିବା ସେ କହିଛନ୍ତି। ସେ କହିଛନ୍ତି ଯେ କରୋନା ମହାମାରୀ ସମୟରେ ଖବରକାଗଜ ପଢିବା ସମ୍ପୂର୍ଣ୍ଣ ସୁରକ୍ଷିତ ଅଟେ।

ଦେଶରେ ଥିବା ମେଡିକାଲଗୁଡିକରେ ଅମ୍ଳଜାନର ଅଭାବ ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ଭାରତର ବର୍ତ୍ତମାନ ଅମ୍ଳଜାନ ଉତ୍ପାଦନ କ୍ଷମତା ପ୍ରାୟ ଦୈନିକ ୬୪୦୦ ମେଟ୍ରିକ ଟନ ରହିଛି ଏବଂ ଆବଶ୍ୟକ ଅନୁଯାୟୀ ଅମ୍ଳଜାନ ଉତ୍ପାଦନ କ୍ଷମତା ଆହୁରି ବୃଦ୍ଧି କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି। ଗୃହ ମନ୍ତ୍ରାଳୟ ଦ୍ୱାରା ଗଠିତ ସଶକ୍ତୀକରଣ ଗୋଷ୍ଠୀ ସମଗ୍ର ଭାରତରେ ଡାକ୍ତରୀ ଅମ୍ଳଜାନର ଆବଶ୍ୟକତା ଉପରେ ନଜର ରଖିଛି ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅକ୍ସିଜେନ ପାଇଁ ରାଜ୍ୟ ନୋଡାଲ ଅଧିକାରୀଙ୍କ ସହିତ ନିୟମିତ ଭିସି ମାଧ୍ୟମରେ ମେଡିକାଲ ଅମ୍ଳଜାନର ଉପଲବ୍ଧତା ଏବଂ ଯୋଗାଣ ଉପରେ ମଧ୍ୟ ନଜର ରଖିଛି। ଆଜି ସୁଦ୍ଧା ୧ ଲକ୍ଷ ୨ ହଜାର ୪ ଶହ ମେଡିକାଲ ଅମ୍ଳଜାନ ସିଲିଣ୍ଡର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ବିତରଣ କରାଯାଇଥିବା ସେ କହିଛନ୍ତି।

Comments are closed.