ସାମ୍ବାଦିକଙ୍କ ପାଇଁ ସ୍ବାସ୍ଥ୍ୟ ବୀମା ଯୋଜନା : ତାଲିକା ପଠାଇବାକୁ ଜିଲାପାଳଙ୍କୁ ଚିଠି

ଭୁବନେଶ୍ବର : ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ତାଲିକା ପ୍ରଦାନ ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ୧୩ ଜିଲାର ଜିଲାପାଳଙ୍କୁ ଚିଠି ଲେଖାଯାଇଛି। କାର୍ଯ୍ୟରତ ସାମ୍ବାଦିକମାନଙ୍କ ନିମନ୍ତେ ଗୋପବନ୍ଧୁ କାର୍ଯ୍ୟରତ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ୨୦୨୦-୨୧ ବର୍ଷ ପାଇଁ ତାଲିକା ପ୍ରସ୍ତୁତି ଚାଲିଛି। ଏଥିପାଇଁ ବିଭିନ୍ନ ଜିଲାରେ କାର୍ଯ୍ୟରତ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ଗତ ଜୁନ ୮ତାରିଖରୁ ତାଲିକା ମଗାଯାଇଥିଲା। ପୁନର୍ବାର ଏଥିନେଇ ଜୁନ ୩୦ରେ ଆଉ ଏକ ଚିଠି ଲେଖାଯାଇଥିଲା। ହେଲେ ଏ ପର୍ଯ୍ୟନ୍ତ କିଛି ଜିଲାର ଲୋକ ସମ୍ପର୍କ ଅଧିକାରୀ ତାଲିକା ପଠାଇ ନାହାନ୍ତି। ବିଶେଷ କରି କଟକ, ପୁରୀ, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ବରଗଡ଼, କୋରାପୁଟ, ମୟୂରଭଞ୍ଜ, ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, କଳାହାଣ୍ଡି ଓ ଭଦ୍ରକରୁ ଏ ପର୍ଯ୍ୟନ୍ତ ତାଲିକା ମିଳିନାହିଁ। ଉକ୍ତ ପଲିସିର ଅବଧି ଆସନ୍ତା ଅଗଷ୍ଟ ୩୧ ସୁଦ୍ଧା ଶେଷ ହେଉଥିବାରୁ ତାଲିକା ପଞ୍ଜିକରଣରେ ବିଳମ୍ବ ହେଲେ ଏ ଯୋଜନାର କାର୍ଯ୍ୟକାରିତା ବାଧାପ୍ରାପ୍ତ ହେବାର ଆଶଙ୍କା ଥିବାରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଯୁଗ୍ମ ନିର୍ଦେଶକ ବରଦାପ୍ରସନ୍ନ ଦାସ ଏ ସଂକ୍ରାନ୍ତରେ ଜିଲାପାଳମାନଙ୍କୁ ଚିଠି ଲେଖି ସହଯୋଗ ଲୋଡ଼ିଛନ୍ତି।

Comments are closed.