ସମସ୍ତଙ୍କ ପାଇଁ ‘ହେଲ୍‌ଥ ଆଇଡି’ ; ଭାରତ ନିମନ୍ତେ ଏଭଳି ବିଚାର ମନ୍ଦ ନୁହେଁ

କରୋନା ମହାମାରୀର ଦୌରାତ୍ମ୍ୟ ସବୁ ଦେଶର ସ୍ବାସ୍ଥ୍ୟସେବା ବ୍ୟବସ୍ଥାର ଦୁର୍ବଳତାକୁ ପଦାରେ ପକାଇ ଦେଇଛି। ଗରିବ ଓ ବିକାଶଶୀଳ ଦେଶମାନେ ତ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସର୍ବଦା ପଛରେ। ଧନୀ ଓ ବିକଶିତ ଦେଶ ସମୂହ ଯେଉଁମାନେ ନିଜର ଉନ୍ନତ ସ୍ବାସ୍ଥ୍ୟ ଭିତ୍ତିଭୂମି ପାଇଁ ଗର୍ବ କରନ୍ତି, ସେମାନେ ମଧ୍ୟ କରୋନା ମାଡ଼ରେ ଘାଇଲା ହୋଇଛନ୍ତି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭାରତ ଭଳି ଏକ ଅନଗ୍ରସର ଜନବହୁଳ ଦେଶରେ କରୋନାର ପ୍ରଭାବ କିନ୍ତୁ ଏତେ ବିପଜ୍ଜନକ ଏଯାଏ ହୋଇନାହିଁ। ସେଥିପାଇଁ ଅବଶ୍ୟ କୋଭିଡ୍‌ ପରିଚାଳନାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସହଯୋଗ ବିଶେଷ ଭୂମିକା ଗ୍ରହଣ କରିଛି କହିଲେ ଭୁଲ ହେବନାହିଁ। ତେବେ ଏହି କରୋନା କାଳ ଖଣ୍ଡ ଆମର ସ୍ବାସ୍ଥ୍ୟ ବ୍ୟବସ୍ଥାରେ ଥିବା ତ୍ରୁଟିକୁ ସୁଧାରିବାରେ ଆମକୁ ଯଥେଷ୍ଟ ଶିକ୍ଷା ଦେଇଛି। ଏକ ପରିସ୍ଥିତିର ମୁକାବିଲା ପାଇଁ ସୃଷ୍ଟ ଆହ୍ବାନକୁ ଗୋଟିଏ ଦେଶ ଯେତେବେଳେ ସ୍ବଳ୍ପ ସମୟ ମଧ୍ୟରେ ପୂରଣ କରିପାରେ ସେତେବେଳେ ତାହାର ସାମଗ୍ରିକ ସାମର୍ଥ୍ୟ ଓ ଶକ୍ତିର ପରିଚୟ ମିଳେ। ଆଗକୁ କ’ଣ ହେବ ଏବଂ କରୋନା କି ରୂପ ଧାରଣ କରିବ ତାହା ଭିନ୍ନ କଥା; ତେବେ ଏହାର ମୁକାବିଲା ପାଇଁ ବର୍ତ୍ତମାନ ସ୍ଥିତିରେ ଭାରତ ବିଭିନ୍ନ ପ୍ରତିକୂଳ ସ୍ଥିତି ମଧ୍ୟରେ ଯେ ସମର୍ଥ ହୋଇଛି ତାହା କହିଲେ ଭୁଲ ହେବନାହିଁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସ୍ବାଧୀନତା ଦିବସ ଭାଷଣ ଅବସରରେ ଭାରତର ସ୍ବାସ୍ଥ୍ୟସେବା ବ୍ୟବସ୍ଥାର ସ୍ଥିତି ଓ ଭବିଷ୍ୟତ ନେଇ ଯାହା ସବୁ କହିଛନ୍ତି ତାହା ଅତିରଂଜନ ନୁହେଁ। ଏହି ସରକାର ଆସିବା ଦିନରୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନୂଆନୂଆ ପଦକ୍ଷେପମାନ ଗ୍ରହଣ କରାଯାଉଛି। ବହୁଦିନରୁ ଏସବୁର ଆବଶ୍ୟକତା ଅନୁଭୂତ ହେଉଥିଲା। ତେଣୁ ସେସବୁକୁ ପୂରଣ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଆୟୁଷ୍ମାନ ଭାରତ ଯୋଜନାଠାରୁ ଆରମ୍ଭ କରି ଜନୌଷଧି, ହେଲ୍‌ଥ ଆଣ୍ଡ ୱେଲନେସ୍‌ କାର୍ଯ୍ୟକ୍ରମ, ମିଶନ ଇନ୍ଦ୍ରଧନୁଷ ଓ ଆହୁରି ଅନେକ ଏସବୁ ସ୍ବସ୍ତ ଓ ସୁସ୍ଥ ଭାରତ ପାଇଁ। ଆଗରୁ ଯେ ଯୋଜନା ହେଉନଥିଲା ସେକଥା ନୁହେଁ; ଯୋଜନାର ରୂପାୟନ କ୍ଷେତ୍ରରେ ଉତ୍ସର୍ଗିକୃତ ଭାବନା ଓ ଲକ୍ଷ୍ୟ ପୂରଣରେ ପ୍ରଚଣ୍ଡ ତତ୍ପରତା ଅଭାବ ଥିଲା। ଏବେ କିନ୍ତୁ ସରକାର ଏଥିପ୍ରତି ରାଜନୈତିକ ଇଚ୍ଛାଶକ୍ତି ପ୍ରୟୋଗ କରିଥିବାରୁ ଏହାର ରୂପାୟନ ପ୍ରକ୍ରିୟା ଅଧିକ ତ୍ବରାନ୍ବିତ ହେଉଛି। ଆବଶ୍ୟକ ଚିକିତ୍ସକ ଓ ଚିକିତ୍ସା କର୍ମଚାରୀଙ୍କ ଅଭାବରେ କୌଣସି ଦେଶର ସ୍ବାସ୍ଥ୍ୟସେବାରେ ଉନ୍ନତି ଆସିପାରିବ ନାହିଁ। ସେ କଥାଟିକୁ ସରକାର ଭଲ ଭାବେ ବୁଝିବା ପରେ ନୂଆ ମେଡିକାଲ ଓ ନର୍ସିଂ କଲେଜମାନ ସ୍ଥାପନ କରିବା ସହିତ ଅଧିକରୁ ଅଧିକ ସିଟ୍‌ ସୃଷ୍ଟି କରିଛନ୍ତି। ଏଥିରେ ଘରୋଇ କ୍ଷେତ୍ରକୁ ସାମିଲ ମଧ୍ୟ କରାଯାଇଛି।
ତେବେ ସ୍ବାଧୀନତା ଦିବସ ଭାଷଣରେ ପ୍ରଧାନମନ୍ତ୍ରୀ ଯେଉଁ ‘ନ୍ୟାସନାଲ ଡିଜିଟାଲ ହେଲ୍‌ଥ ମିଶନ’ ଆରମ୍ଭ ବିଷୟ କହିଛନ୍ତି ତାହା ଏଭ ଭଲ ପ୍ରୟାସ। ଏଥିରେ ପ୍ରତ୍ୟେକ ଭାରତୀୟଙ୍କୁ ଏକ ହେଲ୍‌ଥ ଆଇଡି ବା ନିଜର ସ୍ବାସ୍ଥ୍ୟ ସଂକ୍ରାନ୍ତ ଏକ ଡିଜିଟାଲ ପତ୍ର ଦିଆଯିବ। ସେଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କର ବ୍ୟାଧି, ଚିକିତ୍ସା, କରିଥିବା ପରୀକ୍ଷା, ତାହାର ଫଳାଫଳ, ଚିକିତ୍ସକଙ୍କ ନାମ, ଖାଇଥିବା ଔଷଧ ଆଦିର ବିବରଣୀ ରହିବ। ଏହି ବ୍ୟବସ୍ଥାଟି ଡିଜିଟାଲ ଟେକ୍‌ନୋଲୋଜି ଦ୍ବାରା ପରିଚାଳିତ ହେବ। କହିବା ବାହୁଲ୍ୟ ଯେ ଏହା ଏକ ଦୂରଦର୍ଶୀ କାର୍ଯ୍ୟକ୍ରମ ଏବଂ ସ୍ବସ୍ତ ଭାରତ ଗଠନ ଦିଗରେ ଏକ ବଳିଷ୍ଠ ପଦକ୍ଷେପ। ପ୍ରତ୍ୟେକ ବ୍ୟକ୍ତିର ଏକ ସ୍ବାସ୍ଥ୍ୟ ପରିଚୟପତ୍ର ରହିବାର ଆବଶ୍ୟକତା ଅଛି। ଏହା ଫଳରେ ଚିକିତ୍ସା ବ୍ୟବସ୍ଥା ସହଜ ଓ ସୁଗମ ହୋଇପାରିବ ଏବଂ ଚିକିତ୍ସକମାନେ ଅଧିକ ଉପକୃତ ହେବେ। ଆଇଡି ରହିଲେ ଭବିଷ୍ୟତରେ ଅଯଥା ଓ ଆନୁମାନିକ ଟେଷ୍ଟ ବା ପରୀକ୍ଷା ଆଦି କରିବାର ଆବଶ୍ୟକତା ରହିବ ନାହିଁ। ଅବଶ୍ୟ ଏହି କାର୍ଯ୍ୟକ୍ରମର ସବିଶେଷ ତଥ୍ୟ ପରେ ଆସିବ। ତେବେ ଏହି ଆଇଡିଧାରୀଙ୍କୁ ପ୍ରତ୍ୟକ୍ଷ ଚିକିତ୍ସା ସେବା ଯୋଗାଣରେ ଏହା କେତେଦୂର ସହାୟକ ହେବ ତାହା ଦେଖିବାକୁ ବାକି ରହିଲା। ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ ସେବା ଯୋଜନାରେ ଏହାକୁ ଯୋଡ଼ିଲେ ଅବଶ୍ୟ ଲୋକେ ଉପକୃତ ହେବେ।

Comments
Loading...