ଅର୍ଦ୍ଧାଧିକ ବିଦ୍ୟାଳୟରେ ନାହିଁ ଆବଶ୍ୟକ ଶ୍ରେଣୀ ଗୃହ

ରାଜ୍ୟର ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆବଶ୍ୟକ

ଭୁବନେଶ୍ବର : ରାଜ୍ୟରେ ସ୍ବାସ୍ଥ୍ୟ ଓ ଶିକ୍ଷାର ସ୍ଥିତି ଅତ୍ୟନ୍ତ ଉଦ୍‌ବେଗଜନକ। ଭିତ୍ତିଭୂମି ଦୁର୍ବଳ ସାଙ୍ଗକୁ ମାନବସମ୍ବଳର ଅଭାବ ରହିଛି। ଏହି କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବାର ଆବଶ୍ୟକତା ରହିଛି। ଶିକ୍ଷା ଅଧିକାର ଆଇନ୍-୨୦୦୯ ଅନୁସାରେ ୯୬୦ଟି ବିଦ୍ୟାଳୟରେ ପ୍ରତି ଶିକ୍ଷକଙ୍କ ପାଇଁ ଗୋଟିଏ ଶ୍ରେଣୀ ଗୃହ ହିସାବରେ ୫୯୭୬ଟି ଶ୍ରେଣୀ ଗୃହର ଆବଶ୍ୟକତା ଥିବା ବେଳେ କେବଳ ୨୪୯୫ଟି ଶ୍ରେଣୀଗୃହ ରହିଛି। ରାଜ୍ୟସ୍ତରୀୟ ଲୋକ ସଂଗଠନ ଓଡ଼ିଶା ଶ୍ରମଜୀବୀ ମଞ୍ଚ ଏବଂ ମହିଳା ଶ୍ରମଜୀବୀ ମଞ୍ଚ, ଓଡ଼ିଶା ପକ୍ଷରୁ ରାଜ୍ୟର ୧୭ଟି ଜିଲାର ୭୪ଟି ବ୍ଳକ୍ ଅନ୍ତର୍ଗତ ୯୬୦ଟି ସରକାରୀ ବିଦ୍ୟାଳୟକୁ (୧ମ ରୁ ୮ମ ଶ୍ରେଣୀ) ନେଇ କରାଯାଇ ଥିବା ସର୍ବେକ୍ଷଣ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଅନୁଷ୍ଠାନ ପକ୍ଷରୁ ୩୪୭ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ମଧ୍ୟ ସର୍ବେକ୍ଷଣ କରାଯାଇଥିଲା। ଏହି ରିପୋର୍ଟ ଆଜି ସ୍ଥାନୀୟ ଗୀତଗୋବିନ୍ଦ ଭବନ ଠାରେ ଉନ୍ମୋଚିତ ହୋଇଥିଲା।
ଏଥିରେ କୁହାଯାଇଛି ଯେ ୯୬୦ଟି ବିଦ୍ୟାଳୟରୁ ୨୭୪ଟିରେ ପ୍ରଧାନ ଶିକ୍ଷକ ଗୃହ ନାହିଁ। ୩୦ଟି ବିଦ୍ୟାଳୟ ଏପରି ଅଛି ଯେଉଁଠି ଶ୍ରେଣୀ ଗୃହ ଆଦୌ ନାହିଁ। ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ରାମ୍ପ୍ ନିର୍ମାଣ ଜରୁରୀ ହୋଇଥିବା ବେଳେ ଏଥିପାଇଁ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପାଣ୍ଠି ଯୋଗାଇ ଦେଉଛନ୍ତି। ସ​‌େ​‌ର୍ବକ୍ଷଣରେ ସାମିଲ ହୋଇଥିବା ଉପରୋକ୍ତ ସଂଖ୍ୟକ ବିଦ୍ୟାଳୟ ମଧ୍ୟରୁ ୨୩୮ଟି ବିଦ୍ୟାଳୟରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ରାମ୍ପ୍ ନିର୍ମାଣ ହୋଇନାହିଁ। ସେହିପରି ୬୦ଟି ବିଦ୍ୟାଳୟରେ ରୋଷେଇ ଘର ନଥିବା ବେଳେ ୬୨୫ଟି ବିଦ୍ୟାଳୟରେ ପାଚେରି ଓ ୬୨୬ ବିଦ୍ୟାଳୟରେ ଖେଳ ପଡ଼ିଆ ନାହିଁ। ଅପରପକ୍ଷେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଭିତ୍ତିଭୂମି, ସେବା ଯୋଗାଣର ଗୁଣବତ୍ତା ଓ ନୀତି କାର୍ଯ୍ୟାନ୍ବୟନ କ୍ଷେତ୍ରରେ ଅନେକ ଅସଙ୍ଗତି ରହିଥିବା ଏଥିରୁ ଜଣାପଡ଼ିଛି। ରାଜ୍ୟ ସରକାର ଯଦି ପ୍ରକୃତରେ ଶିକ୍ଷା ଓ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସୁଧାର ଆଣିବା ପାଇଁ ଚାହୁଁଛନ୍ତି ତେବେ ଭିତ୍ତିଭୂମି, ଗୁଣାତ୍ମକ ସେବାରେ ସୁଧାର ଉପରେ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ବୈଠକରେ ମତପ୍ରକାଶ ପାଇଥିଲା।
ଏହି ରିପୋର୍ଟ କାର୍ଡ ଉନ୍ମୋଚନ କାର୍ଯ୍ୟକ୍ରମରେ ଓଡ଼ିଶା ଶିକ୍ଷା ଅଧିକାର ଫୋରମ୍‌ର ଆବାହକ ଅନିଲ ପ୍ରଧାନ, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ସାମାଜିକ କର୍ମୀ ସୁଦର୍ଶନ ଦାସ, ସମଦୃଷ୍ଟିର ସମ୍ପାଦକ ସୁଧୀର ପଟ୍ଟନାୟକ, ରାଜ୍ୟ ଶିଶୁ ଅଧିକାର ଆୟୋଗର ଉପଦେଷ୍ଟା ଘାସିରାମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.