ସୁରକ୍ଷାର ଉପାୟ ହାତ ଧୋଇବା

ଆସନ୍ତା ୧୫ତାରିଖରେ ବିଶ୍ୱ ହାତଧୁଆ ଦିବସ। କରୋନା ସଂକ୍ରମଣରୁ ସୁରକ୍ଷିତ ରହିବା ଲାଗି ମାସ୍କ ପିନ୍ଧିବା ସହ ହାତ ଧୋଇବାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଟିକା ଆସିବା ପର୍ଯ୍ୟନ୍ତ ସ୍ୱଚ୍ଛତା ହିଁ ସୁରକ୍ଷାର ଏକମାତ୍ର ମାଧ୍ୟମ ବୋଲି ଗ୍ରହଣ କରିବାକୁ ହେବ। ତେବେ ସଂକ୍ରମଣରୁ ସୁରକ୍ଷା ପାଇଁ ହାତ ଧୋଇବା ଏବକାର ଉପାୟ ନୁହେଁ, ଊନବିଂଶ ଶତାବ୍ଦୀରେ ଡା. ଇଗ୍‍ନାଜ ସେମେଲ୍ୱିସ୍‍ ହାତ ଧୋଇବାର ଉପକାରିତା ଦର୍ଶାଇ ଅଜ୍ଞାତ ରୋଗରୁ ଅନେକ ଜୀବନ ସୁରକ୍ଷିତ ରଖିପାରିଥିଲେ।
ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ଏକ ଅଜ୍ଞାତ ରୋଗ ବ୍ୟାପି ବହୁସଂଖ୍ୟାରେ ଲୋକ ମୃତ୍ୟୁବରଣ କରିବାକୁ ଲାଗିଲେ। ସେତେବେଳେ ହାତରେ ଲାଗିଥିବା ଜୀବାଣୁ, ଭୂତାଣୁ ଦ୍ୱାରା ରୋଗ ବ୍ୟାପିପାରେ ବୋଲି ବିଶେଷ ଜ୍ଞାନ ନଥିଲା। ଏପରିକି ଡାକ୍ତରମାନେ ମଧ୍ୟ ହାତ ଧୋଇବାକୁ ଗୁରୁତ୍ୱ ଦେଉନଥିଲେ। ତେବେ ହଙ୍ଗେରୀର ଜନୈକ ଚିକିତ୍ସକ ଏବଂ ବୈଜ୍ଞାନିକ ଡା. ଇଗ୍‌ନାଜ ସେମେଲ୍ୱିସ୍‍ ହାତ ଧୋଇବା ଦ୍ୱାରା ସଂକ୍ରମଣ ରୋକାଯାଇପାରିବ ବୋଲି ଜଣାଇ ପ୍ରଥମେ ଡାକ୍ତରମାନଙ୍କୁ ଏହି ଅଭ୍ୟାସ କରାଇଲେ। ପରେ ଜନସାଧାରଣ ଏହାକୁ ଗ୍ରହଣ କରିବା ପରେ ମୃତ୍ୟୁହାର ଦ୍ରୁତବେଗରେ ହ୍ରାସ ପାଇଥିଲା। ଡା. ସେମେଲ୍ୱିସ୍‍ଙ୍କୁ ସଂକ୍ରମଣ ନିୟନ୍ତ୍ରଣର ଜନକ ବୋଲି ମଧ୍ୟ କୁହାଯାଏ।
ଏବେ କରୋନା ସଂକ୍ରମଣ କାଳରେ ବଡମାନଙ୍କ ସହ ପିଲାମାନଙ୍କୁ ବି ସ୍ୱଚ୍ଛ ରହିବା ଲାଗି ହାତଧୁଆ ଶିଖାଇବା ଜରୁରୀ ହୋଇପଡିଛି। ବିଶେଷକରି ଫଳ ଏବଂ ପନିପରିବା କାଟିବା କିମ୍ବା ରୋଷେଇ କରିବା ପୂର୍ବରୁ ଓ ପରେ ହାତ ଧୋଇବା ନିହାତି ଆବଶ୍ୟକ। କୌଣସି ଜିନିଷ ଖାଇବା ପୂର୍ବରୁ ହାତ ଭଲଭାବେ ଧୁଅନ୍ତୁ। ଅସୁସ୍ଥ ବ୍ୟକ୍ତିଙ୍କ ସେବା କରୁଥିଲେ ବି ବାରମ୍ବାର ହାତ ଧୋଇବା ଜରୁରୀ ହୋଇଥାଏ। କ୍ଷତସ୍ଥାନର ଉପଚାର କରିବା ପୂର୍ବରୁ ଓ ପରେ ମଧ୍ୟ ହାତ ଧୋଇବା ଆବଶ୍ୟକ। କଣ୍ଟାକ୍ଟ ଲେନ୍ସ ଲଗାଇବା ତଥା ବାହାର କରିବା ବେଳେ ହାତ ସାବୁନ୍‍ରେ ଭଲଭାବେ ଧୋଇବେ। କୌଣସି ପଶୁଙ୍କୁ ଖାଦ୍ୟ ଦେଉଥିଲେ, ଆବର୍ଜନା ସଫା କରୁଥିଲେ, ଶୌଚାଳୟ ବ୍ୟବହାର କରିବା ପରେ, ପିଲାଙ୍କ ଡାଇପର ବଦଳାଇବା ପରେ, ନାକ ପୋଛିବା ସହ କାଶିବା ଏବଂ ଛିଙ୍କିବା ପରେ ମଧ୍ୟ ହାତ ଧୋଇବା ଜରୁରୀ। ହାତକୁ ସାବୁନ, ହ୍ୟାଣ୍ଡୱାଶ୍‍ ଆଦି ଲଗାଇ ଧୋଇପାରିବେ, ଆଲ୍‍କୋହଲଯୁକ୍ତ ସାନିଟାଇଜରରେ ବି ହାତ ସଫା କରିହେବ। ତେବେ ହାତ ଧୋଇବା ସହ ଏହାକୁ ଶୁଖାଇବା ଆବଶ୍ୟକ। କାରଣ, ଓଦା ହାତରେ ଅଧିକ ଜୀବାଣୁ ଲାଗି ସଂଖ୍ୟା ବୃଦ୍ଧି କରିବାର ଆଶଙ୍କା ରହିଛି। ଏବେ କରୋନା ସଂକ୍ରମଣ ବେଳେ ଗାମୁଛା ବା କପଡାରେ ହାତ ପୋଛିବା ଅପେକ୍ଷା ଡିସ୍‍ପୋଜେବ୍‍ଲ ଟିସ୍ୟୁ ପେପରରେ ହାତ ପୋଛି ଶୁଖାଇବା ଅଧିକ ଉପକାରୀ ବୋଲି ବିଶେଷଜ୍ଞ ମତ ଦିଅନ୍ତି।

Comments are closed.