ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କନିଷ୍ଠ ଶିକ୍ଷକଙ୍କ ଦୁର୍ବ୍ୟବହାର, ତଦନ୍ତ କଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ

କଲମପୁର ବ୍ଲକ ଅନ୍ତର୍ଗତ କୋଟାଗାଁ ସରକାରୀ ଉନ୍ନୀତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ସେହି ସ୍କୁଲର ଜଣେ ସହ ଶିକ୍ଷକ ଦୁର୍ବ୍ୟବହାର କରିଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଠାରେ ଅଭିଯୋଗ ହୋଇଛିl ଅଭିଯୋଗ ଅନୁସାରେ ସୋମବାର ଦିନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ସ୍କୁଲର କନିଷ୍ଠ ଶିକ୍ଷକ ଭଗବାନ ଦଳପତି ଅଶାଳୀନ ବ୍ୟବହାର କରିବା ସହ ଜୋତା ଉଠାଇ ମାରିବାକୁ ଉଦ୍ୟମ କରିଥିଲେl ଏହି ସମୟରେ ସହ ଶିକ୍ଷକ କୁଷଧ୍ଵଜ ଛତ୍ରିଆ ବୁଝାଇବା ପରେ ତାଙ୍କ ଉପରକୁ ଜୋତାରେ ମାରିବାକୁ ଗଲେl ସେଠାରେ ଥିବା ଅନ୍ୟ ସହ ଶିକ୍ଷକ ଅଭୟ କୁମାର ତାଣ୍ଡି ମଧ୍ୟ ବୁଝାଇବାରୁ ତାକୁ ଠେଲି ଦେଇଥିଲେl ସମ୍ପୃକ୍ତ କନିଷ୍ଠ ଶିକ୍ଷକ ଶ୍ରୀ ଦଳପତି ଇତି ପୂର୍ବରୁ ଅନେକ ଥର ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଛନ୍ତି ବୋଲି କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଠାରେ ଅଭିଯୋଗ ହୋଇଛିl
ଅଭିଯୋଗକୁ ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଯାନୀ ଏବଂ ସହ ଶିକ୍ଷା ଅଧିକାରୀ ବୀରେନ୍ଦ୍ର କୁମାର ପଣ୍ଡା ମଙ୍ଗଳବାର ତଦନ୍ତ ପାଇଁ ସ୍କୁଲକୁ ଯାଇଥିଲେl ଅଭିଯୋଗ ଅନୁସାରେ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝବା ସହ ସମସ୍ତଙ୍କ ଠାରୁ ଲିଖିତ ବୟାନ ସଂଗ୍ରହ କରିଥିଲେl ଶିକ୍ଷକ ଗୋପାଳ ଶତନାମୀ, କୁଷଧ୍ଵଜ ଛତ୍ରିଆ, ଅଭୟ କୁମାର ତାଣ୍ଡି, ଜିତେନ୍ଦ୍ର ତାଣ୍ଡି, ଅକ୍ଷୟ କୁମାର ବଳିୟାର ସିଂ, ଦୂଷିଲା ତାଣ୍ଡି ଏବଂ ଦୂଷିଲା ଦଳେଇ ଘଟଣା ସମ୍ପର୍କରେ ବୟାନ ଦେଇଥିଲେl ଅଭିଯୁକ୍ତ ଶିକ୍ଷକ ଶ୍ରୀ ଦଳପତି ଜୋତା ଉଠାଇବା ଘଟଣା ସତ ବୋଲି ସ୍ୱୀକାର କରିଥିଲେ ହେଲେ ମୋତେ ଅଯଥା କଥାରେ ନିନ୍ଦା କରିବାରୁ ଉତ୍ୟକ୍ତ ହୋଇ ଶିକ୍ଷକ କୁଷଧ୍ଵଜ ଉପରକୁ ଜୋତା ଉଠାଇ ଦେଇଥିଲି ବୋଲି କହିଥିଲେl କିନ୍ତୁ ସମ୍ପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଧଙ୍ଗଡ଼ା ମାଝୀ ତାଙ୍କ ବୟାନରେ ସ୍କୁଲରେ ବିଳମ୍ବରେ ଉପସ୍ଥାନ, ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଅବହେଳା ପାଇଁ କହିବାରୁ ରାଗି ଯାଇ ମୋ ଉପରକୁ ଜୋତା ଉଠାଇ ଥିଲେl ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତରେ ଏଭଳି ଦୁର୍ବ୍ୟବହାର ଦ୍ୱାରା ମୋର ସମ୍ମାନ ହାନୀ ହୋଇଛି ବୋଲି କହିଥିଲେl ଉପସ୍ଥିତ ଅଧିକାରୀମାନେ ଘଟଣାକୁ ଆପୋଷ ସମାଧାନ ପାଇଁ ଉଭୟ ପକ୍ଷକୁ ବୁଝାଇଥିଲେ ହେଲେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଅଧିକାରୀଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ ଏବଂ ସେହି ଅଭିଯୁକ୍ତ ଶିକ୍ଷକକୁ ଅନ୍ୟତ୍ର ବଦଳି କରାଯାଉ ବୋଲି ଦାବି କରିଥିଲେl
ଏ ଉପରେ ବିଇଓ ଶ୍ରୀ ଯାନୀଙ୍କୁ ପଚାରିବାରୁ ଆମେ ତଦନ୍ତ କରି ସାରିଛୁ, ଅଭିଯୁକ୍ତ ଜୋତା ଉଠାଇବା ଭଳି ଦୁର୍ବ୍ୟବହାର କରିଥିବା ଅଭିଯୋଗ ପାଇଁ ତାଙ୍କୁ କୈଫିୟତ ମଗାଯିବ ଏବଂ ତାପରେ ଯାହା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେl ପ୍ରଧାନ ଶିକ୍ଷୟିତ୍ରୀ ଗ୍ରାମ୍ୟ କମିଟିଙ୍କୁ ମଧ୍ୟ ଏହି ଘଟଣା ସମ୍ପର୍କରେ ଅବଗତ କରାଇଥିଲେl ଗ୍ରାମବାସୀ ପକ୍ଷରୁ ମଧ୍ୟ ଶିକ୍ଷକକୁ ଅନ୍ୟତ୍ର ବଦଳି ପାଇଁ ମତାମତ ରଖୁଥିବା ଦେଖାଦେଇଛି l