ବିଧବା ମହିଳାଙ୍କୁ ମୁଣ୍ଡ କାଟି ହତ୍ୟା ଘଟଣା : କୁକୁର ନେଇ ପକାଇ ଥିବା ମୁଣ୍ଡକୁ ଜବତ କଲା ପୁଲିସ

ଠାକୁରମୁଣ୍ଡା : ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ପାଟବିଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଲିଭୋଳ ଗ୍ରାମରେ ଗତ ରବିବାର ସକାଳେ ମିଳିଥିବା  ମୁଣ୍ଡ ବିହୀନ ଜଣେ ମହିଳାଙ୍କ ମୃତଦେହର ମୁଣ୍ଡ ଗୋଟିଏ ଦିନ ପରେ ପୁଲିସ ଜବତ କରିଛି। ଗୁଣି ଗାରେଡି ସନ୍ଦେହରେ ହତ୍ୟା କରାଯିବା ନେଇ ସନ୍ଦେହ କରାଯାଉଥିବା ଗ୍ରାମର ଯମୁନା ହାଁସଦା (୬୩)ଶନିବାର ଗ୍ରାମ ନିକଟ ସାପ୍ତାହିକ ହାଟକୁ ଯାଇ ହାଟରୁ ମଦ ପିଇ ନିଶାସକ୍ତ ଅବସ୍ଥାରେ ହାଟ ପଡ଼ିଆରେ ପଡି ରହିଥିବା ବେଳେ ରାତିରେ କେହି ଦୁର୍ବୁତ୍ତ ତାଙ୍କୁ ଧାରୁଆ ଅସ୍ତ୍ରରେ ମୁଣ୍ଡ କାଟି ନେଇଥିଲା। ଖବର ପାଇ ପୁଲିସ ମୁଣ୍ଡବିହୀନ ମୃତଦେହକୁ ଜବତ କରି ତଦନ୍ତ କରୁଥିବା ବେଳେ ମୁଣ୍ଡ ମିଳି ନଥିଲା।

ଗୋଟିଏ ଦିନ ପରେ ସୋମବାର ମହିଳାଙ୍କ ମୁଣ୍ଡ ମିଳିଥିଲା। ଗ୍ରାମର ଜଣେ ମହିଳା ଗ୍ରାମ ନିକଟ ନାଳକୁ ଗାଧୋଇବାକୁ ଯାଉଥିବା ସମୟରେ ଗୋଟିଏ କୁକୁର ଏକ ବିଲରେ ପୋତା ହୋଇଥିବା ମୁଣ୍ଡକୁ କାଢି ନେଉଥିବାର ଦେଖି ଥିଲେ। ମହିଳା ଜଣକ ଗ୍ରାମରେ ଏ କଥା କହିବା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଗ୍ରାମରେ ପହଞ୍ଚି ନାଳ ନିକଟରୁ କୁକୁର ନେଇ ପକାଇ ଥିବା ଯମୁନାର ମୁଣ୍ଡକୁ ଜବତ କରି ଥିଲେ। ଏହି ଘଟଣାରେ ହତ୍ୟାକାରୀ ଚିହ୍ନଟ ହୋଇ ନଥିବା ବେଳେ ଦୁଇ ଜଣକୁ ଅଟକ ରଖି ପୁଲିସ ତଦନ୍ତ ଜାରି ରଖିଛି।

Comments are closed.