ଐତିହାସିକ ଶିଖରରୁ ଖସିଲା ସେନସେକ୍ସ; ୪୫୯୫୯.୮୮ ପଏଣ୍ଟରେ ବନ୍ଦ

ମୁମ୍ୱାଇ: ବୁଧବାର ଐତିହାସିକ ଶିଖର ଛୁଇଁବା ପରେ ଗୁରୁବାର ସେନସେକ୍ସ ବିଯୁକ୍ତାତ୍ମକ ପ୍ରଦର୍ଶନ କରିଛି । ସୂଚକାଙ୍କ ୧୪୩.୬୨ ପଏଣ୍ଟ ହ୍ରାସ ପାଇ ୪୫୯୫୯.୮୮ରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି ୫୦.୮୦ ପଏଣ୍ଟ ହ୍ରାସ ପାଇ ୧୩୪୭୮.୩୦ରେ ବନ୍ଦ ହୋଇଛି ।

ବଜାର ବିଶ୍ଳେଷକଙ୍କ ଅନୁଯାୟୀ, ଆଜି ଷ୍ଟକ୍ ମାର୍କେଟରେ ଲାଭ-ବୁକିଂ ମଧ୍ୟ ପ୍ରାଧାନ୍ୟ ବିସ୍ତାର କରିଛି। ବ୍ରିଟେନରେ, ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଫାଇଜର କରୋନା ଟିକା ନେବା ପରେ ସୃଷ୍ଟି ହୋଇଥିବା ଆଲର୍ଜି ପ୍ରତିକ୍ରିୟା ଅଭିଯୋଗ ଟୀକାର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାକୁ ନେଇ ସୃଷ୍ଟି ହୋଇଥିବା ସନ୍ଦେହ ଷ୍ଟକ ଓ ସେୟାର ବଜାର ଉପରେ ପଡ଼ିଛି ।

ପୂର୍ବ ଦିନର ସର୍ବୋଚ୍ଚ ୪୬୦୪୩.୯୭ ପଏଣ୍ଟରୁ କାରବାର ଆରମ୍ଭ ହୋଇଥିଲେ ହେଁ ପ୍ରଥମାର୍ଧରେ ଏହା ୪୫୬୮୫.୮୭କୁ ଖସି ଆସିଥିଲା, ତେବେ ଅପରାହ୍ନରେ ପରିସ୍ଥିତିରେ କିଛିଟା ସୁଧାର ଆସିଥିଲା ଓ ସେନସେକ୍ସ ୪୫୯୫୯.୮୮ ପଏଣ୍ଟରେ ବନ୍ଦ ହୋଇଥିଲା । ଆଜି ୩୦ଟି କମ୍ପାନୀ ମଧ୍ୟରୁ ୧୮ଟି ନକରାତ୍ମକ ପ୍ରଦର୍ଶନ କରିଥିବାବେଳେ ୧୨ଟି ଲାଭ କରିଥିବା ଜଣାପଡ଼ିଛି ।

ଅନ୍ୟପକ୍ଷରେ ନିଫ୍ଟି ୧୩୪୮୮.୫୦ରୁ ଖୋଲିଥିବାବେଳେ ଏହା ଦିନମଧ୍ୟରେ ସର୍ବୋଚ୍ଚ ୧୩୫୦୩.୫୫ ପଏଣ୍ଟରେ ପହଞ୍ଚି ପାରିଥିଲା । ମାତ୍ର ପରବର୍ତୀ ସମୟରେ ଏହା ହ୍ରାସ ପାଇଥିଲା ଓ ୧୩୪୭୮.୩୦ ପଏଣ୍ଟରେ ବନ୍ଦ ହୋଇଥିଲା । ନିଫ୍ଟରେ ୫୦ଟି କମ୍ପାନୀ ମଧ୍ୟରୁ ୨୦ଟି ସକାରାତ୍ମକ ପ୍ରଦର୍ଶନ କରିଥିବା ଦେଖାଯାଇଥିଲା ।

Comments are closed.