ବେଆଇନ ଭାବେ ଅଟକ ନିର୍ଦ୍ଦୋଷଙ୍କୁ ମୁକ୍ତ କଲେ ହାଇକୋର୍ଟ

ବେଆଇନ ଭାବେ ଜଣେ ମହିଳାଙ୍କ ସ୍ବାମୀଙ୍କୁ କଳାହାଣ୍ଡି ଜିଲା ଧର୍ମଗଡ଼ ଜେଲରେ ରଖାଯାଇଥିବା ଅଭିଯୋଗ ହୋଇଥିଲା। ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଓ ଜଷ୍ଟିସ୍ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଆବେଦନକାରୀ ମହିଳାଙ୍କ ସ୍ବାମୀ ଶିବରାମ ଦାସଙ୍କୁ ତୁରନ୍ତ ଜେଲରୁ ମୁକ୍ତ କରିବାକୁ ନିର୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୭ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଭବାନୀ ପ୍ରସାଦ ରାୟଗୁରୁ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ କାଳନ୍ଦୀ ଚରଣ ସାହୁ ଓ ପୀୟୁଷ ରଂଜନ ସ୍ବାଇଁ ସହାୟତା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଶିବରାମଙ୍କୁ ଏକ ଡକାୟତି ମାମଲାରେ ଧର୍ମଗଡ ଥାନା ପୁଲିସ ୨୦୦୩, ଜୁଲାଇ ୭ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଧର୍ମଗଡ ଆସିଷ୍ଟାଣ୍ଟ ସେସନ୍ସ ଜଜ୍ ଅଦାଲତ ୨୦୦୭, ଫେବୃଆରୀ ୧୫ରେ ମାମଲାର ରାୟ ପ୍ରକାଶ କରି ଶିବରାମ ଓ ଅନ୍ୟ କେତେକ ଅଭିଯୁକ୍ତଙ୍କୁ ଆଇପିସିର ଦଫା ୪୫୭, ୩୯୫ ଓ ଆର୍ମସ୍ ଆକ୍ଟର ଧାରା ୨୭ରେ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଥିଲେ। ବିଚାରାଧୀନ ବନ୍ଦୀ ଭାବେ ଜେଲରେ ଥିବା ଅବଧିକୁ ମୋଟ ଦଣ୍ଡ ଅବଧିରୁ ବାଦ ଦିଆଯିବା। ଅବଶିଷ୍ଟ ଅବଧି ଆସାମୀମାନେ ଜେଲରେ ରହିବେ ବୋଲି ରାୟରେ ସ୍ପଷ୍ଟ କରାଯାଇଥିଲା। ଏହି ରାୟ ବିରୋଧରେ ଶିବରାମ ଭବାନୀପାଟଣା ଦୌରା ଅଦାଲତରେ ଦାୟର କରିଥିବା ଅପିଲ ପରବର୍ତ୍ତୀ ସମୟରେ ଧର୍ମଗଡ଼ରେ ଅତିରିକ୍ତ ଦୌରା ଜଜ୍ ଅଦାଲତ ଖୋଲିବାରୁ ସେଠାକୁ ସ୍ଥାନାନ୍ତର ହୋଇଥିଲା। ଅପିଲ ବିଚାରାଧୀନ ଥିବାବେଳେ ନବରଙ୍ଗପୁରରେ ବିଚାରାଧୀନ ଏକ ମାମଲାରେ ଶିବରାମଙ୍କୁ ରିମାଣ୍ଡରେ ନିଆଯାଇ ୨୦୧୨, ଅଗଷ୍ଟ ୩୧ରେ ନବରଙ୍ଗପୁର ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ଧର୍ମଗଡ ଏଡିଜେ ଅଦାଲତ ଶିବରାମଙ୍କ ଅପିଲ ୨୦୧୨, ନଭେମ୍ବର ୨୨ରେ ଖାରଜ କରିଥିଲେ। ଅନ୍ୟପକ୍ଷରେ ୨୦୧୨, ଡିସେମ୍ବର ୨୨ରେ ନବରଙ୍ଗପୁରରେ ବିଚାରାଧୀନ ମାମଲାରେ ଅଦାଲତ ଶିବରାମଙ୍କୁ ନିର୍ଦୋଷରେ ଖଲାସ କରିଥିଲେ। ୨୦୦୩, ଜୁଲାଇ ୭ରୁ ଜେଲରେ ଥିବା ଶିବରାମ ୯ ବର୍ଷରୁ ଅଧିକ ସମୟ ପରେ ୨୦୧୨, ଡିସେମ୍ବର ୨୨ରେ ଜେଲରୁ ମୁକୁଳିଥିଲେ; କିନ୍ତୁ ବହୁ ବର୍ଷ ପରେ ଧର୍ମଗଡ ଅଦାଲତ ୨୦୧୯, ଏପ୍ରିଲ ୨୭ରେ ଶିବରାମଙ୍କ ବିରୋଧରେ ଜାରି କରିଥିବା କନଭିକ୍ସନ୍ ୱାରେଣ୍ଟ ବଳରେ ତାଙ୍କୁ ୨୦୨୦, ଫେବୃଆରୀ ୨୫ରେ ଗିରଫ କରି ଜେଲ ପଠାଇ ଦିଆଯାଇଥିଲା। ଶିବରାମଙ୍କୁ ୭ ବର୍ଷ ଦଣ୍ଡାଦେଶ ପ୍ରଦାନ କରାଯାଇଥିବା ବେଳେ ସେ ୯ ବର୍ଷରୁ ଅଧିକ ସମୟ ଜେଲରେ ରହି ୨୦୧୨ରେ ମୁକ୍ତି ପାଇଥିଲେ। ପୁଣି ଶିବରାମଙ୍କୁ ପୂର୍ବ ମାମଲାରେ ଜେଲରେ ରଖାଯିବା ବେଆଇନ ଦର୍ଶାଇ ତାଙ୍କ ପତ୍ନୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଉପଯୁକ୍ତ କ୍ଷତିପୂରଣ ସହିତ ଦୋଷୀ ଅଧିକାରୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

Comments are closed.