ସମ୍ବଲପୁର ଟାଉନ ଥାନାଧିକାରୀଙ୍କ ନାମରେ ଜାଲିଆତି ମାମଲା : ୪ ସପ୍ତାହ ମଧ୍ୟରେ ପଦକ୍ଷେପ ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ସମ୍ବଲପୁର : ସମ୍ବଲପୁର ଜିଲା ଟାଉନ ଥାନା ଅଧିକାରୀ ରମେଶ ଚନ୍ଦ୍ର ଦୋରାଙ୍କ ନାମରେ ଜାଲି ସାର୍ଟିଫିକେଟ ଦେଇ ଚାକିରୀ କରିବା ସହିତ ପଦର ଅପବ୍ୟବହାର କରିବାର ସଙ୍ଗୀନ ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ସମ୍ବଲପୁର ଜିଲା ବୁର୍ଲା ଥାନା ଅର୍ନ୍ତଗତ ସାହାଜବାହାଲ ନିବାସୀ ସୁରେନ୍ଦ୍ର କୁମାର ମହାପାତ୍ର ମାନ୍ୟବର ହାଇକୋର୍ଟରେ କ୍ରିମିନାଲ ପିଟିସନ ୩୪୭/୨୦୨୧ ଏବଂ ରିଟ ପିଟିସନ (ସି) ୬୮୨୦/୨୦୨୧ ଅନୁଯାୟୀ ମାମଲା ରୁଜୁ କରିଛନ୍ତି ଏବଂ ମାନ୍ୟବର ଏହି ଆବେଦନକୁ ଗ୍ରହଣ କରିଛନ୍ତି। ଏହି ମାମଲାରେ ମାନ୍ୟବର ହାଇକୋର୍ଟ ଗତ ମଙ୍ଗଳବାର ଶୁଣାଣି କରିଛନ୍ତି। ଗତ ଫେବୃଆରୀ ୧୮ ତାରିଖରେ ଆବେଦନକାରୀ ଏନେକ୍ସଚର – ୫ ଅନୁଯାୟୀ ଏକ ଅଭିଯୋଗ ନିବେଦନ ସୁପରିନ୍ଟେଣ୍ଡାନ୍ଟ ଅଫ ପୁଲିସ, ସମ୍ବଲପୁରଙ୍କୁ କରିଛନ୍ତି। କିନ୍ତୁ ଏହି ଅଭିଯୋଗ ନିବେଦନ ସଂକ୍ରାନ୍ତରେ ଏ ପର୍ଯ୍ୟନ୍ତ କୌଣସି ପ୍ରକାରର ପଦକ୍ଷେପ ନିଆଯାଇ ନ ଥିବା ଆବେଦନକାରୀଙ୍କ ଓକିଲ ମାନ୍ୟବର ହାଇକୋର୍ଟଙ୍କ ସମ୍ମୁଖରେ କହିଛନ୍ତି। ଏଣୁ ଏସପି ସମ୍ବଲପୁରଙ୍କୁ ଏକ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଏହି ଅଭିଯୋଗର ସମାଧାନ କରିବାକୁ ନିର୍ଦ୍ଦେଶ ଦେବାକୁ ଆବେଦନ କରାଯାଇଥିଲା। ଏଣୁ ମାନ୍ୟବର ହାଇକୋର୍ଟ ସମ୍ବଲପୁର ଏସପିଙ୍କୁ ଆଗାମୀ ୪ ସପ୍ତାହ ମଧ୍ୟରେ ଆବେଦନକାରୀଙ୍କ ଅଭିଯୋଗ ନିବେଦନ ଉପରେ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏ ସର୍ମ୍ପକରେ ସମ୍ବଲପୁର ଏସପିଙ୍କୁ ପଚରାଯିବାରୁ ବୋଧହୁଏ ଡାକରେ ରହିଥିବାରୁ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ଏ ପର୍ଯ୍ୟନ୍ତ ହସ୍ତଗତ ହୋଇ ନାହିଁ। ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ମିଳିବା ପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଏସପି କହିଛନ୍ତି। ଅନ୍ୟ ପକ୍ଷରେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ ଉଲ୍ଲେଖ୍ୟ ରହିଛି ଯେ ହାଇକୋର୍ଟର ୱେବସାଇଟରେ ଏହି ନିର୍ଦ୍ଦେଶର ସଫ୍ଟ କପି ଉପଲବ୍ଧ ରହିଛି ଏବଂ ଏହାକୁ ମୁଦ୍ରଣ କରାଯାଇ ବ୍ୟବହାର କରାଯାଇପାରିବ।
ସୂଚନାଯୋଗ୍ୟ ଯେ, ଏହି ମାମଲାରେ ହୋଇଥିବା ଅଭିଯୋଗ ଗୁଡିକୁ ମାନ୍ୟବର ହାଇକୋର୍ଟ ସ୍ୱିକାର କରି ଶୁଣାଣି ଆରମ୍ଭ କରିଥିବା ବେଳେ ମାମଲା ଗୁଡିକରେ ରାଜ୍ୟ ସରକାର, ଡିଜି ପୁଲିସ, ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଆଇଜି, ଉତ୍ତରାଞ୍ଚଳ ରାଜସ୍ୱ କମିଶନର, ଏସପି ସମ୍ବଲପୁର, ଓଡିଶା ଷ୍ଟାଫ ସିଲେକ୍ସନ କମିଶନର ଚେୟାରମେନ ଏବଂ ଟାଉନ ଥାନାଧିକାରୀ ରମେଶ ଚନ୍ଦ୍ର ଦୋରାଙ୍କୁ ପକ୍ଷଭୁକ୍ତ କରାଯାଇଛି। ହାଇକୋର୍ଟରେ ଦିଆଯାଇଥିବା ଆବେଦନ ପତ୍ର ଅନୁଯାୟୀ, ସଂପୃକ୍ତ ପୁଲିସ କର୍ମଚାରୀ ଜାଲିଆତି କରି ଚାକିରୀରେ ଯୋଗ ଦେବା ସହିତ ପଦୋନ୍ନତି ପାଉଛନ୍ତି। ବରଗଡ ଜିଲାର ମୂଳ ନିବାସୀ ସଂପୃକ୍ତ ଅଧିକାରୀଙ୍କ ବରଗଡ ତହସିଲ ଓ ଅତାବିରା ତହସିଲ ଠାରେ ରହିଥିବା ଦୁଇଟି ପୃଥକ ପୃଥକ ଜମିରେ ତାଙ୍କର ଜାତି ଭିନ୍ନ ଭିନ୍ନ ରହିଥିବା ବେଳେ ଅଧିକାରୀ ଜଣକ ରାଜ୍ୟ ପୁଲିସ ବିଭାଗରେ ୧୯୯୭ – ୧୯୯୯ ମଧ୍ୟରେ କାଣ୍ଡଦୋରା (ଅନୁସୂଚିତ ଜାତି) ଭାବରେ ଦର୍ଶାଇ ଚାକିରୀ ହାସଲ କରିବା ସହିତ ୨୦୦୯ ମସିହାରେ ପଦୋନ୍ନତି ନେଇଛନ୍ତି ଏବଂ ୨୦୨୧ରେ ମଧ୍ୟ ପଦୋନ୍ନତି ପାଇବାକୁ ଯାଉଛନ୍ତି। ଏହା ଭାରତୀୟ ସମ୍ବିଧାନର ଆର୍ଟିକିଲ ୩୪, ୩୪୧ (୧) ଏବଂ ୩୪୨ର ଉଲ୍ଲଂଘନ ଅଟେ। ଏ ସର୍ମ୍ପକରେ ଜାନୁଆରୀ ୧୧ ତାରିଖରେ ମାନ୍ୟବର ରାଷ୍ଟ୍ରପତି ଏବଂ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବୋର୍ଡ ଙ୍କୁ ଅଭିଯୋଗ କରାଯିବା ପରେ ଓଡିଶା ରାଜ୍ୟ ପୁଲିସ ଡିଜି ଓ ଡିଜି ଅଫ ପୁଲିସ ଭିଜିଲାନ୍ସ ଙ୍କ ନିକଟରେ ମଧ୍ୟ ଅଭିଯୋଗ କରାଯାଇଛି। ଓଡିଶା ଆକ୍ଟ ୮/୨୦୧୪ ଅନୁଯାୟୀ, ଅନୁସୂଚିତ ଜାତି ଓ ଜନଜାତିଙ୍କୁ ଶୋଷଣରୁ ରକ୍ଷା କରିବା ପାଇଁ ଅଭ୍ୟାସଗତ ଶୋଷଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ବୋଲି ଆବେଦନରେ ଉଲ୍ଲେଖ୍ୟ କରାଯାଇଛି। ଏହି ମାମଲାରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ଅତିରିକ୍ତ ସଚିବ ମଧ୍ୟ ବରଗଡ ଜିଲାପାଳ ଓ ଏସପିଙ୍କୁ ଉକ୍ତ ଅଧିକାରୀଙ୍କ ଜାତିଗତ ପ୍ରମାଣପତ୍ର ଯାଞ୍ଚ କରି ଶୀଘ୍ର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।

Comments
Loading...