ଖବରକାଗଜ ବିତରକଙ୍କୁ ବୀମା କିମ୍ବା ସାମାଜିକ ନିରାପତ୍ତା ଯୋଜନାରେ ସାମିଲ କରାଯାଉ

ଭୁବନେଶ୍ବର: ଖବରକାଗଜ ବିକ୍ରେତା ତଥା ସେମାନଙ୍କ ପରିବାର ସଦସ୍ୟଙ୍କୁ ସାମାଜିକ ସୁରକ୍ଷା ପଦକ୍ଷେପ ସ୍ବରୂପ ବୀମାଭୁକ୍ତ କରିବା ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇଦେବାକୁ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଡ.ପ୍ରଭାସ ଆଚାର୍ଯ୍ୟ ଦାବି କରିବା ସହିତ ଏହି ମର୍ମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତ‌କ୍ଷେପ ‌ଲୋଡ଼ିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଲେଖିଥିବା ଚିଠିରେ ଡ. ଆଚାର୍ଯ୍ୟ ଉଲ୍ଳେଖ କରିଛନ୍ତି ଯେ ସାମ୍ବାଦିକମାନଙ୍କୁ ବୀମାଭୁକ୍ତ କରିବା ସହିତ କୋଭିଡ୍‌ କାଳରେ ଅନ୍ୟାନ୍ୟ ବୃତ୍ତିଧାରୀଙ୍କ ଭଳି ସେମାନଙ୍କ କାର୍ଯ୍ୟକୁ ସ୍ବୀକୃତି ଦେଇ ସେମାନଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରିବା ଦିଗରେ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଖବରକାଗଜ ଶିଳ୍ପର ସବୁଠୁ ଅବହେଳିତ ଅବସ୍ଥାରେ ଥିବା ବିତରକ ତଥା ହକରମାନଙ୍କ ଦୁଃଖ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ ଝଡ଼, ବର୍ଷା କିମ୍ବା ପ୍ରଚଣ୍ଡ ରୌଦ୍ରତାପ ଭଳି ପ୍ରତିକୂଳ ପରିସ୍ଥିତି ଭିତରେ ବି ନିଜ ଜୀବନକୁ ପଛରେ ପକାଇ ସେମାନେ ବର୍ଷ ବର୍ଷ ଧରି ପାଠକମାନଙ୍କ ନିକଟରେ ଠିକଣା ସମୟରେ ଖବରକାଗଜ ପହଞ୍ଚାଇପାରୁଛନ୍ତି। କିନ୍ତୁ ସେମାନଙ୍କୁ ସେପରି କୌଣସି ଆଖିଦୃଶିଆ ଆର୍ଥିକ ଲାଭ କିମ୍ବା ସାମାଜିକ ଅର୍ଥନୈତିକ ସୁବିଧା ସୁଯୋଗ ମିଳୁନାହିଁ। ବେଳେ ବେଳେ କିଛି ଖବରକାଗଜ ସଂସ୍ଥା ସେମାନଙ୍କୁ ସାଇକଲ, ରେନକୋଟ, ୟୁନିଫର୍ମ ଭଳି କିଛି ମୌଳିକ ସୁବିଧା ପ୍ରଦାନ କରୁଛନ୍ତି। କିନ୍ତୁ ରୋଗବ୍ୟାଧିରେ ପଡ଼ିଲେ, ବୃଦ୍ଧାବସ୍ଥା ଆସିଲେ ସେମାନଙ୍କୁ ନିଜର ଯତକିଞ୍ଚିତ ସଞ୍ଚିତ ଅର୍ଥରେ ଅତି ଦୟନୀୟ ଜୀବନ ବିତାଇବାକୁ ପଡ଼ୁଛି। ଏହାଛଡ଼ା ଅଣସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ଥିବାରୁ ସେମାନେ କୌଣସି ଶ୍ରମ ଆଇନ ପରିସରଭୁକ୍ତ ହୋଇନପାରି ସବୁପ୍ରକାର ସାମାଜିକ ନିରାପତ୍ତା ସୁବିଧାରୁ ବଞ୍ଚିତ ହେଉଛନ୍ତି।

ଏହି ପରିପ୍ରେକ୍ଷୀରେ ଖବରକାଗଜ ବିତରକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସେମାନଙ୍କର ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ସର୍ବନିମ୍ନ ଭରସା ଭାବେ ସ୍ବାସ୍ଥ୍ୟ ବୀମା ଯୋଗାଇବା କିମ୍ବା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକଙ୍କ ପାଇଁ ପ୍ରଚଳିତ ଆଇନ ବଳରେ ଅନ୍ୟାନ୍ୟ ଅଣସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ଲାଗୁ ହେଉଥିବା ସାମାଜିକ ନିରାପତ୍ତା ସୁବିଧା ଯୋଗାଇଦେବା ନିମନ୍ତେ ଡ.ଆଚାର୍ଯ୍ୟ ଅନୁରୋଧ କରିଛନ୍ତି।

Comments are closed.