ଜୟପୁରର ଶୋଭା ହେଉଛି ଏହି ମହଲ : ଜାଣନ୍ତୁ ଏହାସହ ଜଡ଼ିତ କିଛି ବିଶେଷ କଥା

ରାଜା ମହାରାଜା ମାନଙ୍କ ଐତିହାସିକ ଭୂମି ଭାବେ ରାଜସ୍ଥାନ ପରିଚିତ। ଏଠାରେ ଥିବା ରାଜମହଲ, କିଲ୍ଲା, ବୃହତ ଅଟ୍ଟାଳିକାର ସୌନ୍ଦର୍ଯ୍ୟ ଖୁବ ଉଚ୍ଚକୋଟରୀର। ସେହି ସମସ୍ତ ରାଜପ୍ରସାଦ, ମହଲର ସୁନ୍ଦରତା ବର୍ତମାନ ମଧ୍ୟ ବଜାୟ ରହିଛି। ଜାଣନ୍ତୁ ସେଭଳି କେତେକ ମହଲ ମଧ୍ୟରୁ ଏପରି ଏକ ମହଲ ଯାହା ନିଜର ସୌନ୍ଦର୍ଯ୍ୟ, କାରୁକାର୍ଯ୍ୟ ପାଇଁ ବେଶ ପ୍ରସିଦ୍ଧ। ଏହି ମହଲଟି ରାଜସ୍ଥାନର ରାଜଧାନୀ ଜୟପୁରରେ ଥିବା ହବା ମହଲ (ପବନ ମହଲ)।
ହବା ମହଲର ଆକାର ମସ୍ତକରେ ଶୋଭା ପାଉଥିବା ମୁକୁଟ ସଦୃଶ। ଲୋକକଥା ଅନୁଯାୟୀ, ହବା ମହଲକୁ ନିର୍ମାଣ କରିଥିବା ରାଜା ସବାଈ ପ୍ରତାପ ସିଂହ ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତ ଥିଲେ। ସେ ଭଗବାନ କୃଷ୍ଣଙ୍କ ମୁକୁଟ ଭଳି ହିଁ ଏହି ହବା ମହଲକୁ ନିର୍ମାଣ କରାଇଥିଲେ।
ହବା ମହଲରେ ପ୍ରାୟ ୯୫୩ଟି ଝରକା ରହିଛି। ଏତେ ପରିମାଣରେ ଝରକା ତିଆରି କରିବାର କାରଣ ହେଉଛି ମହଲରେ କଦାପି ଗରମ ଅନୁଭବ ନହେବା ପାଇଁ ଓ ସର୍ବଦା ସ୍ୱଚ୍ଛ ପବନ ମହଲକୁ ପ୍ରବେଶ କରିବା ପାଇଁ।
କିଛି ଲୋକଙ୍କ କହିବା ଅନୁଯାୟୀ, ଏହି ମହଲ ମହିଳାମାନଙ୍କ ପାଇଁ ନିର୍ମାଣ ହୋଇଥିଲା ଓ ଏତେ ଝରକା ତିଆରି କରିବାର କାରଣ ଥିଲା ମହିଳାମାନେ ବିନା କୌଣସି ବାଧାରେ ମହଲ ମଧ୍ୟରୁ ସହରର ଦୃଶ୍ୟକୁ ଦେଖିପାରିବେ।
ଏହାସହ ଇତିହାସରେ ଉଲ୍ଲେଖ ଅନୁଯାୟୀ, ହବା ମହଲର ନାମ ଏହାର ୫ମ ମହଲାର ନାମ ଅନୁଯାୟୀ ହୋଇଛି। ଏହାର ୫ମ ମହଲା ହବା ମନ୍ଦିର ନାମରେ ପରିଚିତ ଥିଲା। ଯେଉଁକାରଣରୁ ଏହାର ନାମ ହବା ମହଲ ବୋଲି କୁହାଗଲା।
ଏହି ୫ ମହଲା ବିଶିଷ୍ଟ ମହଲରେ କୌଣସି ମହଲାକୁ ଯିବା ପାଇଁ ସିଢିର ବ୍ୟବସ୍ଥା ନାହିଁ। ସମସ୍ତ ମହଲାକୁ ଯିବା ପାଇଁ କେବଳ ଗଡ଼ାଣିଆ ରାସ୍ତାର ବ୍ୟବହାର ହୋଇଥାଏ।

Comments are closed.