ନାଗରିକତା ସଂଶୋଧନ ଆଇନରେ ହୋଇପାରେ ପରିବର୍ତ୍ତନ ସଙ୍କେତ ଦେଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ଏବଂ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର(ଏନପିଆର)କୁ ନେଇ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଛି। ଦେଶର କେତେକ ସ୍ଥାନରେ ସିଏଏକୁ ବିରୋଧକରି ହିଂସା ଓ ଆନ୍ଦୋଳନ ମଧ୍ୟ ଦେଖାଦେଇଛି । ତେବେ ଏହାରି ମଧ୍ୟରେ ଉପରାଷ୍ଟ୍ରପତି ଏମ.ଭେଙ୍କେୟା ନାଇଡୁ ଆନ୍ଧ୍ରପ୍ରଦେଶର ଭୁତପୂର୍ବ ମୁଖ୍ୟମନ୍ତ୍ରୀ ଏମ. ଚନ୍ନା ରେଡ୍ଡୀଙ୍କ ଜୟନ୍ତୀରେ ଯୋଗଦେଇ ସିଏଏରେ ପରିବର୍ତ୍ତନର ଆଭାସ ଦେଇଛନ୍ତି। ଉପରାଷ୍ଟ୍ରପତି ରବିବାର କହିଛନ୍ତି ସିଏଏ ହେଉ କି ଏନପିଆର ସଂସଦରେ ଏ ସମ୍ପର୍କରେ ସକାରାତ୍ମକ ଆଲୋଚନା ହେବା ଦରକାର। କିନ୍ତୁ ଏହି ଆଇନକୁ ବିରୋଧ କରି ଆନ୍ଦୋଳନ ସମୟରେ ପ୍ରଦର୍ଶନକାରୀ କରୁଥିବା ହିଂସା ଆଦୌ ଗ୍ରହଣୀୟ ନୁହେଁ। ଆନ୍ଦୋଳନରେ ହିଂସାର କୌଣସି ସ୍ଥାନ ନାହିଁ।

ଉପରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି ସିଏଏକୁ ବିରୋଧ କରୁଥିବା ବ୍ୟକ୍ତି ହିଂସା କରିବା ପରିବର୍ତ୍ତେ ଏ ସମ୍ପର୍କରେ ବୈଠକ କରି  ପ୍ରସ୍ତାବ ଦେବା ଆବଶ୍ୟକ। ସରକାରଙ୍କୁ ମଧ୍ୟ ବିରୋଧୀଙ୍କ ଦାବୀକୁ ଶୁଣିବାକୁ ପଡିବ। ଲୋକତନ୍ତ୍ରରେ ଯେ କୌଣସି ପ୍ରସଙ୍ଗରେ ସହମତି ଏବଂ ଅସହମତ ପ୍ରକାଶ ପାଇଥାଏ। କିନ୍ତୁ ଗଣତନ୍ତ୍ରରେ ଦୁଇ ପକ୍ଷଙ୍କୁ ଶୁଣିବାକୁ ପଡେ ଏବଂ ଶେଷରେ ଏକ ସିଦ୍ଧାନ୍ତରେ ଉପନୀତ ହେବାକୁ ପଡିଥାଏ ବୋଲି ଉପରାଷ୍ଟ୍ରପତି କହିଛନ୍ତି।

ସିଏଏକୁ ବିରୋଧ କରୁଥିବା ଲୋକ ବୈଠକ ଏବଂ ମିଡିଆରେ ଏ ବାବଦରେ ତର୍କ ଓ ବିତର୍କ କରି ସରକାରଙ୍କୁ ପରାମର୍ଶ ଦେବାର ଆବଶ୍ୟକତା ରହିଛି। ଯଦି ବିତର୍କ କରି ସରକାରଙ୍କୁ ପ୍ରସ୍ତାବ ଦିଆଯିବ ତା ହେଲେ ଆମର ସରକାରୀ ବ୍ୟବସ୍ଥା ମଜବୁତ ହେବ। ହେଲେ ଭଙ୍ଗାରୁଜା କଲେ ବ୍ୟବସ୍ଥାରେ ଦୁର୍ବଳତା ରହିଯିବ। ପରବର୍ତ୍ତୀ ସମୟରେ ମଧ୍ୟ ସମାନ ଘଟଣା ଘଟିବ ଏଣୁ ଆମକୁ ଏନେଇ ଚିନ୍ତା କରିବାକୁ ପଡିବ।  ଲୋକମାନେ ମଧ୍ୟ ଏହି ସିଏଏ ଏବଂ ଏନପିଆର ବାବଦରେ ବୁଝିବା ଦରକାର ବୋଲି ଉପରାଷ୍ଟ୍ରପତି କହିଛନ୍ତି।

 

Comments are closed.