ସାମାଜିକ ବର୍ବରତା ଓ ପ୍ରଶାସନ

ସେପ୍ଟେମ୍ବର ୧୪ରେ ମାଆ ସହିତ ତା’ର ୧୯ ବର୍ଷର ଝିଅଟି କ୍ଷେତରେ କାମ କରିବାକୁ ଯାଇଥିବା ବେଳେ ମା’ ପାଖରୁ ଝିଅଟିକୁ ବଳପୂର୍ବକ ଛଡ଼େଇ ଘୋଷାଡ଼ି ଘୋଷାଡ଼ି ନେଇ ଉଚ୍ଚ ଜାତିର ଚାରିଜଣ ପ୍ରଭାବଶାଳୀ ବ୍ୟକ୍ତି ବଳାତ୍କାର କରିବା ପରେ ପ୍ରମାଣକୁ ଲୁଚେଇବାକୁ ଯାଇ ଯୁବତୀଙ୍କ ଜିଭ କାଟି ଦେଇଥିଲେ, ଗୋଡ଼ ହାତ ଭାଙ୍ଗି ଦେଲେ ଓ ମେରୁଦଣ୍ଡରେ ପ୍ରଚଣ୍ଡ ଆଘାତ କରି ଦେହକୁ ଅଚଳ କରି ଦେଇଥିଲେ । ସେମାନେ ଯୁବତୀର ଶରୀର ଏବଂ ମନକୁ କ୍ଷତ ବିକ୍ଷତ କରିଦେଇ ଗୁରୁତର, ଅସହାୟ ଅବସ୍ଥାରେ ଛାଡି ଚାଲି ଯାଇଥିଲେ । ସେହି ଯୁବତୀଙ୍କୁ ପରେ ଉତ୍ତରପ୍ରଦେଶର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ତାଙ୍କର ଅବସ୍ଥା ଅତ୍ୟନ୍ତ ସଂକଟଜନକ ହୋଇପଡ଼ିବାରୁ ତାଙ୍କୁ ଦିଲ୍ଲୀର ସଫ୍‌ଦରଜଙ୍ଗ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ୧୫ ଦିନ ମରଣ ସହିତ ସଂଗ୍ରାମ କରିବା ପରେ ୨୯ ସେପେମ୍ବରରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା ।
ଏ ଘଟଣା ଘଟିବା ଦିନଠାରୁ ଯୁବତୀର ମୃତ୍ୟୁ ପର୍ଯ୍ୟନ୍ତ ପରିବାରର ସଦସ୍ୟମାନେ ପୀଡ଼ିତା ଝିଅ ସହିତ ସୁରକ୍ଷା ଓ ନ୍ୟାୟ ପାଇଁ ଥାନା ଏବଂ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଦଉଡ଼ି ଦଉଡ଼ି ଯେଉଁ ହତାଶ, ଅସୁବିଧାର ସମ୍ମୁଖୀନ ହେଇଛନ୍ତି, ଶୁଣିଲେ ବ୍ୟସ୍ତ ଲାଗି ଯାଉଛି ଏବଂ ମନରେ ପ୍ରଶ୍ନ ଦୋହରାଇ ହଉଛି ଯେ ଆମେ କ’ଣ ଏକ ସ୍ବାଧୀନ ଗଣତାନ୍ତ୍ରିକ ରାଷ୍ଟ୍ରରେ ରହୁଛେ ? ସେମାନଙ୍କ ସହ ଯେଭଳି ବ୍ୟବହାର କରାଯାଇଛି ଏବଂ ଯାଉଛି, ତାହା ଏକ ସ୍ବାଧୀନ ଗଣତାନ୍ତ୍ରିକ ରାଷ୍ଟ୍ରର ମୂଳ ଉପରେ କୁଠାର ଆଘାତ ନୁହେଁ କି ?
ଏ ସବୁ ମୂଳରେ ରହିଛି ଲିଙ୍ଗ ଓ ଜାତି ଆଧାରିତ ହିଂସା । ଏ ପ୍ରକାର ସ୍ବାଧୀନ ଭାରତର ସ୍ବପ୍ନ କ’ଣ ମହାତ୍ମା ଗାନ୍ଧୀ ଦେଖିଥିଲେ ? ଗାନ୍ଧିଜୀଙ୍କ ସ୍ୱରାଜ ଏବଂ ସ୍ୱାଧୀନତାର ସ୍ୱପ୍ନ ଥିଲା “ଯେଉଁ ଦିନ ମଧ୍ୟ ରାତ୍ରିରେ ଜଣେ ମହିଳା ଅବାଧରେ ନିର୍ଭୟରେ ସୁରକ୍ଷିତ ହୋଇ ରାସ୍ତାରେ ଏକାକୀ ଚାଲିପାରିବ, ଜାଣିବା ପ୍ରକୃତ ସ୍ୱାଧୀନତା ଆମେ ହାସଲ କରିଛେ’’। କିନ୍ତୁ ଆମ ମହିଳାମାନେ ନିଜ ପରିବାର ଭିତରେ, ନିଜ ଗାଁ ଭିତରେ ବି ସୁରକ୍ଷିତ ନୁହନ୍ତି । ରାତି କ’ଣ ଦିନ ଦିପହରେ ସେମାନେ ବଳାତ୍କାରର ସମ୍ମୁଖୀନ ହେଉଛନ୍ତି । ଏକ ଭୟଭୀତ ଏବଂ ଅସୁରକ୍ଷିତ ଜୀବନ ନିଜଘରେ ଏବଂ ସମାଜରେ କାଟୁଛନ୍ତି ।
ଯୁବତୀଟିର ମୃତ୍ୟୁ ପରର ଘଟଣା କିଛି କମ୍‌ ଜଘନ୍ୟ ନୁହେଁ । ମରିବା ପରେ ପ୍ରଶାସନ ଦ୍ବାରା ଚାପି ଦେବାର ଉଦ୍ୟମ, ଉତ୍ତରପ୍ରଦେଶର ପୁଲିସର ବ୍ୟବହାର ଏବଂ କାର୍ଯ୍ୟକ୍ରମ ଆମ ଆଇନର ପାଳନ ଏବଂ ମାନବିକତା ଉପରେ ବହୁତ ପ୍ରଶ୍ନ ଉଠାଉଛି। ରକ୍ଷକର କବଚ ପିନ୍ଧିଥିବା ପ୍ରଶାସନ ଓ ପୁଲିସ କେତେ ନିମ୍ନସ୍ତରକୁ ଚାଲି ଯାଇପାରନ୍ତି ଏବଂ କେତେ ଭୟଙ୍କର ହେଇ ପାରନ୍ତି ତାହା ଏହି ଘଟଣାରୁ ସୁସ୍ପଷ୍ଟ । ପୀଡ଼ିତା ଯୁବତୀଙ୍କ ପରିବାରର ସମ୍ମତି ଓ ପରାମର୍ଶ ବିନା, ତୀବ୍ର ବିରୋଧ ସତ୍ତ୍ବେ ଅଧରାତିରେ ଗାଁକୁ ଘେରାବନ୍ଦୀ କରି ସିପାହିମାନେ ହତିଆର ଧରି ମାନବ ଶୃଙ୍ଖଳ କରି ପରିବାର ଲୋକଙ୍କୁ ମଶାଣି ଭିତରକୁ ନ ଛାଡ଼ି ତରବରିଆ ଭାବରେ ଶବକୁ ଦାହ କଲେ ତାହା କୌଣସି ସିନେମାରେ ଦେଖାଉ ଥିବା ଅବାସ୍ତବତା ପରି ବୋଧ ହୁଏ । ଆଉ ଏ ସବୁ ଜିଲାପାଳ ଏବଂ ପୁଲିସ ମହା ନିର୍ଦେଶକଙ୍କ ତତ୍ତ୍ବାବଧାନରେ ହିଁ ସମ୍ପନ୍ନ ହେଇଛି ବୋଲି ପ୍ରକାଶିତ ଖବର ଯଦି ସତ ହୁଏ ତେବେ ମଣିଷ ପଣିଆର ମୃତ୍ୟୁ ଘଟିଛି ବୋଲି କହିବାକୁ ହେବ। ଯଦି ମଣିଷ ତା’ର ମଣିଷପଣିଆଟି ନିଜ ଭିତରୁ ବାହାର କରିଦିଏ, ତା’ହେଲେ ସବୁ କିଛି ନୀତି ଆଦର୍ଶ, ନିୟମ, ଆଇନକୁ ବେଖାତିର କରିବା ସମ୍ଭବ ହେଇଯାଏ।
ଏଠି ଉଲ୍ଲେଖ କରିବାକୁ ଉଚିତ ମନେ କରୁଛି ଯେ କେତେକ ଉତ୍ତରପ୍ରଦେଶ ନିବାସୀଙ୍କ କହିବା ଅନୁସାରେ ଯଦି କୌଣସି ଦଳିତ ଅନ୍ୟାୟ ବିରୋଧରେ ପ୍ରତିବାଦ କରେ ଅଥବା ସବର୍ଣ୍ଣଙ୍କ ଅସଦ୍‌ ବ୍ୟବହାର ଉପରେ ପ୍ରଶ୍ନ ଉଠାଏ, ତେବେ ଦଳିତଙ୍କୁ ସେମାନଙ୍କ ସ୍ଥାନ ବିଷୟରେ ଚେତାଇ ଦେବାକୁ ଅକଥନୀୟ ଅତ୍ୟାଚାର କରାଯାଏ । ବିଶେଷ ଭାବରେ ପରିବାରର ମହିଳା ସଦସ୍ୟାଙ୍କୁ ନିର୍ଯାତନା, ବଳାତ୍କାର ଏକ ସାଧାରଣ ଘଟଣାରେ ପରିଣତ ହୋଇଯାଇଛି । ଜାତୀୟ ଅପରାଧ ପଞ୍ଜୀକରଣ ବ୍ୟୁରୋ (ଏନସିଆରବି) ତଥ୍ୟ ମଧ୍ୟ ଏହା ପ୍ରମାଣିତ କରୁଛି। ପ୍ରତିଦିନ ଆମ ଦେଶରେ ୪ ଜଣ ଦଳିତ ମହିଳା ବଳାତ୍କାରର ଶିକାର ହୁଅନ୍ତି। ଯେଉଁଠି ଅପରାଧୀକୁ ଘଣ୍ଟ ଘୋଡ଼େଇ ରଖିବାକୁ ଶାସକ ପ୍ରତିଶ୍ରୁତିବଦ୍ଧ ଓ ତା’ ସହିତ ପୁଲିସ ଏବଂ ପ୍ରଶାସନ ସାମିଲ, ସେଠି କେଉଁ ଆଇନ କାହା ଦ୍ବାରା କାର୍ଯ୍ୟକାରୀ ହୋଇପାରିବ ? ଘଟିଯାଇଥିବା ପ୍ରତିଟି ଘଟଣା ଯଥା ପୁଲିସ, ପ୍ରଶାସନ, ଡାକ୍ତର ଏବଂ ତାଙ୍କର ରିପୋର୍ଟ, ବିଭିନ୍ନ ମନ୍ତବ୍ୟ ଏବଂ ସରକାର ନେଇଥିବା ପଦକ୍ଷେପକୁ ବିଶ୍ଳେଷଣ କଲେ ଆଇନର ଅବମାନନା ହୋଇ ଥିବା ହୃଦବୋଧ ହେଉଛି।
ଆଇନକାନୁନ୍‌ ଅନୁସାରେ ପୀଡ଼ିତାକୁ ତୁରନ୍ତ ଡାକ୍ତରୀ ପରୀକ୍ଷା ପାଇଁ ନିଆଯାଏ ଏବଂ ଡାକ୍ତରଙ୍କ ମେଡିକୋ-ଲିଗାଲ ଯାଞ୍ଚ ରିପୋର୍ଟରେ ସମସ୍ତ କ୍ଷତ ବିଷୟରେ ଉଲ୍ଲେଖ କରାଯାଇଥାଏ । ସେ ରିପୋର୍ଟ ଅନୁସାରେ ଏଫଆଇଆରରେ ଧାରା ସଂଯୋଗ ହେଇଥାଏ । ସଂଶୋଧିତ ଅପରାଧିକ ଆଇନ ୨୦୧୩ ରେ ସାକ୍ଷ୍ୟ ସଂଗ୍ରହ ସହିତ ଶାରୀରିକ ଏବଂ ମାନସିକ ପରୀକ୍ଷା ଉପରେ ଜୋର ଦେଇଛି । ଏତଦ୍‌ବ୍ୟତୀତ ସ୍ୱାସ୍ଥ୍ୟ ଏବଂ ପରିବାର ମନ୍ତ୍ରଣାଳୟ ମାର୍ଗଦର୍ଶୀ ଅନୁସାରେ ଡାକ୍ତର ଯୌନ ହିଂସା ସମ୍ପର୍କରେ ସ୍ଥାନୀୟ ଥାନାକୁ ଜଣାଇବାକୁ ବାଧ୍ୟ ; କିନ୍ତୁ ପରିତାପର ବିଷୟ ଏ ମାମଲାରେ ଆଇନ ଅନୁସାରେ କିଛି ବି ପଦକ୍ଷେପ ନିଆଯାଇନି । ମୃତ୍ୟୁ ପୂର୍ବରୁ ଯୁବତୀ ପୁଲିସକୁ ଦେଇଥିବା ବୟାନ ଆଧାରରେ ୪ ଜଣଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଗିରଫ କରାଯାଇଛି। ସେହିପରି ଘଟଣା ସହ ଜଡ଼ିତ ସମସ୍ତଙ୍କର ଏବଂ ପୀଡ଼ିତାର ପରିବାରର ସଦସ୍ୟମାନଙ୍କର ନାର୍କୋ ଟେଷ୍ଟ ବା ମିଛ ଧରା ପରୀକ୍ଷା କରାଯିବ ବୋଲି ପରାମର୍ଶ ଦିଆଯାଇଛି; କିନ୍ତୁ ଏମାନେ କାହିଁକି? ତାହେଲେ ଏମାନେ ସବୁ ମିଛ କହିଛନ୍ତି ବୋଲି ସରକାର ଧରି ନେଉଛନ୍ତି। ଜିଲା ମାଜିଷ୍ଟ୍ରେଟ ପୀଡ଼ିତାଙ୍କ ପରିବାରକୁ ଧମକ ଦେବା ସହ ମୁହଁ ନ ଖୋଲିବାକୁ ଚେତାବନୀ ଦେଇଥିବାର ଭିଡିଓ ମଧ୍ୟ ଆସିଥିଲା। ହେଲେ ତାଙ୍କ ବିରୋଧରେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ସାଧାରଣତଃ ପୋଷ୍ଟମର୍ଟମ ପ୍ରକ୍ରିୟା ସମ୍ପନ୍ନ ହେଲାପରେ ଶରୀରକୁ ତା’ର ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଏ। ଏଠି କିନ୍ତୁ ପୁଲିସକୁ ମୃତ ଶରୀର ହସ୍ତାନ୍ତର କରାଯିବାର ତିଳେମାତ୍ର ଯଥାର୍ଥତା ନାହିଁ ।
ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସଆଇଟି) ଗଠନ ଏବଂ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ସହିତ ସୁରକ୍ଷା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଏବଂ ସିବିଆଇ ତଦନ୍ତ ପାଇଁ ସୁପାରିସ ସ୍ବାଗତଯୋଗ୍ୟ; କିନ୍ତୁ ଯେଉଁଠି ପୁଲିସ ଏବଂ ପ୍ରଶାସନ ଶାସକଙ୍କ ନିର୍ଦେଶରେ ଆଇନ ବହିର୍ଭୂତ କାମ କରିଚାଲିଛନ୍ତି, ସେଠି ସେଇ ଶାସକଙ୍କ ଦ୍ବାରା ଗଠିତ ଟିମ୍‌ କେତେ ନିରପେକ୍ଷ ହେଇପାରିବ ସେଥିରେ ସନ୍ଦେହ ଉପୁଜିବା ସ୍ବାଭାବିକ।
ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ଯେ କେହି ବ୍ୟକ୍ତି, ପ୍ରିଣ୍ଟ, ଇଲେକ୍ଟ୍ରୋନିକସ୍‌ କିମ୍ବା ସାମାଜିକ ଗଣମାଧ୍ୟମ ପୀଡ଼ିତାଙ୍କ (ମୃତ ହେଉ ବା ମାନସିକ ସ୍ତରରେ ଅସୁସ୍ଥ ହେଉ) ବିଷୟରେ କିଛି ତଥ୍ୟ ବା ମନ୍ତବ୍ୟ ପ୍ରସାରଣ କରିବା ବେଆଇନ ଅଟେ। ୨୦୧୯ ମସିହାରେ ଦିଲ୍ଲୀ ହାଇକୋର୍ଟ କାଠୁଆ ବଳାତ୍କାର ପୀଡ଼ିତାଙ୍କ ନାମ ଏବଂ ବିସ୍ତୃତ ସୂଚନା ପ୍ରସାରଣ କରିବା ଅଭିଯୋଗରେ ୧୨ଟି ଗଣମାଧ୍ୟମ ସଂସ୍ଥା ଦଣ୍ଡିତ ହୋଇଥିଲେ। ଏଠାରେ କିନ୍ତୁ କେତେକ ବ୍ୟକ୍ତିବିଶେଷ ପୀଡ଼ିତାର ପରିଚୟ ପ୍ରକାଶ କରିଥିବା ଲୋକଲୋଚନକୁ ଆସିଛି। ଯେଉଁମାନେ ଏ ଅପରାଧ କରିଛନ୍ତି ସେମାନଙ୍କ ପାଇଁ ଦଣ୍ଡ ବିଧାନ କରାଯିବ କି? ବିନା ନିବେଦନରେ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ୱାଇ ପ୍ଲସ ସୁରକ୍ଷା ମିଳିପାରେ । ପୀଡ଼ିତାଙ୍କ ପରିବାରର ସଦସ୍ୟମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ଅନ୍ୟମାନେ ଦାବି କରିବାକୁ ପଡ଼େ। ଏହା କ’ଣ ପକ୍ଷପାତିତା ନୁହେଁ କି?
ଯେତେବେଳେ ଅନ୍ୟାୟଟା ଆଇନ ହେଇଯାଏ ସେତେବେଳେ ବିରୋଧ ବା ପ୍ରତିରୋଧ ବାଧ୍ୟ ହୁଏ କର୍ତ୍ତବ୍ୟ ହେବା ପାଇଁ । ଗାନ୍ଧିଜୀଙ୍କର ୧୯୨୦ ମସିହାର ବକ୍ତବ୍ୟକୁ ଏଠାରେ ଉପସ୍ଥାପନ କରିବାକୁ ଉଚିତ ମନେ କରୁଛି । “ଯେ ପର୍ଯ୍ୟନ୍ତ ସରକାର ତୁମର ସମ୍ମାନ ରକ୍ଷା କରୁଛନ୍ତି, ସେ ପର୍ଯ୍ୟନ୍ତ ସହଯୋଗ କରିବା ତୁମର କର୍ତ୍ତବ୍ୟ ଏବଂ ଯେତେବେଳେ ସରକାର ତୁମକୁ ସୁରକ୍ଷା ଦେବା ବଦଳରେ ତୁମର ସମ୍ମାନ ଲୁଣ୍ଠନ କରନ୍ତି, ସେତେବେଳେ ଅସହଯୋଗ ମଧ୍ୟ ସମାନ ରୂପେ ତୁମର କର୍ତ୍ତବ୍ୟ ପାଲଟିଯାଏ।”
ଏ ଅମାନବୀୟ ଘୃଣ୍ୟ ଘଟଣା ପ୍ରତିଦିନ ଦେଶର ବିଭିନ୍ନ ଅଞ୍ଚଳରେ ଘଟି ଚାଲିଛି। ଖାଲି ଆଇନ ପ୍ରଣୟନ କରିଦେଲେ ହେବ ନାହିଁ। ଏହାର ଅନୁପାଳନ ପାଇଁ ପ୍ରତିଶ୍ରୁତିବଦ୍ଧତା ଆବଶ୍ୟକ। ଜନପ୍ରତିନିଧିମାନେ ସେମାନଙ୍କ କ୍ଷମତାର ଅପବ୍ୟବହାର ନ କରନ୍ତୁ, ଅବସ୍ଥିତ ଆଇନକୁ ନିଷ୍କ୍ରିୟ ଏବଂ ନିଶ୍ଚଳ ନ କରି ଦେଇ ତାକୁ କାର୍ଯ୍ୟକାରୀ କରନ୍ତୁ।

କସ୍ତୁରୀ ମହାପାତ୍ର

Comments
Loading...