ହାଥରସ୍ ଘଟଣା ଦୁର୍ଭାଗ୍ୟଜନକ: ଜଷ୍ଟିସ୍‌ ବୋବଡ଼େ

ନୂଆଦିଲ୍ଲୀ/ଲକ୍ଷ୍ନୌ: ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ହାଥରସ୍ ମାମଲାରେ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଏସ୍‌ଏ ବୋବ​‌ଡ଼େ ଏହାକୁ ଦୁର୍ଭାଗ୍ୟଜନକ ଓ ଅଭାବନୀୟ ବୋଲି ଦର୍ଶାଇବା ସହ ମାମଲାରେ ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀମାନଙ୍କୁ ସୁରକ୍ଷା ଦେବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ ପାଇଁ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍‌ ବୋବଡେଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ ପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ ଘଟଣାରେ ତଦନ୍ତ ଯେପରି ସୁଗମ ହେବ ତାହାକୁ କୋର୍ଟ ନିଶ୍ଚିତ କରିବେ। ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେତା କହିଥିଲେ ଯେ ହାଥ୍‌ରସ ମାମଲାରେ ଏବେ ଅନେକ କାହାଣୀ ପ୍ରସାରିତ ହେଉଛି। ଏହା ମଧ୍ୟରୁ ଅନେକ ମିଥ୍ୟା ହୋଇଥିବାବେଳେ ଅନେକ ହେଉଛି ଉଦ୍ଦେଶ୍ୟମୂଳକ। ଏସବୁକୁ ବନ୍ଦ କରାଯିବା ଆବଶ୍ୟକ। ଏଥିପାଇଁ ମାମଲାର ସିବିଆଇ ତଦନ୍ତ ଆବଶ୍ୟକ ବୋଲି ମେହେତା କହିଥିଲେ। ମାମଲାର ତଦନ୍ତ ସର୍ବୋଚ୍ଚ ଅଦାଲତଙ୍କ ତତ୍ତ୍ୱାବଧାନରେ ସିବିଆଇ ଦ୍ୱାରା କରାଯିବା ଉଚିତ। ଏ ନେଇ ନାନା କଥା ପ୍ରଚାର ହେଉଥିବାରୁ ଉତ୍ତରପ୍ରଦେଶ ସରକାର ଘଟଣାର ସିବିଆଇ ତଦନ୍ତ ପାଇଁ ଚାହୁଁଛନ୍ତି।

ଅପରପକ୍ଷରେ ଉତ୍ତରପ୍ରଦେଶ ସରକାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି ଜଣାଇଛନ୍ତି ଯେ ସମ୍ଭାବ୍ୟ ହିଂସାକାଣ୍ଡ ରୋକିବା ପାଇଁ ବିଳମ୍ବିତ ରାତିରେ ପୀଡ଼ିତାଙ୍କ ଶବ ସତ୍କାର କରାଯାଇଥିଲା। ସକାଳେ ଏହି ମାମଲାକୁ ନେଇ ବଡ଼ ଧରଣର ହିଂସା ହେବାର ଆଶଙ୍କାଥିବା ଗୁଇନ୍ଦା ରିପୋର୍ଟ ମିଳିଥିଲା। ଜିଲା ପ୍ରଶାସନ ପୀଡ଼ିତାଙ୍କ ପରିବାରକୁ ବୁଝାଇ ରାତିରେ ଶବ ସତ୍କାର କରିଥିଲା। ପୁନଶ୍ଚ, ଏହି ମାମଲାକୁ ଜାତିଆଣ ରଙ୍ଗ ଦିଆଯାଉଛି। ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ଏଥିରୁ ଫାଇଦା ନେବାକୁ ଉଦ୍ୟମ କରୁଛନ୍ତି।

ଉତ୍ତରପ୍ରଦେଶ ପୁଲିସ ପକ୍ଷରୁ ଏହି ମାମଲାରେ ନୂଆ ତଥ୍ୟ ପ୍ରଦାନ କରାଯାଇଛି। ଏହି ଅନୁସାରେ ପୀଡ଼ିତା ଓ ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବରୁ ସମ୍ପର୍କ ରହିଥିଲା ଓ ସେମାନେ ପରସ୍ପର ମଧ୍ୟରେ ୧୦୪ଥର ମୋବାଇଲ ଫୋନ୍‌ ଯୋଗେ କଥାବାର୍ତ୍ତା ହୋଇଛନ୍ତି। ବିଶେଷକରି ମୁଖ୍ୟ ଅଭିଯୁକ୍ତ ସନ୍ଦୀପ ସିଂହ ସହିତ ପୀଡ଼ିତା ନିୟମିତ ସମ୍ପର୍କରେ ଥିବା ପୁଲିସ କହିଛି। ସନ୍ଦୀପ ହେଉଛି ପୀଡ଼ିତାଙ୍କ ନିଜ ଗ୍ରାମବାସୀ। ପୀଡ଼ିତା ନିଜ ଭାଇ ସତ୍ୟେନ୍ଦ୍ରଙ୍କ ଫୋନ୍‌ରୁ ସନ୍ଦୀପଙ୍କ ନିକଟକୁ ବାରମ୍ବାର ଫୋନ୍‌ କରୁଥିଲେ। ୨୦୧୯ ଅକ୍ଟୋବର ୧୩ରୁ ଏହି କଥାବାର୍ତ୍ତା ଚାଲିଥିଲା। ପୀଡ଼ିତାଙ୍କ ପକ୍ଷରୁ ୬୨ଟି କଲ୍‌ ହୋଇଥିଲାବେଳେ ସନ୍ଦୀପ ୪୨ଥର ଫୋନ୍‌ କରିଥିଲେ। ଏହି ତଥ୍ୟ ପ୍ରଦାନ ଦ୍ବାରା ପୁଲିସ ମାମଲାକୁ ଭିନ୍ନ ମୋଡ଼ ଦେବାକୁ ଉଦ୍ୟମ ଚଳାଇଥିବା କୁହାଯାଉଛି।

Comments are closed.