ଦନ୍ତାହାତୀ ଭାଙ୍ଗିଲା କଖଡି ବିଦ୍ୟାଳୟ ପାଚେରୀ : ବଗିଚା ଓ ନଡିଆଗଛ ନଷ୍ଟ

ଗୁରୁଡିଝାଟିଆ : ଦଳରୁ ବାହାରି ଆସିଥିବା ଗୋଟିକିଆ ଦନ୍ତାହାତୀଟି ଆଜି ଉତ୍ପାତ ସୃଷ୍ଟି କରୁଛି । ସଞ୍ଜ ପୂର୍ବରୁ ଜଙ୍ଗଲରୁ ବାହାରି ଆସି ବାରିଘରେ ପଶୁଛି। ଗତକାଲି ରାତିରେ କଖଡି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ପାଚେରୀ ଭାଙ୍ଗିଛି ଗୋଟିକିଆ ଦନ୍ତା। ବିଦ୍ୟାଳୟ ପୂର୍ବ ପଟର ପାଚେରୀ ପ୍ରାୟ ୨୦ ଫୁଟ ଭାଙ୍ଗି ବଗିଚା ଭିତରେ ପଶିଥିଲା । ବିଦ୍ୟାଳୟର ପାକଶାଳା ବଗିଚାରେ ହୋଇଥିବା ପନିପରିବା ଖାଇବା ସହିତ ନଷ୍ଟ କରିଛି । ଏଥିରେ ମନ ନଭରିବାରୁ ନଡିଆ ଓ ଗୁଆଗଛ ଭାଙ୍ଗିବା ସହିତ କଦଳୀ ବଗିଚାରେ ପଶି କଦଳୀ ଖାଇବା ସହିତ ବ୍ୟାପକ ନଷ୍ଟ କରିଛି । ଦନ୍ତାହାତୀର ଏଭଳି ଉତ୍ପାତରେ ବିଦ୍ୟାଳୟର ଅଶେଷ କ୍ଷତି ହୋଇଛି। ମୁଣ୍ଡ ଉପରେ ପିଲାଙ୍କର ମାଟ୍ରିକ ପରୀକ୍ଷା। କଖଡି ନୋଡାଲ ହାଇସ୍କୁଲ ପରୀକ୍ଷାକେନ୍ଦ୍ର ଭାବରେ ଚୟନ ହୋଇଛି । ହାତୀ ଭାଙ୍ଗିଦେବା ପରେ ସୁରକ୍ଷା ଦୃଷ୍ଟିରୁ ଅସୁବିଧା ଉପୁଜିପାରେ। ବନ ବିଭାଗ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରିବା ସହ ପାଚେରୀ ନିର୍ମାଣ ପାଇଁ ବନ୍ଦୋବସ୍ତ ନିମନ୍ତେ ସାଧାରଣରେ ଦାବି ହୋଇଛି।

Comments are closed.