ହାଥରସ ଗଣଦୁଷ୍କର୍ମ ଘଟଣା : ଯାଞ୍ଚ ଆରମ୍ଭ କଲା ଏସଆଇଟି, ଆଜି ପୀଡ଼ିତାଙ୍କ ପରିବାରକୁ ଭେଟିବେ ରାହୁଲ-ପ୍ରିୟଙ୍କା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାକୁ ନେଇ ଏବେ ଚାରିଆଡେ ତୀବ୍ର ବିରୋଧ ଜାରି ରହିଛି । ଗଣଦୁଷ୍କର୍ମରେ ଶିକାର ହୋଇଥିବା ପୀଡ଼ିତା ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିବା ପରେ ପୁଲିସ ବିଳମ୍ବିତ ରାତ୍ରୀରେ ପୀଡିତାଙ୍କୁ ତରବରିଆ ଭାବେ ଯେଉଁଭଳି ଅନ୍ତିମ ସଂସ୍କାର କରିଦେଲେ ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ପୀଡିତାଙ୍କ ପରିବାର ସଦସ୍ୟଙ୍କୁ ମୃତଦେହ ନଦେଖାଇ ପୁଲିସ ଅନ୍ତିମ ସଂସ୍କାର କରିବା ଏବଂ ଘଟଣାସ୍ଥଳକୁ କାହାକୁ ନଛାଡିବାକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀ ଟାର୍ଗେଟ କରିଛନ୍ତି। ଏହାରି ମଧ୍ୟରେ ଆଜି ପୀଡିତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବାକୁ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ହାଥରସ ଯାଉଛନ୍ତି। ଏହା ପୂର୍ବରୁ ଯେତେବେଳେ ପୀଡିତାଙ୍କ ମୃତ୍ୟୁ ହୋଇଥିଲା ସେତେବେଳେ ପ୍ରିୟଙ୍କା ଗାନ୍ଧୀ ଫୋନରେ ପୀଡିତାଙ୍କ ପରିବାର ସହ କଥା ହୋଇଥିଲେ ।

ଏସଆଇଟି  ଆରମ୍ଭ କଲା ତଦନ୍ତ

ହାଥରସ ଗଣଦୁଷ୍କର୍ମ ମାମଲାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୩ ଜଣିଆ ଏସଆଇଟି ଟିମ୍ ଗଠନ କରିଥିଲେ । ଆଜି ଏହି ଏସଆଇଟି ଟିମ୍ ତାର ତଦନ୍ତ ଆରମ୍ଭ କରିଛି । ଉକ୍ତ ଟିମରେ ଗୃହ ସଚିବ ଭଗବାନ ସ୍ୱରୂପ, ଡିଜି ଚନ୍ଦ୍ରପ୍ରକାଶ ଏବଂ ସେନାନାୟକ ପିଏସି ଆଗ୍ରା ପୁଣମ୍ ରହିଛନ୍ତି। ଏହି ମାମଲର ତଦନ୍ତ ୭ଦିନ ଭିତରେ ଶେଷ କରି ସବିଶେଷ ରିପୋର୍ଟ ଦେବାକୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି।

ପୀଡିତାଙ୍କ ଗାଁକୁ ଗଣମାଧ୍ୟମକୁ ମିଳୁନି ଅନୁମତି

ହାଥରସ ଗଣଦୁଷ୍କର୍ମ ମାମଲା ପୀଡିତାଙ୍କ ଗାଁକୁ କୌଣସି ଗଣାମଧ୍ୟମକୁ ପ୍ରବେଶ ଅନୁମତି ଦେଉନି ଉତ୍ତରପ୍ରଦେଶ ପୁଲିସ । ପୁଲିସ କହୁଛି ଯେ ଉତ୍ତରପ୍ରଦେଶରେ କରୋନା କଟକଣା ପାଇଁ ଗଣମାଧ୍ୟମକୁ ଗାଁକୁ ପ୍ରବେଶ ଅନୁମତି ଦିଆଯାଉନି । ଅନ୍ୟପକ୍ଷେ ଆଉ ଜଣେ ପୁଲିସ କର୍ମଚାରୀ କହିଛନ୍ତି ଯେ ଗଣମାଧ୍ୟମ ଘଟଣାରେ ଏସଆଇସି ତଦନ୍ତରେ ବାଧା ସୃଷ୍ଟି କରୁଥିବା କାରଣରୁ ଗାଁକୁ ପ୍ରବେଶ ଅନୁମତି ଦିଆଯାଉନି।

 

 

 

Comments are closed.