ହାଥରସ ପୀଡିତାଙ୍କ ଗାଁକୁ ଗଣମାଧ୍ୟମକୁ ମିଳିଲା ପ୍ରବେଶ ଅନୁମତି, ରାଜନେତାଙ୍କୁ ହାଥରସ ମନା

ଲକ୍ଷ୍ନୌ: ହାଥରସ ଗଣଦୁଷ୍କର୍ମ ପୀଡ଼ିତାଙ୍କ ଗାଁକୁ ଗଣାମାଧ୍ୟମକୁ ପ୍ରବେଶ ଅନୁମତି ମିଳିଛି । ପୀଡିତାଙ୍କ ମୃତ୍ୟୁ ପରେ ଗାଁକୁ ସିଲ୍ କରି ୧୪୪ ଧାରା ଲାଗୁ କରିଥିଲା ପ୍ରଶାସନ । ଏହା ସହ ସମସ୍ତଙ୍କୁ ଗାଁକୁ ଭିତରକୁ କୌଣସି ବାହାର ଲୋକଙ୍କୁ ପ୍ରବେଶ କରିବାକୁ ଦିଆଯାଉନଥିଲା । ପୀଡିତାଙ୍କ ପରିବାର ସହ ଗଣମାଧ୍ୟମକୁ କଣ ପାଇଁ କଥା ହେବାକୁ ଦିଆଯାଉନାହିଁ ତାକୁ ନେଇ ଘୋର ବିରୋଧ କରାଯାଇଥିଲା । ତମାମ ଦାବି ପରେ ଏବେ ପ୍ରଶାସନ ପୀଡ଼ିତା ପରିବାର ସହ କଥା ହେବା ପାଇଁ ଗଣମାଧ୍ୟମକୁ ଅନୁମତି ଦେଇଛି। ତେବେ ଗାଁ ଭିତରକୁ କୌଣସି ରାଜନୈତିକ ଦଳର ନେତା ମାନଙ୍କ ପାଇଁ କଟକଣା ପୂର୍ବପରି ବଳବତ୍ତର ରହିଛି । କୌଣସି ରାଜନୈତିକ ଦଳକୁ ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଦିଆଯିବ ନାହିଁ।

ଅନ୍ୟପକ୍ଷେ ପରିବାର ସଦସ୍ୟଙ୍କ ମୋବାଇଲ ଫୋନ ଛଡାଇନେବା ଏବଂ ବିଭିନ୍ନ ପ୍ରକାର ଧମକ ଦେବା କଥାକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି ହାଥରସ ସଦର ଏସଡିଏମ୍ ପ୍ରେମ ପ୍ରକାଶ ମୀନା । ସେ କହିଛନ୍ତି ଯେ ପୀଡିତାଙ୍କ ପରିବାର ସହ ସେମିତି କିଛି ହୋଇ ନାହିଁ ।  ସେ କହିଛନ୍ତି ଯେ ଗାଁରେ ଏସଆଇଟି ତଦନ୍ତ ପୂରା ହୋଇଛି । ଏଥି ପାଇଁ ଗଣମାଧ୍ୟମ ଉପରୁ କଟକଣା ଉଠିଛି । ଅବଶ୍ୟ ଗାଁରେ ବର୍ତ୍ତମାନ ମଧ୍ୟ ୧୪୪ ଧାରା ଜାରି ଥିବାରୁ ୫ରୁ ଅଧିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏକତ୍ରିତ ହେବାର ଅନୁମତି ନାହିଁ । ବର୍ତ୍ତମାନ ଗାଁକୁ କେବଳ ଏବେ ଗଣମାଧ୍ୟମ ଅନୁମତି ମିଳିଛି । ଯେବେ ରାଜନୈତିକ ଦଳକୁ ପ୍ରବେଶ ଅନୁମତି ଆଦେଶ ମିଳିବ ସେବେ ରାଜନୈତିକ ଦଳର ନେତାଙ୍କ ପୀଡିତାଙ୍କ ପରିବାର ସହ ଭେଟିବାକୁ ଦିଆଯିବ ।

ସୂଚନାଯୋଗ୍ୟ ହାଥରସ ଗଣ ଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା । ଉତ୍ତରପ୍ରଦେଶରେ ମାମଲା ଗମ୍ଭୀର ରୂପ ନେଉଥିବା ଉତ୍ତେଜନା ବଢିବାରେ ଲାଗିଛି। ତେବେ ପୀଡିତାଙ୍କ ମୃତ ଦେହକୁ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର ନକରି ଜବରଦସ୍ତ ପୋଡି ଦେଇବାକୁ ନେଇ ନିଆଁ ସବୁଆଡେ ଆଲୋଡନ ସୃଷ୍ଟି ହୋଇଥିଲା  ।ଏପରିକି ଉକ୍ତ ଘର ପରିସରରେ ଧାରା ୧୪୪ ଲାଗୁ କରିବା ସହ ଗ୍ରାମକୁ କାହାକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇନଥିଲା। ତେବେ ଘଟଣାର ସତ୍ୟାସତ୍ୟ ଜାଣିବାକୁ ସେଠାକୁ ଯାଇଥିବା ମିଡିଆ କର୍ମୀଙ୍କୁ କିଛି ଲୋକ ଘେରିଯାଇ ମାଡ ମାରିଥିଲେ ଓ ସେମାନଙ୍କର ପୋଷାକ ମଧ୍ୟ ଚିରି ଦିଆଯାଇଥିଲା।ତେବେ ଗଣମାଧ୍ୟମ କର୍ମଚାରୀଙ୍କ ଉପରକୁ କେଉଁମାନେ ଆକ୍ରମଣ କରିଛନ୍ତି ତାହା ସ୍ପଷ୍ଟ ହୋଇନଥିବା ବେଳେ ଏହାକୁ ନେଇ ଅନେକ ପ୍ରଶ୍ନ ଛିଡା ହୋଇଛି।

ଏହାରି ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଏହି ଘଟଣାକୁ ନେଇ ସମାଲୋଚନା ପରେ ଯୋଗୀ ସରକାର ଗତକାଲି ଏହି ଘଟଣାରେ ହାଥରସ ଜିଲା ପୁଲିସ ଅଧୀକ୍ଷକ (ଏସପି) ବିକ୍ରାନ୍ତ ବୀର, ପୁଲିସ ଉପ ଅଧୀକ୍ଷକ (ଡିଏସପି) ରାମ ସବଦ, ଇନ୍ସପେକ୍ଟର ଦୀନେଶ କୁମାର ବର୍ମା, ସବ୍‌ ଇନ୍ସପେକ୍ଟର ଜାଗବୀର ସିଂହ ଓ ହେଡ କନଷ୍ଟେବଳ ମହେଶ ପାଲଙ୍କୁ ନିଲମ୍ବନ କରିଛନ୍ତି। ପ୍ରାଥମିକ ତଦନ୍ତ ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି ଯେ ଏହି ଅଧିକାରୀମାନେ ମାମଲାକୁ ପରିଚାଳନା କରିବାରେ ବିଫଳ ହୋଇଛନ୍ତି। ଏହି ଅଧିକାରୀଙ୍କ ବିରୋଧରେ ତଦନ୍ତ ପାଇଁ ସେମାନଙ୍କ ନାର୍କୋ ପଲିଗ୍ରାଫ ଟେଷ୍ଟ କରାଯିବ।

Comments are closed.