ବିଧାନସଭାରେ ହାଥରସ୍‌ ତାତି, ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ଵର : ଓଡ଼ିଶା ବିଧାନସଭାରେ ଉଠିଲା ଉତ୍ତରପ୍ରଦେଶ ହାଥରସ୍ ଗଣଦୁଷ୍କର୍ମ ପ୍ରସଙ୍ଗ । ହାଥରସ ପ୍ରସଙ୍ଗକୁ ନେଇ ଗୃହରେ କଂଗ୍ରେସର ବିଧାୟକ ମାନେ ହଟ୍ଟଗୋଳ କରିଛନ୍ତି । କଂଗ୍ରେସ ବିଧାୟକ ମାନେ ଗୃହରେ ଆଇସିସିର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ମାଡ ମରାଯିବା ଏବଂ ଗିରଫ କରାଯାଇଥିବା ଦର୍ଶାଇ ହୋହଲ୍ଲା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଗୃହରେ ସ୍ଲୋଗାନ ଦେଇଥିଲେ । ଯାହା ଫଳରେ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଗୃହ କାର୍ଯ୍ୟକୁ ଅପରାହ୍ନ ୩ ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

ଶନିବାର ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ଆରମ୍ଭରୁ ହଟ୍ଟଗୋଳ, ଗୃହ ବାରମ୍ବାର ମୁଲତବି ହୋଇଥିଲା । କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ଦିନ ୩ଟା ଯାଏଁ ମୁଲତବି ରଖିଛନ୍ତି ବାଚସ୍ପତି । ପ୍ରଥମେ ୧୫ ମିନିଟ, ପରେ ଆଉ ୧୦ ମିନିଟ, ପରେ ଦିନ ୧୧ଟା ୩୦ ଯାଏଁ ଗୃହକୁ ମୁଲତବି ରଖା ଯାଇଥିଲା । ଗୃହ ସୁପରିଚାଳନା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ସର୍ବଦଳୀୟ ବୈଠକରେ ମଧ୍ୟ କଂଗ୍ରେସ ବିଧାୟକମାନେ ଆଇସିସିର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ମାଡ ମରାଯିବା ଏବଂ ଗିରଫ କରାଯାଇଥିବା ଦର୍ଶାଇ  ହୋହଲ୍ଲା କରିଥିଲେ ।

Comments are closed.