କୃଷକ ଆନ୍ଦୋଳନକୁ ସମର୍ଥନ କରି ସୁସଜ୍ଜିତ ମର୍ସିଡିଜ୍‌ ଛାଡ଼ି ଟ୍ରାକ୍ଟରରେ ବାହା ହେବାକୁ ଗଲେ ଯୁବକ, ଡିଜେ ବଦଳରେ ବରଯାତ୍ରୀ ଦେଲେ ‘ଜୟ ଯବାନ ଜୟ କିଷାନ’ ନାରା

ଚଣ୍ଡିଗଡ : କେନ୍ଦ୍ରର ନୂଆ କୃଷି ଆଇନ ବିରୋଧ କରି ଦିଲ୍ଲୀ ଉପକଣ୍ଠରେ ଚାଲିଥିବା କୃଷକ ଆନ୍ଦୋଳନ ଧିରେ ଧିରେ ତିବ୍ର ରୂପ ଧାରଣ କରୁଛି। ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ପଞ୍ଜାବ ଏବଂ ହରିୟାଣାର ଲୋକମାନେ ନିଜ ନିଜ ପଦ୍ଧତିରେ ସମର୍ଥନ କରୁଛନ୍ତି। ଏହାରି ମଧ୍ୟରେ କୃଷକ ଆନ୍ଦୋଳନକୁ ସମର୍ଥନ କରି ହରିୟାଣା କର୍ଣ୍ଣଲରେ ଜଣେ ଯୁବକ ବିବାହ କରିବାକୁ ସୁସଜ୍ଜିତ ମର୍ସିଡିଜ୍ କାର ଛାଡି ଟ୍ରାକ୍ଟରରେ ଯିବାକୁ ନେଇ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

ଜାତୀୟ ଗଣମାଧ୍ୟମର ପ୍ରସାରିତ ଖବର ଅନୁସାରେ ହରିୟାଣା କର୍ଣ୍ଣଲର ସୁମିତ ଢ଼ୁଲ୍‌ ଦେଶରେ ଜାରି ରହିଥିବା କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ନିଜର ବିବାହ ସ୍ଥଳକୁ ସୁସଜ୍ଜିତ ମର୍ସିଡିଜ୍ କାର ଛାଡି ଟ୍ରାକ୍ଟରରେ ଯିବାକୁ ପସନ୍ଦ କରିଥିଲେ। ମର୍ସିଡିଜ୍‌ ବଦଳରେ ଟ୍ରାକ୍ଟର ନେବାକୁ ନେଇ ଢୁଲ କହିଛନ୍ତି, ‘ମୁଁ କୃଷକ ପରିବାରରୁ ଆସିଛି। ଦିଲ୍ଲୀରେ ଆନ୍ଦୋଳନ କରୁଥିବା କୃଷକଙ୍କ ସହ ରହିଛି। ତେଣୁ ମର୍ସିଡିଜ୍‌ ବଦଳରେ ଟ୍ରାକ୍ଟରକୁ ବାଛିଛି।

ସୁମିତ ଢ଼ୁଲ୍ ହେଉଛନ୍ତିହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲଙ୍କ ବିପକ୍ଷରେ ୨୦୧୪ ରେ କଂଗ୍ରେସ ଟିକେଟରେ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିବା ବଡ ଜୋତା ବ୍ୟବସାୟୀ ସୁରେନ୍ଦ୍ର ନରୱାଲଙ୍କ ଭଣଜା । ସୁମିତ ଢ଼ୁଲ୍ ପାନିପାଟର ଜଣେ ସୈନିକଙ୍କ ପରିବାରରେ ବିବାହ କରୁଛନ୍ତି। ସୁମିତ ଢ଼ୁଲ୍‌ଙ୍କ ପିତା ସତ୍ୟବୀର ସିଂ ଢ଼ୁଲ୍ ଜଣେ ସରକାରୀ ଅଧିକାରୀ ଏବଂ ସୁମିତ ନିଜେ ଜଣେ ଇଞ୍ଜିନିୟର ଏବଂ ବ୍ୟବସାୟୀ।

ଗୁରୁବାର ଦିନ ସୁମିତଙ୍କ ବାରାତ କର୍ଣ୍ଣଲର ସେକ୍ଟର -୧୩ ସ୍ଥିତ ଢ଼ୁଲ୍ ଭବନରୁ ନୁର ମହଲ ଅଭିମୁଖେ ବାହାରିଥିଲା। ଘର ବାହାରେ ଆସି ଛିଡ଼ା ହୋଇଥିଲା ସୁସଜ୍ଜିତ ମର୍ସିଡିଜ୍‌ ବେଞ୍ଜ କାର୍‌ କିନ୍ତୁ ସୁମିତ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ମର୍ସିଡିଜ୍‌ ବଦଳରେ ଟ୍ରାକ୍ଟର ବିବାହ ସ୍ଥଳକୁ ଯିବାକୁ କହିଥିଲେ। ଟ୍ରାକ୍ଟରରେ କୃଷକ ସଙ୍ଗଠନର ପତାକା ଧରି ବିବାହ ସ୍ଥଳକୁ ଯାଇଥିଲେ ବର ସୁମିତ। ସୁମିତଙ୍କ ସହ ଯାଇଥିବା ବର ଯାତ୍ରୀମାନେ ମଧ୍ୟ ସୁମିତଙ୍କ ଏହି ମହତ ଉଦେଶ୍ୟ ଏବଂ ଦେଶରେ ଜାରି ରହିଥିବା କୃଷକ ଆନ୍ଦୋଳକୁ ସମର୍ଥନ ଜଣାଇ ଡିଜେ ସାଉଣ୍ଡ ବଦଳରେ ଚାଷୀଙ୍କ ସମର୍ଥନରେ ‘ଜୟ ଜବାନ ଜୟ କିଷାନ’ ନାରା ଦେଇ କନ୍ୟା ଘରକୁ ଯାଇଥିଲେ।


ଏଥି ସହିତ ବିିବାହ ପରେ ନିଜ ପତ୍ନୀଙ୍କୁ ଧରି ଦିଲ୍ଲୀରେ ଆନ୍ଦୋଳନ କରୁଥିବା କୃଷକମାନଙ୍କୁ ଭେଟିବା ପାଇଁ  ଯିବେ ଏବଂ ବିବାହରେ ମିଳିଥିବା ସମସ୍ତ ଉପହାର ଆନ୍ଦୋଳନକାରୀ ଚାଷୀଙ୍କୁ ଦାନ କରିବ ବୋଲି ସୁମିତ ଘୋଷଣା କରିଛନ୍ତି। ସୁମିତ କହିଛନ୍ତି ଯେ ତାଙ୍କ ପୁରା ପରିବାର କୃଷକ ଏବଂ ସେନାରେ ଅଛନ୍ତି। ଦିଲ୍ଲୀରେ କୃଷକମାନେ ଆନ୍ଦୋଳନ କରୁଛନ୍ତି, ତେଣୁ ସେ ଟ୍ରାକ୍ଟରରେ ବିବାହ ସ୍ଥଳକୁ ଯାଇ ସେମାନଙ୍କୁ ସମର୍ଥନ କରିଥିବାରୁ ନିଜକୁ ଗର୍ବିତ ବୋଲି କହିଛନ୍ତି।

 

 

 

 

Comments are closed.