ନିର୍ବାଚନ ପୂର୍ବରୁ ହରିୟାଣାରେ କଂଗ୍ରେସକୁ ଝଟ୍‌କା; ଦଳ ଛାଡ଼ିଲେ ପୂର୍ବତନ ରାଜ୍ୟ ସଭାପତି

ଚଣ୍ଡୀଗଡ଼: ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ରାଜ୍ୟ କଂଗ୍ରେସର ପୂର୍ବତନ ସଭାପତି ଅଶୋକ ତମ୍ବର ଶନିବାର ଦଳରୁ ଇସ୍ତଫା ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏ ସମ୍ପର୍କରେ ସେ ନିଜ ଟ୍ବିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି। ଟିକେଟ ବଣ୍ଟନକୁ ନେଇ ଅଶୋକ କିଛିଦିନ ଧରି ଅସନ୍ତୁଷ୍ଟ ଥିଲେ। ଏପରି କି ୫ କୋଟି ଟଙ୍କାରେ ଟିକେଟ ବଣ୍ଟାଯାଉଥିବା ନେଇ ସେ ଅଭିଯୋଗ କରିଥିଲେ। ନିକଟରେ ସେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ତାଙ୍କୁ ଦଳର ସମସ୍ତ ଦାୟିତ୍ଵରୁ ଦୂରେଇ ରଖିବାକୁ ଅନୁରୋଧ କରିଥିଲେ। ସେ କେବଳ ଜଣେ କର୍ମୀ ଭାବେ କାର୍ଯ୍ୟ କରିବାକୁ ଚାହୁଁଥିବା ଦର୍ଶାଇଥିଲେ। କିନ୍ତୁ ଶନିବାର ସେ ପ୍ରାଥମିକ ସଦସ୍ୟତା ପଦରୁ ବି ଇସ୍ତଫା ଦେଇଛନ୍ତି। ଅଶୋକଙ୍କ ଇସ୍ତଫା ରାଜ୍ୟ କଂଗ୍ରେସ ପାଇଁ କ୍ଷତି ହୋଇପାରେ ବୋଲି ଆଲୋଚନା ହେଉଛି।

Comments are closed.