ହରିୟାଣା: ପାହାଡ଼ ଧସି ପୋତି ହେଲା ଗାଡ଼ି, ୪ମୃତ

‘ମାଇନିଂ ଜୋନ୍‌’ରେ ବଡ଼ ଧରଣର ଦୁର୍ଘଟଣା

ଚଣ୍ଡିଗଡ଼: ହରିୟାଣାର ଭିୱାନି ଜିଲା ଅନ୍ତର୍ଗତ ‘ମାଇନିଙ୍ଗ୍‌ ଜୋନ୍‌’ରେ ବଡ଼ ଧରଣର ଦୁର୍ଘଟଣା ଘଟିଛି। ପାହାଡ଼ ଧସିବା ଯୋଗୁ ଏକାଧିକ ଗାଡ଼ି ପୋତି ହୋଇଯାଇଛି। ଏହାସହ ପ୍ରାୟ ୧୫ ରୁ ୨୦ ବ୍ୟକ୍ତି ନିଖୋଜ ଥିବା ସୂଚନା ମିଳିଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ୩ଜଣଙ୍କୁ ଉଦ୍ଧାର କରିଥିବାବେଳେ ୪ଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପ୍ରଶାସନିକ ଅଧିକାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବାବେଳେ ଘଟଣାସ୍ଥଳକୁ ଗଣମାଧ୍ୟମ ପ୍ରତିନିଧି କିମ୍ବା ସାଧାରଣ ଲୋକଙ୍କ ଯିବା ଉପରେ କଟକଣା ଜାରି କରାଯାଇଛି।

 

ମିଳିଥିବା ସୂଚନା ଅନୁଯାୟୀ, ଭିୱାନି ଜିଲାର ତୋଶମ୍‌ ବ୍ଲକ୍‌ ଅଞ୍ଚଳରେ ଥିବା ଦାଦମ ଖଣି ଅଞ୍ଚଳ ଅନ୍ତର୍ଗତ ପାହାଡ଼ର ଏକ ପ୍ରକାଣ୍ଡ ଅଂଶ ଫାଟି ଯାଇଥିଲା। ଏଠାରେ ପାହାଡ ଧସିବା କାରଣରୁ ବଡ ଧରଣର ଦୁର୍ଘଟଣା ହୋଇଯାଇଛି। ହଠାତ ପାହାଡ଼ ଧସିଯିବାରୁ ବହୁ ଲୋକ ପୋତି ହୋଇ ରହିଥିବା ବେଳେ ଆଉ କିଛି ଜଣକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ପାହାଡ଼ ଧସିବାର ପ୍ରକୃତ କାରଣ ବର୍ତ୍ତମାନ ପର୍ୟ୍ୟନ୍ତ ଜଣାପଡ଼ି ନାହିଁ। କୃଷିମନ୍ତ୍ରୀ ଜେ.ପି. ଦଲାଲ ଏବଂ ଏସପି ଅଜିତ ସିଂ ଶେଖାୱତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମ୍ପର୍କରେ ଅନୁଧ୍ୟାନ ସହ ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି।
‘ନ୍ୟାସ୍‌ନାଲ୍‌ ଗ୍ରିନ୍‌ ଟ୍ରାଇବୁନାଲ୍‌’ ସମ୍ପୃକ୍ତ ଅଞ୍ଚଳରେ ଖଣି କାର୍ଯ୍ୟ ଉପରେ ଲାଗୁ ହୋଇଥିବା ନିଷେଧାଜ୍ଞା ଉଠାଇ ଦେବା ପରେ ଦାଦାମ ଖଣି ଅଞ୍ଚଳ ଏବଂ ଖନକ ପହରିରେ ବ୍ୟାପକ ଖଣି ଖୋଦନ ଚାଲିଛି। ପ୍ରଦୂଷଣ ଯୋଗୁ ‘ଗ୍ରିନ୍‌ କୋର୍ଟ’ ଜାରି କରିଥିବା ୨ ମାସିଆ ନିଷେଧାଜ୍ଞା ଗୁରୁବାର ଦିନ ଉଠାଇ ଦିଆଯାଇଥିଲା ଏବଂ ଏହାପରେ ଶୁକ୍ରବାର ଠାରୁ ଖଣି ଖୋଦନ ଆରମ୍ଭ କରାଯାଇଥିଲା।

Comments are closed.